ରାମ ମନ୍ଦିର ଛାତରୁ ପାଣି ଲିକ୍ ଘଟଣାରେ ସ୍ପଷ୍ଟିକରଣ ଦେଲା ମନ୍ଦିର ଟ୍ରଷ୍ଟ
ଅଯୋଧ୍ୟା: ଅଯୋଧ୍ୟା ରାମମନ୍ଦିରରେ ପାଣି ଲିକ୍ ଖବର ପରେ ବୁଧବାର ଟ୍ରଷ୍ଟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସୋସିଆଲ ମିଡିଆ 'ଏକ୍ସ'ରେ ସ୍ପଷ୍ଟୀକରଣ ଦିଆଯାଇଛି । ରାମ ମନ୍ଦିର ଗର୍ଭଗୃହରେ ଟୋପାଏ ବି ପାଣି ପଡ଼ିନି ବୋଲି କହିଲା ଟ୍ରଷ୍ଟ । ଏନେଇ ଏକ୍ସରେ ଏକ ପୋଷ୍ଟ କରି ସୂଚନା ଦେଇଛି ଟ୍ରଷ୍ଟ ।
ଟ୍ରଷ୍ଟର ସୁଚନାନୁସାରେ ଅଯୋଧ୍ୟା ରାମମନ୍ଦିରରେ ରାମଲାଲା ବିରାଜ ସ୍ଥଳରେ ପାଣି ପଡ଼ିନି କି ମନ୍ଦିର ଭିତରକୁ ପାଣି ଟୋପାଟେ ଆସିନି । ମନ୍ଦିର ପରକୋଟାରେ ବର୍ଷାଜଳ ନିଷ୍କାସନ ପାଇଁ ଉତ୍ତମ ବ୍ୟବସ୍ଥା ହୋଇଛି ବୋଲି କହିଛି ଟ୍ରଷ୍ଟ । ରାମ ମନ୍ଦିର ଛାତ ଲିକ୍ ହୋଇ ପାଣି ଝରିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନ୍ରିପେନ୍ଦ୍ର ମିଶ୍ରା ।

ମିଶ୍ରା କହିଛନ୍ତି ଯେ, ମନ୍ଦିର ଛାତରୁ କୌଣସି ଲିକ୍ ହୋଇ ନାହିଁ । ବିଦ୍ୟୁତ୍ ତାର ଲଗାଇବା ପାଇଁ ଯେଉଁ ସ୍ଥାନ ଖାଲି ଛଡାଯାଇଛି, ସେହିଥିରୁ ପାଣି ଲିକ୍ ହୋଇ ମନ୍ଦିର ଭିତରେ ପଡ଼ିଥିଲା । ମୁଁ ନିଜେ ମନ୍ଦିର ନିର୍ମାଣ କାର୍ଯ୍ୟ ଯାଞ୍ଚ କରିସାରିଛି । ବର୍ତ୍ତମାନ ଦ୍ୱିତୀୟ ମହଲା ନିର୍ମାଣାଧୀନ ଅଛି । ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବା ପରେ ବର୍ଷା ଜଳ ମନ୍ଦିରକୁ କୌଣସି ପ୍ରକାର ପ୍ରବେଶ କରିପାରିବ ନାହିଁ ବୋଲି ମିଶ୍ରା କହିଛନ୍ତି ।
ସୂଚନା ଅନୁସାରେ ଗତ ସୋମବାର ମଧ୍ୟରାତ୍ରୀରେ ପ୍ରବଳ ବର୍ଷା କାରଣରୁ ମନ୍ଦିରରେ ପାଣି ଲିକ୍ କରିଥିବା ଅଭିଯୋଗ କରିଥିଲେ ରାମ ଜନ୍ମଭୂମି ଟେମ୍ପଲ୍ ଟ୍ରଷ୍ଟର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ । ଏଥିସହ ମନ୍ଦିର ପରିସରରୁ ବର୍ଷା ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନଥିବା ସେ ଅଭିଯୋଗ କରିଥିଲେ ଆଚାର୍ଯ୍ୟ ଦାସ । ଏଥିସହ ମନ୍ଦିର କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ଏହି ଖବର ପ୍ରସାରଣ ହେବା ପରେ ବର୍ତ୍ତମାନ କମିଟି ଅଧ୍ୟକ୍ଷ ସ୍ପଷ୍ଟିକରଣ ଦେଇଛନ୍ତି ।












Click it and Unblock the Notifications