ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ, ତାମିଲନାଡୁରେ ୯୭ ଲକ୍ଷ ଭୋଟର ବାଦ୍
ତାମିଲନାଡୁରେ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସଆଇଆର) କାର୍ଯ୍ୟ ଶେଷ ହୋଇଥିବାବେଳେ ଶୁକ୍ରବାର ଇସିଙ୍କ ତରଫରୁ ଚିଠା ଭୋଟର ତାଲିକା ପ୍ରକାଶ କରାଯାଇଛି। ତଦନୁଯାୟୀ ରାଜ୍ୟରେ ପ୍ରାୟ ୯୭ ଲକ୍ଷ ଭୋଟର ତାଲିକାରୁ ବାଦ ପଡିଥିବା ଜଣାପଡିଛି। ଫଳରେ ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ୫,୪୩,୭୬, ୭୫୫ରେ ପହଞ୍ଚିଛି। ତାମିଲନାଡୁର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ ୬୬ ଲକ୍ଷ ଭୋଟର ଅନ୍ୟତ୍ର ଚାଲିଯାଇଥିବାବେଳେ ୨୬.୯ ଲକ୍ଷ ଭୋଟର ଇତିମଧ୍ୟରେ ପ୍ରାଣ ହରାଇ ସାରିଛନ୍ତି। ୩.୯୮ ଲକ୍ଷ ଭୋଟରଙ୍କ ନାମ ଏକାଧିକ ସ୍ଥାନରେ ଦେଖିବାକୁ ମିଳିଛି। ତେଣୁ ଏମାନଙ୍କୁ ଭୋଟର ତାଲିକାରୁ ବାଦ ଦିଆଯାଇଛି। ରାଜ୍ୟର ୬,୪୧,୧୪,୫୮୭ ଭୋଟରଙ୍କ ମଧ୍ୟରୁ ୨୦୨୫ ଡିସେମ୍ବର ୧୯ ସୁଦ୍ଧା ୫,୪୩,୭୬,୭୫୫ ଏନୁମେରେସନ ଫର୍ମ ଦାଖଲ କରିଥିବା କୁହାଯାଇଛି। ଅପରପକ୍ଷରେ ରାଜଧାନୀ ଚେନ୍ନଇରେ ୧୪.୨୫ ଲକ୍ଷ ଭୋଟର ତାଲିକାରୁ ବାଦ ପଡିଛନ୍ତି। ପୂର୍ବରୁ ଚେନ୍ନଇରେ ଭୋଟରଙ୍କ ସଂଖ୍ୟା ୪୦.୪ ଲକ୍ଷ ଥିବାବେଳେ ଚିଠା ତାଲିକାରେ ଏହା ୨୫.୭୯ ଲକ୍ଷକୁ ହ୍ରାସ ପାଇଛି। କୋଏମ୍ବାଟୁରରେ ୬.୫ ଲକ୍ଷ ଭୋଟର ତାଲିକାରୁ ବାଦ ପଡିଥିବାବେଳେ କାଞ୍ଚିପୁରମରେ ୨.୭୪ ଲକ୍ଷ ଏବଂ କରୁର୍ରେ ୭୯,୬୯୦ ଭୋଟରଙ୍କୁ ଅନୁରୂପ ଦଶା ଭୋଗିବାକୁ ପଡିଛି।

ଅପରପକ୍ଷରେ ଗୁଜରାଟରେ ୭୩.୭ ଲକ୍ଷ ଭୋଟର ତାଲିକାରୁ ବାଦ ପଡିଥିବା ଜଣାପଡିଛି। ଶୁକ୍ରବାର ଇସିଙ୍କ ପକ୍ଷରୁ ଜାରି କରାଯାଇଥିବା ଚିଠା ତାଲିକା ଅନୁଯାୟୀ ୫୧.୮୬ ଲକ୍ଷ ଭୋଟର ଅନ୍ୟତ୍ର ଚାଲିଯାଇଥିବାବେଳେ ୧୮.୦୭ ଲକ୍ଷ ଭୋଟରଙ୍କ ମୃତ୍ୟୁ ଘଟିସାରିଛି। ୩.୮୧ ଲକ୍ଷ ଭୋଟରଙ୍କ ନାମ ଏକାଧିକ ସ୍ଥାନରେ ରହିଥିବାରୁ ସେମାନଙ୍କୁ ଚିଠା ତାଲିକାରୁ ବାଦ ଦିଆଯାଇଛି। ଚିଠା ତାଲିକାରୁ ବାଦ ପଡିଥିବା ଭୋଟରମାନେ ଜାନୁଆରୀ ୧୮ ସୁଦ୍ଧା ପୁନଃ ଆବେଦନ କରିପାରିବେ ବୋଲି କୁୁହାଯାଇଛି। ସୂଚନାଯୋଗ୍ୟ ଇସିଙ୍କ ତରଫରୁ ପୂର୍ବରୁ ପଶ୍ଚିମବଙ୍ଗ, ରାଜସ୍ଥାନ, ଗୋଆ, ପୁଦୁଚେରୀ ଓ ଲାକ୍ଷାଦ୍ବୀପ ପାଇଁ ଚିଠା ତାଲିକା ଜାରି କରାଯାଇସାରିଛି।












Click it and Unblock the Notifications