Ratan Tata: ପରଲୋକରେ ଶିଳ୍ପସମ୍ରାଟ ରତନ ଟାଟା, ସଂକ୍ଷେପରେ ତାଙ୍କ ବିଷୟରେ ଜାଣନ୍ତୁ
'ଟାଟା ଗ୍ରୁପ'ର ପୂର୍ବତନ ମୁଖ୍ୟ ରତନ ଟାଟାଙ୍କର ପରଲୋକ । ବୟସାଧିକ କାରଣରୁ ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିବା ରତନଙ୍କୁ କିଛିଦିନ ତଳେ ଦକ୍ଷିଣ ମୁମ୍ବାଇର ବ୍ରିଚ୍କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ତାଙ୍କ ମୃତ୍ୟୁକୁ ନେଇ ଗୁଜବ ସୃଷ୍ଟି ହେବାରୁ ରତନ ତାହାକୁ ବିଶ୍ୱାସ ନ କରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଥିଲେ। ବୁଧବାର ରତନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଇନ୍ଟେନ୍ସିଭ୍ କେୟାର ୟୁନିଟ୍ (ଆଇସିୟୁ)ରେ ଭର୍ତ୍ତି କରାଯିବା ପରେ ତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିଥିଲା। ତେବେ ବିଳମ୍ବିତ ରାତିରେ ତାଙ୍କ ପରଲୋକ ହୋଇଥିବା ଟାଟା ଗ୍ରୁପ୍ ପକ୍ଷରୁ ସୂଚନା ଦିଆଯାଇଛି।

ବମ୍ବେ ପ୍ରେସିଡେନ୍ସିରେ ହୋଇଥିଲା ଜନ୍ମ
1937 ରେ ତତ୍କାଳୀନ ବମ୍ବେ ପ୍ରେସିଡେନ୍ସି (ବର୍ତ୍ତମାନ ଗୁଜୁରାଟ) ଟାଟା ପରିବାରରେ ଜନ୍ମଗ୍ରହଣ କରିଥିଲେ ରତନ ଟାଟା । ବାପା ଥିଲେ ନାଭାଲ ଟାଟା । ବିଦେଶରେ ଶିକ୍ଷା ଗ୍ରହଣ କରିବା ପରେ ସେ 1962ରେ ପାରିପାରିବ ବ୍ୟବସାୟିକ କମ୍ପାନୀ ସହ ଯୋଡି ହୋଇଥିଲେ । ରତନ ଟାଟାଙ୍କ ନେତୃତ୍ବରେ ଟାଟା ସମୂହ ଏକାଧିକ କ୍ଷେତ୍ରରେ ନିଜ ବ୍ୟବସାୟିକ ନେଟଓ୍ବାର୍ତ ସଫଳତାର ସହ ବୃଦ୍ଧି କରିଥିଲା । ଟାଟା ଷ୍ଟିଲ ଓ ଟାଟା ମୋଟର୍ସ ନୂଆ ଉଚ୍ଚତାକୁ ଛୁଇଁଥିଲା । ଟାଟା ଷ୍ଟିଲ ଡିଭିଜନରେ ସେ କାମ ଆରମ୍ଭ କରିଥିଲେ । ପରେ 1977 ରେ ତାଙ୍କୁ ନ୍ୟାସନାଲ ରେଡିଓ ଓ ଇଲୋକ୍ଟ୍ରୋନିକ୍ସ କମ୍ପାନୀର ଦାୟିତ୍ବ ମିଳିଥିଲା । 1991ରେ ଜେ.ଆର.ଡି ଟାଟା 'ଟାଟା ସନ୍ସ'ର ମୁଖ୍ୟ ପଦରୁ ଅବ୍ୟାହତି ନେବା ସହ ରତ ଟାଟାଙ୍କୁ ତାଙ୍କ ବ୍ୟବସାୟିକ ଉତ୍ତରାଧିକାରୀ ଘୋଷଣା କରିଥିଲେ ।
'ଟାଟା-ଇଣ୍ଡିକା'ରୁ 'ଲ୍ୟାଣ୍ଡ-ରୋଭର' ପର୍ଯ୍ୟନ୍ତ
