ବାତ୍ୟା ବିପର୍ଯ୍ୟୟ ପାଇଁ ରେଡ୍ ଆଲର୍ଟ, ୪୫ ହଜାର ଲୋକ ହେଲେଣି ସ୍ଥାନାନ୍ତର
ଗାନ୍ଧୀନଗର: ଆସନ୍ତାକାଲି ସନ୍ଧ୍ୟାରେ ଗୁଜୁରାଟର ସୌରାଷ୍ଟ୍ର ଏବଂ କଚ୍ଛ ଜିଲ୍ଲା ମଧ୍ୟଭାଗ ସହିତ ପାକିସ୍ଥାନ ଉପକୂଳବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବାତ୍ୟା ବିପର୍ଯ୍ୟୟ ଲ୍ୟାଣ୍ଡଫଲ୍ କରିବ ନେଇ ଅନୁମାନ କରାଯାଇଛି । ବର୍ତ୍ତମାନ ଏହି ଘୂର୍ଣ୍ଣିବାତ୍ୟା ପୋରବନ୍ଦରଠାରୁ ପ୍ରାୟ ୩୫୦ କିଲୋମିଟର ଦୂର ଦକ୍ଷିଣ-ପଶ୍ଚିମ ଦିଗରେ ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଉପରେ ରହିଛି ।
ଲ୍ୟାଣ୍ଡଫଲ ବେଳେ ବିପର୍ଯ୍ୟୟ ଅତି ଭୀଷଣ ବାତ୍ୟାର ରୂପରେ ରହିଥିବ। ତେଣୁ ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୫୦ କିମି ବେଗରେ ପବନ ବହିବ। ସେହିପରି ଅତିରୁ ଅତି ପ୍ରବଳ ବର୍ଷାର ମଧ୍ୟ ଆଶଙ୍କା ରହିଛି ।

ତେବେ ସ୍ଥିତିକୁ ଦୃଷ୍ଟିରେ ରଖି ଏଯାଏ ଗୁଜରାଟର ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାରୁ ୪୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ୧୮ଟି ଏନଡିଆରଏଫ ଟିମ ମୁତୟନ କରାଯାଇଥିବା ବେଳେ ୧୨ଟି ଷ୍ଟାଣ୍ଡବାଇରେ ରହିଛନ୍ତି। ଏଥିସହ ଏସଡିଆରଏଫ ଓ ବାୟୁସେନା ଠାରୁ ଆରମ୍ଭ କରି ତଟରକ୍ଷୀ ବାହିନୀ ମଧ୍ୟ ହାଇଆଲର୍ଟରେ ଅଛନ୍ତି ।
ସେହିପରି ବାତ୍ୟାକୁ ନେଇ ଭାରତୀୟ ପାଣିପାଗ ବିଭାଗ ସୌରାଷ୍ଟ୍ର ଏବଂ କଚ୍ଛ ଜିଲ୍ଲା ପାଇଁ ରେଡ ଆଲର୍ଟ ଜାରି କରିଛି । ଅଧିକାରୀଙ୍କ ଅନୁଯାୟୀ, ଅନେକ ଏନ୍ଡିଆର୍ଏଫ୍ ଏବଂ ଏସ୍ଡିଆର୍ଏଫ୍ ଦଳ ଷ୍ଟାଣ୍ଡବାଇରେ ଅଛନ୍ତି। ରିଲିଫ୍ କାର୍ଯ୍ୟରେ ସହାୟତା କରିବାକୁ ସେନା ମଧ୍ୟ ପ୍ରସ୍ତୁତ ରହିଛି। ଏବଂ ପ୍ରଶାସନିକ ଅଧିକାରୀଙ୍କ ସହିତ ମିଶି ସମସ୍ତ କାର୍ଯ୍ୟ କରୁଛି ।
ସ୍ଥିତିକୁ ଦୃଷ୍ଟିରେ ରଖି ଭୂଜ ଏୟାରପୋର୍ଟ ଟର୍ମିନାଲକୁ ଆସନ୍ତା ୧୬ ତାରିଖ ଯାଏ ବନ୍ଦ କରି ଦିଆଯାଇଛି। ପଶ୍ଚିମ ରେଳବାଇ ୬୯ଟି ଟ୍ରେନକୁ ବାତିଲ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କଚ୍ଛର ହସ୍ପିଟାଲଗୁଡ଼ିକୁ ଯାଇ ସେଠାକାର ସ୍ଥିତି ଯାଞ୍ଚ କରିଛନ୍ତି। ଅକ୍ସିଜେନ ଠାରୁ ଆରମ୍ଭ କରି ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ବେଡ୍ ମହଜୁଦ କରି ରଖିବାକୁ କୁହାଯାଇଛି।
ବାତ୍ୟା ବିପର୍ଯ୍ୟୟ ଗୁଜରାଟରା ଲ୍ୟାଣ୍ଡଫଲ କରିବା ପରେ ଦୁର୍ବଳ ହୋଇଯିବ। କିନ୍ତୁ ଏହାପରେ ରାଜସ୍ଥାନ, ପଞ୍ଜାବ, ହରିଆଣା, ନୂଆଦିଲ୍ଲୀ ଓ ଉତ୍ତରପ୍ରଦେଶରେ ଆସନ୍ତା ୪ ଦିନ ମଧ୍ୟରେ ବର୍ଷା ହେବ। ବାତ୍ୟା ବିପର୍ଯ୍ୟୟ ଅବପାତର ରୂପ ନେଇ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ରାଜସ୍ଥାନ ଉପରେ ଗତି କରିବ। ଏହାପରେ ଉତ୍ତରପୂର୍ବ ରାଜ୍ୟ ଆଡ଼କୁ ମୁହାଁଇବ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ପୂର୍ବାନୁମାନ କରିଛି।
ତେବେ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବାତ୍ୟା ସମୀକ୍ଷା ବୈଠକ କରି ସ୍ଥିତି ପରଖିଥିଲେ । ଲୋକଙ୍କୁ ତଳିଆ ଅଞ୍ଚଳରୁ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।












Click it and Unblock the Notifications