ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଏମଭିରେ ଫାଟ!, ସଞ୍ଜୟ କହିଲେ....
ପୁଣେ : ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ଶେଷ ହୋଇଛି। ଆଉ ବର୍ତ୍ତମାନ ସମସ୍ତଙ୍କ ନଜର ନିର୍ବାଚନ ଫଳାଫଳ ଉପରେ ରହିଛି। ଏହା ପୂର୍ବରୁ ପ୍ରକାଶ ପାଇଛି ବିଭିନ୍ନ ଏଜେନ୍ସି ସଂସ୍ଥାର ଏକଜିଟ ପୋଲ । ନିର୍ବାଚନ ଶେଷ ହେବାର ଗୋଟିଏ ଦିନ ପରେ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି ଆରୋପ ପ୍ରତ୍ୟାରୋପ । ରାଜ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ନେତା ନାନା ପାଟୋଲ ଏବଂ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଆରମ୍ଭ ହୋଇଛି। ଯଦିଓ ମହାବିକାଶ ଅଗାଡି (ଏମ୍ଭିଏ) ରାଜ୍ୟରେ ସରକାର ଗଠନ କରିବାକୁ ଦାବି କରୁଛି, କିନ୍ତୁ ଫଳାଫଳ ପୂର୍ବରୁ ମଧ୍ୟ ଏମଭିଏରେ ମତଭେଦ ଦେଖାଦେଇଛି।
ଭୋଟ ଶେଷ ହେବା ପରେ, ଏକଜିଟ ପୋଲର ଫଳାଫଳ ଆସିଥିଲା, ଅଧିକାଂଶ ଏକଜିଟ ପୋଲରେ ବିଜେପି ନେତୃତ୍ୱାଧୀନ ମହାୟୁତି ସହଯୋଗୀ ଦଳ ସରକାର ଗଠନ କରିବେ ବୋଲି ପୂର୍ବାନୁମାନ କରାଯାଇଥିଲା। ଏକଜିଟ ପୋଲ ଫଳାଫଳ ପରେ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ କହିଛନ୍ତି, କଂଗ୍ରେସ ନେତୃତ୍ୱରେ ମହାରାଷ୍ଟ୍ରରେ ମହା ବିକାଶ ଆଗଡି (ଏମଭିଏ) ସରକାର ଗଠନ ହେବ।
ସଞ୍ଜୟ ରାଉତ ତୁରନ୍ତ ଏହି ବିବୃତ୍ତିକୁ ଖାରଜ କରିଛନ୍ତି। ସେ କହିଛନ୍ତି, ମୁଁ ଏହାକୁ ଗ୍ରହଣ କରିବି ନାହିଁ ଏବଂ କେହି ଏହାକୁ ଗ୍ରହଣ କରିବେ ନାହିଁ। ନାନା ପାଟୋଲେଙ୍କ ନିକଟରେ କଂଗ୍ରେସରେ କମାଣ୍ଡ ଅଛି କି ନାହିଁ ସେ ପ୍ରଥମେ କୁହନ୍ତୁ। ସଞ୍ଜୟ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସର ବରିଷ୍ଠ ଅଧିକାରୀଙ୍କଠାରୁ ଏଭଳି ଘୋଷଣା ଆସିବା ଆବଶ୍ୟକ। କଂଗ୍ରେସ ହାଇକମାଣ୍ଡ କହିଛି ଯେ, ଯଦି ଆପଣ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି, ତେବେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ସୋନିଆ ଗାନ୍ଧୀ ଏହାକୁ ଘୋଷଣା କରିବା ଉଚିତ୍।

ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଆସନ ବଣ୍ଟନ ନେଇ ଦୁଇ ଦଳ ମଧ୍ୟରେ ମତଭେଦ ରହିଥିଲା। ବ୍ୟାପକ ଆଲୋଚନା ପରେ ସହମତି ହାସଲ କରିବା ସତ୍ତ୍ୱେ, ଏମ୍ଭିଏ ସହଯୋଗୀମାନେ ନେତୃତ୍ୱ ପ୍ରଶ୍ନର ସମାଧାନ କରି ନ ଥିଲେ। ସୁଚନାଯୋଗ୍ୟ ଯେ, ଗତକାଲି ଗୋଟିଏ ପର୍ଯ୍ୟାୟରେ ୨୮୮ଟି ଆସନରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଆଉ ଯାହାର ରେଜଲ୍ଟ ଆସନ୍ତା ୨୩ ତାରିଖ ଶନିବାର ଦିନ ପ୍ରକାଶ ପାଇବ ।












Click it and Unblock the Notifications