ଭାରତୀୟ ଅଟୋମୋବାଇଲ କ୍ଷେତ୍ରରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା 'ଟାଟା-ଇଣ୍ଡିକା' କାର ଥିଲା ରତନ ଟାଟାଙ୍କ ଡ୍ରିମ ପ୍ରୋଜେକ୍ଟ । ଏହା ଅଭୂତପୂର୍ବ ଲୋକପ୍ରିୟତା ହାସଲ କରିଥିଲା । ପରେ ସେ ବିଶ୍ବର ସବୁଠାରୁ ଶସ୍ତା କାରା 'ଟାଟା- ନାନୋ' ମଧ୍ୟ ବଜାରକୁ ଆଣି ରେକର୍ଡ କରିଥିଲେ । ଟାଟା ଷ୍ଟିଲ୍, ଟାଟା କନସଲଟାନ୍ସି, ଟାଟା ମୋଟର୍ସ, ଟାଟା ପାଓ୍ବାର, ଟାଟା ସଲ୍ଟ ପରି କମ୍ପାନୀ ମାଧ୍ୟମରେ ବିଶାଳ ବ୍ୟବସାୟିକ ନେଟଓ୍ବାର୍କ ଛିଡା କରିବା ସହ 'ଲ୍ୟାଣ୍ଡ-ରୋଭର' ଓ 'ଜାଗୁଆର' ପରି ୟୁରୋପୀୟ 'ଏସୟୁଭି' କାର କମ୍ପାନୀକୁ ଅଧିଗ୍ରହଣ କରିଥିଲା ରତନ ଟାଟାଙ୍କ 'ଟାଟା ସନ୍ସ' । ତାଙ୍କର କାର୍ଯ୍ୟକାଳ ସମୟରେ ଟାଟା ଗ୍ରୁପର ସମ୍ପତ୍ତି ପ୍ରାୟ 40 ଗୁଣା ବୃଦ୍ଧି ହୋଇଥିଲା ।
2012 ରେ ଜନ୍ମଦିନରେ ଅବସର ଇସ୍ତଫା ସହ ଘୋଷଣା କରିଥିଲେ ଉତ୍ତରାଧିକାରୀ-
ରତନ ଟାଟା ଅବିବାହିତ ଥିଲେ । 2012 ଡିସେମ୍ବର 28 ତାରିଖରେ ସେ ତାଙ୍କର 75ତମ ଜନ୍ମଦିନ ଅବସରରେ 'ଟାଟା ସମୂହ'ର ମୁଖ୍ୟ ଭାବେ ଇସ୍ତାଫା ଘୋଷଣା କରିବା ସହ ନିଜ ଉତ୍ତରାଧିକାରୀ ଭାବେ ସାଇରସ ମିସ୍ତ୍ରୀଙ୍କ ନାମ ଘୋଷଣା କରିଥିଲା । ମିସ୍ତ୍ରୀ ସେତେବେଳେ 'ସାପୋରଜୀ-ପାଲୋନଜୀ ଗ୍ରୁପ'ର ମୁଖ୍ୟ ଭାବେ କାମ କରୁଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଏହି ନିଷ୍ପତ୍ତି ଭିନ୍ନ ମୋଡ ନେଇଥିଲା । 2016 ରେ ସାଇରସ ମିସ୍ତ୍ରୀଙ୍କୁ ଟାଟା ସନ୍ସର ମୁଖ୍ୟ ପଦରୁ ହଟିବାକୁ ପଡିଥିଲା । ପୁଣି ଥରେ ରତନ ଟାଟା 'ଟାଟା ସନ୍ସ'ର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । 2017ରେ ସେ 'ଟାଟା ସନ୍ସ'ର ଅନ୍ତରୀଣ ଅଧ୍ୟକ୍ଷ ପଦରୁ ଇସ୍ତାଫା ଦେବା ସହ ନଟରାଜନ ଚନ୍ଦ୍ରଶେଖରନଙ୍କ ନାମ ସୁପାରିଶ କରିଥିଲେ । ଏବେ ଟାଟା ସନ୍ସର ଅଧ୍ୟକ୍ଷ ଭାବେ ନଟରାଜନ ହିଁ ଦାୟିତ୍ବରେ ଅଛନ୍ତି । ଅବସର ଗ୍ରହଣ କରିବା ପରେ ମଧ୍ୟ ଟାଟା ବ୍ୟବସାୟ ଜଗତ ସହ ଯୋଡି ହୋଇ ରହିଥିଲେ ।
ସଫଳତା ଓ ସମ୍ମାନ
