କେନ୍ଦ୍ର ସରକାରଙ୍କ କଡା ନିର୍ଦ୍ଦେଶ: ବାତ୍ୟାରେ ସ୍ଥାନାନ୍ତରିତ ଲୋକଙ୍କ ହେବ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ
ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆକଳନ ଅନୁସାର ଏହା କାଲି ସୁଦ୍ଧା ଅବପାତର ରୂପ ନେଇ ୨୪ ତାରିଖ ସୁଦ୍ଧା ବାତ୍ୟାରେ ପରିଣତ ହେବ । ବାତ୍ୟାର ରୂପ ନେଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ଉତ୍ତର ଓଡ଼ିଶା-ସୁନ୍ଦରବନ ଅଞ୍ଚଳରେ ୨୬ ତାରି
ନୂଆଦିଲ୍ଲୀ: ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆକଳନ ଅନୁସାର ଏହା କାଲି ସୁଦ୍ଧା ଅବପାତର ରୂପ ନେଇ ୨୪ ତାରିଖ ସୁଦ୍ଧା ବାତ୍ୟାରେ ପରିଣତ ହେବ । ବାତ୍ୟାର ରୂପ ନେଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ଉତ୍ତର ଓଡ଼ିଶା-ସୁନ୍ଦରବନ ଅଞ୍ଚଳରେ ୨୬ ତାରିଖରେ ଲ୍ୟାଣ୍ଡଫଲ୍ ସମ୍ଭାବନା ରହିଛି ।

ବିଶେଷ କରି ଉପକୂଳବର୍ତ୍ତୀ ଅଞ୍ଚଳ ଯେପରିକି ଆଣ୍ଡାମାନ ନିକୋବର, ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ପ୍ରଶାସନଙ୍କୁ ଜରୁରୀ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସଚିବ ରାଜେଶ ଭୂଷଣ ଏହି ସବୁ ରାଜ୍ୟକୁ ଚିଠି କରିଛନ୍ତି । ଲଘୁଚାପ ଏବଂ ବାତ୍ୟା ମୁକାବିଲା ସମ୍ପର୍କିତ ସମସ୍ତ ଜରୁରୀ କାଳୀନ ବିଭାଗକୁ କ୍ରିୟାଶୀଳ କରିବାକୁ କୁହାଯାଇଛି । ଖାସ୍ କରି ସ୍ୱାସ୍ଥ୍ୟ ବିଭାଗ, ଏମର୍ଜେନ୍ସି ଅପରେସନ କେନ୍ଦ୍ର ଓ କଣ୍ଟ୍ରୋଲ ରୁମ୍କୁ ସମୟ ଅନୁସାରେ ଆକ୍ଟିଭ୍ ରହିବାକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସ୍ଥାନାନ୍ତରିତ ହେବାକୁ ଯାଉଥିବା ଲୋକମାନଙ୍କର ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା କରିବା ପାଇଁ ମଧ୍ୟ କୁହାଯାଇଛି ।
ଏଥିସହିତ ହସ୍ପିଟାଲ ଗୁଡିକର ଜରୁରୀକାଳୀନ ବିଭାଗ ଗୁଡିକର ସମୀକ୍ଷା କରିବାକୁ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି । ପ୍ରଥମତଃ ନିରାପଦ ସ୍ଥାନ ଏବଂ ବଡ ବଡ ହସ୍ପିଟାଲ ଗୁଡିକୁ ଆଗତୁରା ସ୍ଥାନାନ୍ତରୀକରଣ କରାଯିବା ଦରକାର । ତେଣୁ ସେହି ସବୁ ସ୍ଥାନରେ ସବୁ ପ୍ରକାରର ବିପର୍ଯ୍ୟୟକାଳୀନ ବ୍ୟବସ୍ଥା ରହିଥିବା ଦରକାର ବୋଲି କେନ୍ଦ୍ର କହିଛି । ସମ୍ଭାବ୍ୟ ବାତ୍ୟା କାରଣରୁ ପରିବହନ ସେବା ବ୍ୟାହତ ହେବା ଆଶଙ୍କାକୁ ଦୃଷ୍ଟିରେ ରଖି ଅତ୍ୟାବଶ୍ୟକ ଔଷଧ, ଓଆର୍ଏସ୍, କ୍ଲୋରାଇନ୍ ଟାବ୍ଲେଟ୍, ବ୍ଲିଚିଂ ପାଉଡର ଭଳି ଜିନିଷକୁ ମହଜୁଦ ରଖିବାକୁ ରାଜ୍ୟମାନଙ୍କୁ ଅବଗତ କରାଯାଇଛି ।












Click it and Unblock the Notifications