କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା: ମମତାଙ୍କ ଉପରେ ଏଭଳି ଅଭିଯୋଗ ଆଣିଲା ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରଏ
RG Kar rape and murder case:କୋଲକାତା ଆରଜି କର ମେଡିକାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ଏକମାତ୍ର ଅଭିଯୁକ୍ତ ସଞ୍ଜୟ ରଏ କୋର୍ଟରେ ପ୍ରଥମ ଥର ଲାଗି କ୍ୟାମେରା ସାମ୍ନାରେ ନିଜର ମନ୍ତବ୍ୟ ରଖିଛି। ଏହି ସମୟରେ ସେ କହିଛି ଯେ, ସେ ସମ୍ପୂର୍ଣ୍ଣ ନିର୍ଦୋଷ। ଘଟଣାରେ ତା'ର ସମ୍ପୃକ୍ତି ନାହିଁ।
ତା'କୁ ଫସାଇ ଦିଆଯାଇଛି। କୋର୍ଟରେ ସଞ୍ଜୟ କହିଥିଲା, ସେ ଦୁଷ୍କର୍ମ ଏବଂ ହତ୍ୟା କରିନାହିଁ। ମମତା ସରକାର ତା'କୁ ଫସାଇ ଦେଇଛନ୍ତି। ତା'କୁ ଚୁପ ରହିବାକୁ ଧମକ ଦିଆଯାଇଛି। ସେ କାମ କରୁଥିବା ବିଭାଗ(କଲକାତା ପୁଲିସ) ତା'କୁ ଧମକ ଦେଇଛି ବୋଲି ସଞ୍ଜୟ କହିଥିଲା। ଆସନ୍ତା ନଭେମ୍ବର ୧୧ରୁ ପ୍ରତିଦିନ କୋର୍ଟରେ ଏହି ମାମଲାର ଶୁଣାଣି ହେବ। ମାମଲାର ତଦନ୍ତକାରୀ ସଂସ୍ଥା ସିବିଆଇ କୋର୍ଟରେ ଦାଖଲ କରିଥିବା ଚାର୍ଜଶିଟ୍ରେ ସଞ୍ଜୟ ରଏକୁ ପ୍ରକୃତ ଦୋଷୀ ବୋଲି ଦର୍ଶାଇଛି।
ଏହା ସହିତ ମାମଲାକୁ ଗଣଦୁଷ୍କର୍ମ ବଦଳରେ କେବଳ ଦୁଷ୍କର୍ମ ବୋଲି ସିବିଆଇ ଚାର୍ଜଶିଟ୍ରେ ଉଲ୍ଲେଖ କରିଛି। ପୀଡ଼ିତାଙ୍କ ଶରୀରରୁ ମିଳିଥିବା ସିମେନ ସଞ୍ଜୟର ସିମେନ ସହିତ ମେଳ ଖାଉଥିବା ରିପୋର୍ଟରେ କୁହାଯାଇଛି। ସୂଚନା ଯୋଗ୍ୟ ଯେ, ଅଗଷ୍ଟ ୯ ତାରିଖରେ କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ୩୧ ବର୍ଷୀୟ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା। ସେ ସେଠାରେ ଚେଷ୍ଟ ମେଡିସିନ ବିଭାଗର ପିଜି ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ।

ମେଡିକାଲ କଲେଜର ସେମିନାର ହଲରେ ତାଙ୍କର ମୃତ ଦେହ ମିଳିଥିଲା। ତେବେ ଏହି ଘଟଣାକୁ ପୋଲିସ ପ୍ରଥମେ ଆତ୍ମହତ୍ୟା ମାମଲା ଭାବେ ଗ୍ରହଣ କରିବାର ଅଭିଯୋଗ ହୋଇଥିଲା। ପରେ ବ୍ୟବଚ୍ଛେଦ ରିପୋର୍ଟରୁ ମହିଳା ଜଣଙ୍କ ସହ ପ୍ରଥମେ ଦୁଷ୍କର୍ମ କରାଯିବା ପରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା।
ଏହି ମାମଲାରେ ଏବେ ସିବିଆଇ ନିଜ ତଦନ୍ତ ଜାରି ରଖିଛି। ଆରଜି କର ମେଡିକାଲ କଲେଜର କିଛି ଡାକ୍ତର ଓ କର୍ମଚାରୀଙ୍କୁ ସିବିଆଇ ପକ୍ଷରୁ ପଚରାଉଚରା କରାଯାଇଛି।












Click it and Unblock the Notifications