ରତନ ଟାଟା ବିଶ୍ବର ବିଭିନ୍ନ ଦେଶର ଏକାଧିକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଓ ସରକାରଙ୍କ ପକ୍ଷରୁ ସମ୍ମାନିତ ହୋଇଛନ୍ତି । 2007ରେ ସେ 'ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସ ଆଣ୍ଡ ପଲିଟିକାଲ ସାଇନ୍ସ'ର ସମ୍ମାନଜନକ ଫେଲୋସିପ୍ ଗ୍ରହଣ କରିଥିଲେ । 2010 ରେ 'ଓସଲୋ ବିଜିନେସ ପିସ ଆଓ୍ବାର୍ଡ' ଓ 2014ରେ ସମ୍ମାନଜନକ 'ନାଇଟ୍ ଗ୍ରାଣ୍ଡ୍ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ବ୍ରିଟିଶ୍ ଏମ୍ପାୟାର' ଏବଂ ଫ୍ରାନ୍ସ ସରକାରଙ୍କ ଦ୍ୱାରା 'କମାଣ୍ଡର ଅଫ୍ ଲେଜିଅନ୍ ଅଫ୍ ହନର' ରେ ତାଙ୍କୁ ସମ୍ମାନିତ କରାଯାଇଥିଲା ।
ସମାଜସେବା କ୍ଷେତ୍ରରେ ଥିଲା ଭିନ୍ନ ରୁଚି:-
ବିଶାଳ ବ୍ୟବସାୟିକ ସାମ୍ରାଜ୍ୟର ମୁଖ୍ୟ ହୋଇ ମଧ୍ୟ ତାଙ୍କର ଜୀବନଶୈଳୀ ଥିଲା ବେଶ ସାଧାସିଧା, ସରଳ ଓ ନିରାଡମ୍ବର । ଟାଟା ଗ୍ରୁପ ବିଭିନ୍ନ କମ୍ପାନୀ ଓ ସଂସ୍ଥା ନିକଟରେ ମୋଟ 30 ଲକ୍ଷ କୋଟିର ସମ୍ପତ୍ତି ଥିବା ବେଳେ ଏହାର ମୁଖ୍ୟ ରତନ ଟାଟାଙ୍କ ନିକଟରେ ବ୍ୟକ୍ତିଗତ ସମ୍ପତ୍ତି 3 ହଜାର 8 ଶହ କୋଟି ଥିଲା । ଏହି ତଥ୍ୟ ପ୍ରକାଶ ପାଇବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା । ଏହାର କାରଣ ଥିଲା, ଟାଟା କେବଳ ବ୍ୟବସାୟିକ ଲାଭଖୋର ମନୋବୃତ୍ତି କିମ୍ବା ପ୍ରତିଯୋଗିତାରେ ବିଶ୍ବାସ କରୁନଥିଲେ । ଭାରତୀୟ ସମାଜର ଆର୍ଥନୈତିକ ଉତ୍ଥାନ ପାଇଁ ତାଙ୍କର ଏକ ଲମ୍ବା ଭିଜନ ଥିଲା । 'ଟାଟା ଗ୍ରୁପ' ଅଧୀନରେ ପରିଚାଳିତ ଟାଟା ଟ୍ରଷ୍ଟକୁ ନିଜ ଆୟର 66 ପ୍ରତିଶତ ଦାନ କରୁଥିଲେ ରତନ ଟାଟା । ଶିକ୍ଷା, ସ୍ବାସ୍ଥ୍ୟ ଓ ବିଭିନ୍ନ ସମ୍ବଦନଶୀଳ ବର୍ଗର ଆର୍ଥନୈତିକ ଉନ୍ନତି ପାଇଁ ଏହି ଟ୍ରଷ୍ଟ କାମ କରୁଛି ।
ପଦ୍ମବିଭୂଷଣରେ ସମ୍ମାନିତ କରିଛନ୍ତି ଭାରତ ସରକାର:-
ଭାରତୀୟ ଶିଳ୍ପ ଜଗତରେ ଅତୂଳନୀୟ ଅବଦାନ ପାଇଁ ଟାଟାଙ୍କୁ ପ୍ରଥମେ 2000 ମସିହାରେ 'ପଦ୍ମଭୂଷଣ' ଓ ପରେ 2008 ମସିହାରେ ଦେଶର ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ 'ପଦ୍ମବିଭୂଷଣ'ରେ ସମ୍ମାନିତ କରିଥିଲେ ଭାରତ ସରକାର । ତାଙ୍କୁ ମହାରାଷ୍ଟ୍ର ସରକାର ମଧ୍ୟ 'ମହାରାଷ୍ଟ୍ର ଭୂଷଣ' ସମ୍ମାନରେ ସମ୍ମାନିତ କରିଥିଲେ । ଏହା ସହ ତାଙ୍କୁ ବିଭିନ୍ନ ଜାତୀୟ ଶିକ୍ଷାନୁଷ୍ଠାନ ଓ ବିଶ୍ବବିଦ୍ୟାଳୟଗୁଡିକ ମଧ୍ୟ ସମ୍ମାନଜନକ ଉପାଧି ଓ ଡିଗ୍ରୀରେ ସମ୍ମାନିତ କରିଛନ୍ତି ।












Click it and Unblock the Notifications