ମୁଖ୍ୟମନ୍ତ୍ରୀ ଭାବେ ନାଁ ଘୋଷଣା ପରେ ସମସ୍ତଙ୍କୁ ଧନ୍ୟବାଦ ଦେଲେ ରେଖା ଗୁପ୍ତା
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେଲେ ରେଖା ଗୁପ୍ତା । ତେବେ ବହୁ କଳ୍ପନା ଜଳ୍ପନା ପରେ ଶେଷରେ ରେଖାଙ୍କ ନାଁରେ ବାଜିଛି ମୁଖ୍ୟମନ୍ତ୍ରୀ ମୋହର । ଆଉ ନାଁ ଘୋଷଣା ପରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ରେଖା । କହିଛନ୍ତି, ସବୁ ଦଳର ଆଶୀର୍ବାଦ । ମତେ ମୁଖ୍ୟମନ୍ତ୍ରୀ ପାଇଁ ଭରସା କରି ଦାୟିତ୍ବ ଦେଇଥିବାରୁ ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତୃତ୍ବ ଏବଂ ବିଧାୟକଙ୍କୁ ଅନେକ ଅନେକ ଧନ୍ୟବାଦ । ସାଲିମାରବାଗରୁ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ରେଖା । ଦିଲ୍ଲୀ ବିଜେପିର ମହାସଚିବ ଅଛନ୍ତି ।
ଏଥିସହ ବିଜେପି ମହିଳା ମୋର୍ଚ୍ଚାର ଉପାଧ୍ଯକ୍ଷ ବି ଅଛନ୍ତି । ଶାଲିମାର ବାଗ ବିଧାନସଭା ଆସନରେ ରେଖା ଗୁପ୍ତା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆପ୍ର ବନ୍ଦନା କୁମାରୀଙ୍କୁ ୨୯ ହଜାରରୁ ଅଧିକ ଭୋଟ୍ରେ ପରାସ୍ତ କରିଥିଲେ। ରେଖା ଗୁପ୍ତାଙ୍କୁ ୬୮,୨୦୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବନ୍ଦନା କୁମାରୀଙ୍କୁ ୩୮,୬୦୫ ଖଣ୍ଡ ଭୋଟ୍ ମିଳିଥିଲା। ସେହିପରି କଂଗ୍ରେସ ପ୍ରାର୍ଥୀ ପ୍ରବୀଣ ଜୈନଙ୍କୁ ମାତ୍ର ୪,୮୯୨ ଖଣ୍ଡ ଭୋଟ୍ ମିଳିଥିଲା।

୧୯୭୪ ମସିହାରେ ଜନ୍ମ ହୋଇଥିବା ରେଖା ଗୁପ୍ତା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ସାଧାରଣ ସଂପାଦକ ଓ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ସେ ୧୯୯୬ରୁ ୧୯୯୭ ପର୍ଯ୍ୟନ୍ତ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ସଭାପତି ରହିଥିଲେ। ୨୦୦୭ରେ ସେ ଉତ୍ତର ପୀତମପୁରାରୁ ଦିଲ୍ଲୀ କାଉନସିଲର ନିର୍ବାଚନ ଜିତିଥିଲେ। ୨୦୧୨ରେ ସେ ପୁଣି ଥରେ ସେଠାରୁ ଦିଲ୍ଲୀ କାଉନସିଲ ନିର୍ବାଚନ ଜିତିଥିଲେ। ସେ ଦକ୍ଷିଣ ଦିଲ୍ଲୀ ମହାନଗର ନିଗମ (ଏସ୍ଡିଏମ୍ସି)ର ମେୟର ମଧ୍ୟ ରହିଥିଲେ। ୨୦୨୨ରେ ଦଳ ତାଙ୍କୁ ଆପ୍ର ଶେଲୀ ଓବରାଇଙ୍କ ବିରୋଧରେ ମେୟର ପ୍ରାର୍ଥୀ କରିଥିଲା। ରେଖା ଗୁପ୍ତା ବିଜେପି ମହିଳା ମୋର୍ଚ୍ଚାର ଜାତୀୟ ଉପାଧ୍ୟକ୍ଷ ଅଛନ୍ତି। ସେ ପୂର୍ବରୁ ଦଳର ଦିଲ୍ଲୀ ଶାଖାର ମହାସଚିବ ମଧ୍ୟ ଥିଲେ।
ରେଖା ଗୁପ୍ତାଙ୍କୁ ଦଳ ମୁଖ୍ୟମନ୍ତ୍ରୀ କରିବା ପାଇଁ ଚୟନ କରିବା ପରେ ସେ ଦଳୀୟ ନେତୃତ୍ୱଙ୍କୁ ଧନ୍ୟବାଦ ଦେବା ସହିତ ନିଷ୍ଠା ଓ ସଚ୍ଚୋଟତାର ସହିତ ଦିଲ୍ଲୀବାସୀଙ୍କ ସେବା କରିବେ ବୋଲି ପ୍ରତିଜ୍ଞା ନେଉଛନ୍ତି ବୋଲି କହିଛନ୍ତି।












Click it and Unblock the Notifications