ଆଜି ସନ୍ଧ୍ୟା ଆକାଶରେ ଦେଖିବାକୁ ମିଳିବ ବିରଳ ଗ୍ରହୀୟ ପରେଡ୍, ଦେଖିବାର ସୁଯୋଗ ପାଇବେ ଭାରତବାସୀ
ଆଜି ସନ୍ଧ୍ୟା ଆକାଶରେ ଦେଖିବାକୁ ମିଳିବ ବିରଳ ଗ୍ରହୀୟ ପରେଡ୍। ୬ ଗ୍ରହଙ୍କର ଦୁର୍ଲଭ ଅବସ୍ଥିତିକୁ ଦେଖିବାର ସୁଯୋଗ ପାଇବେ ଭାରତବାସୀ । ଆଜି ସୂର୍ଯ୍ୟାସ୍ତ ପରେ ଆକାଶରେ ବୁଧ, ଶୁକ୍ର, ବୃହସ୍ପତି, ଶନି, ୟୁରାନସ୍ ଓ ନେପ୍ଚୁନ ଗୋଟିଏ ଧାଡ଼ିରେ ଦୃଶ୍ୟମାନ ହେବେ, ଯାହା ଏକ ଚମତ୍କାର ଓ ସ୍ମରଣୀୟ ମହାଜାଗତିକ ଦୃଶ୍ୟ ହେବ। ଆମେରିକୀୟ ମହାକାଶ ଏଜେନ୍ସି ନାସା ଆଲୋକପାତ କରିଥିବା ଏହି ଘଟଣା ଆମ ରହସ୍ୟମୟ ସୌରମଣ୍ଡଳକୁ ଦେଖିବାର ଏକ ସର୍ବୋକୃଷ୍ଟ ସୁଯୋଗ ପ୍ରଦାନ କରିବ ।

ଭାରତର କେତେକ କ୍ଷେତ୍ରରେ ଲୋକେ ଅନ୍ୟମାନଙ୍କ ତୁଳନାରେ ଏହି ବ୍ରହ୍ମାଣ୍ଡୀୟ ଚମତ୍କାରକୁ ଭଲରେ ଅବଲୋକନ କରିପାରିବେ । ଆକାଶ ସ୍ୱଚ୍ଛ ରହିଲେ, ଭାରତର ପ୍ରାୟ ପ୍ରତ୍ୟେକ ସ୍ଥାନରେ ୬ ଗ୍ରହଙ୍କର ଏହି ବିରଳ ପରେଡ୍ ଦୃଶ୍ୟମାନ ହେବ । ପଶ୍ଚିମ ଦିଗ୍ବଳୟ ଆଡ଼କୁ ଏହି ଦୃଶ୍ୟ ଦେଖାଯିବ । ଦିଲ୍ଲୀ, ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ ଓ ଚେନ୍ନାଇ ଭଳି ମେଟ୍ରୋ ସିଟି ବାସିନ୍ଦା ଛାତ ଉପରୁ କିମ୍ବା ଖୋଲା ପଡ଼ିଆରେ ଏହି ଉଜ୍ଜ୍ୱଳ ଗ୍ରହଙ୍କୁ ସହଜରେ ଦେଖିପାରିବେ । ଗାଢ୍ ଅନ୍ଧକାରମୟ ଆକାଶ ଏହି ଦୃଶ୍ୟକୁ ଆହୁରି ସ୍ପଷ୍ଟ କରିବ, ବିଶେଷକରି ୟୁରାନସ୍ ଓ ନେପ୍ଚୁନ୍ ଭଳି ଦୁର୍ବଳ ଗ୍ରହକୁ ଭଲରେ ଦେଖିହେବ । ଏଥିପାଇଁ କମ୍ ଆଲୋକ ପ୍ରଦୂଷଣଯୁକ୍ତ ସ୍ଥାନକୁ ଯିବାକୁ ପଡ଼ିବ । ଲଦାଖ, ରାଜସ୍ଥାନର