ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ୫ ଜୀବନ
ମଧ୍ୟପ୍ରଦେଶର ଭିଣ୍ଡୋ ଜିଲ୍ଲାରେ ଆଜି ସକାଳେ ଏକ ଦୁର୍ଘଟଣାରେ ୩ ଜଣ ମହିଳାଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୨୦ ଜଣ ଆହତ ହୋଇଛନ୍ତି । ଏକ ବିବାହ ଉତ୍ସବରୁ କିଛି ଲୋକ ଭ୍ୟାନ୍ରେ ଫେରୁଥିବା ବେଳେ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଜବାହରପୁର ଗାଁ ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୩ ଜଣ ଓ ମେଡ଼ିକାଲରେ ଅନ୍ୟ ୨ ଜଣଙ୍କର ମୃତ୍ୟୁ ଘଟିଛି । ଗୁରୁତର ଆହତ ୧୨ ଜଣଙ୍କୁ ଗ୍ୱାଲିଅର ସ୍ଥାନାନ୍ତର କରାଯାଇଛି ।
ଭିଣ୍ଡର ପୋଲିସ ଅଧିକ୍ଷକଙ୍କ କହିବା ମୁତାବକ, ମଧ୍ୟପ୍ରଦେଶ ଭିଣ୍ଡରେ ବିବାହ ଉତ୍ସବ ସାରି ଫେରୁଥିବା ବେଳେ ପିକଅପ୍ ଭ୍ୟାନଟି ରାସ୍ତା କଡ଼ରେ ଛିଡାହୋଇଥିଲା । ଫଳରେ ଏଥିରୁ କିଛି ଲୋକ ବାହାରେ ରହିଥିଲେ ଆଉ କିଛି ଗାଡିରେ ବସିଥିଲେ । ଠିକ୍ ଏହି ସମୟରେ ହଠାତ୍ ଏକ ଦ୍ରୁତଗାମୀ ଡମ୍ପର ଆସି ପିକଅପ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କର ଜୀବନ ଚାଲିଯାଇଥିଲା, ସେହିପରି ଅନ୍ୟ ୨ ଜଣ ପରେ ଜୀବନ ହାରିଥିଲେ । ଅନ୍ୟ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

ଦୁଘର୍ଟଣା ପରେ ସ୍ଥାନୀୟ ଲୋକ ରାସ୍ତା ଜାମ୍ କରିଥିଲେ । ଏମାନେ ବାହାଘରରୁ ଫେରୁଥିଲେ । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ଏହି ଘଟଣାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିଜନଙ୍କୁ ୪-୪ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୧-୧ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତଙ୍କୁ ୫୦-୫୦ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି ।












Click it and Unblock the Notifications