ଗ୍ରାମାଞ୍ଚଳ, ମଧ୍ୟପ୍ରଦେଶ, ତାମିଲନାଡୁର ତଟୀୟ କ୍ଷେତ୍ର କିମ୍ବା ଚେନ୍ନାଇ ନିକଟସ୍ଥ ଜୱାଧୁ ପାହାଡ଼ ଭଳି ପ୍ରମୁଖ ସହର ନିକଟରେ ଥିବା ପାହାଡ଼ରୁ ଏହି ଦୃଶ୍ୟର ଆନନ୍ଦ ଉଠାଇହେବ । ଏପରିକି ସହରାଞ୍ଚଳରେ ମଧ୍ୟ ରାତିରେ ଶୁକ୍ର ଓ ବୃହସ୍ପତିକୁ ଦେଖିହେବ ।
ଗ୍ରହୀୟ ପରେଡ୍ ଦେଖିବାର ସର୍ବୋତ୍କୃଷ୍ଟ ସମୟ
ଏହି ଗ୍ରହୀୟ ପରେଡ୍ ଦେଖିବାର ସର୍ବୋତ୍କୃଷ୍ଟ ସମୟ ସୂର୍ଯ୍ୟାସ୍ତର ୩୦-୪୫ ମିନିଟ୍ ପରେ ଅର୍ଥାତ୍ ୬.୧୫ରୁ ୮ଟା ମଧ୍ୟରେ । ପ୍ରଥମେ ପଶ୍ଚିମ ଦିଗକୁ ଦେଖିଲେ, ଦିଗ୍ବଳୟର ନିମ୍ନରେ ଶୁକ୍ର ଗ୍ରହ ଏକ ଉଜ୍ଜ୍ୱଳ ମଣି ଭଳି ଚିକ୍ମିକ୍ କରୁଥିବ । ତା' ପାଖରେ ଥିବ ବୁଧ ଗ୍ରହ । ମିଞ୍ଜିମିଞ୍ଜି ଆଲୋକ ଯୋଗୁ ପରବର୍ତ୍ତୀ ଗ୍ରହଙ୍କୁ ଦେଖିବା ଟିକିଏ ଜଟିଳ ହେବ । ଶନି ଟିକିଏ ଉପରେ ଅବସ୍ଥାନ କରିବ । ଅନ୍ୟପକ୍ଷେ, ବୃହସ୍ପତି ପ୍ରାୟତଃ ଦକ୍ଷିଣ କିମ୍ବା ଦକ୍ଷିଣପୂର୍ବ ଆଡ଼କୁ ଓରିଅନ୍ କିମ୍ବା ଜେମିନି ତାରାମଣ୍ଡଳ ନିକଟରେ ରହି ଖୁବ୍ ଉଚ୍ଚରେ ଚିକ୍ମିକ୍ କରିବ । ବୁଧ, ଶୁକ୍ର, ବୃହସ୍ପତି ଓ ଶନି ଗ୍ରହ ଖାଲି ଆଖିରେ ଦୃଶ୍ୟମାନ ହେବେ । ୟୁରାନସ୍ ଓ ନେପ୍ଚୁନ୍କୁ ବାଇନୋକୁଲାର କିମ୍ବା ଛୋଟ ଟେଲିସ୍କୋପ୍ରେ ଦେଖିହେବ । ଏହି ବିରଳ ଗ୍ରହୀୟ ସ୍ଥିତିକୁ ଜାଣିବା ପାଇଁ ନାସାର ଚନ୍ଦ୍ର ଏକ୍ସ-ରେ ଅବ୍ଜର୍ଭେଟୋରୀ ବୃହସ୍ପତି, ଶନି ଓ ୟୁରାନସ୍ ପାଇଁ ୩ ନୂଆ ସୋନିଫିକେସନ୍, ଅର୍ଥାତ୍ ନକ୍ଷତ୍ରବିଜ୍ଞାନ ତଥ୍ୟକୁ ସ୍ୱରରେ ରୂପାନ୍ତରିତ କରି ଜାରି କରିଛି ।












Click it and Unblock the Notifications