ରାମ ଜନ୍ମଭୂମି ମାମଲାରେ ଐତିହାସିକ ରାୟ ଶୁଣାଇଥିବା ୫ ଜଣ ବିଚାରପତିଙ୍କୁ ମିଳିଲା ନିମନ୍ତ୍ରଣ
ନୂଆଦିଲ୍ଲୀ: ରାମ ଜନ୍ମ ଭୁମି ମାମଲାରେଐତିହାସିକ ରାୟ ଦେଇଥିବା ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚର ପାଞ୍ଚଜଣ ବିଚାରପତିଙ୍କୁ (ଜାନୁଆରୀ ୨୨) ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନିମନ୍ତ୍ରଣ କରାଯାଇଛି । ଏହି ସମସ୍ତ ବିଚାରପତିଙ୍କୁ ରାମ ମନ୍ଦିରର ସମର୍ପଣ ସମାରୋହ ପାଇଁ ରାଜ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି ।
ଏହା ବ୍ୟତୀତ ପୂର୍ବତନ ପ୍ରଧାନ ବିଚାରପତି, ଏବଂ ବରିଷ୍ଠ ଆଇନଜୀବୀଙ୍କ ସମେତ ୫୦ ରୁ ଅଧିକ ଆଇନଜୀବୀଙ୍କୁ ନିମନ୍ତ୍ରଣ ପଠାଯାଇଛି । ନିମନ୍ତ୍ରଣ ତାଲିକାରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏବଂ ପୂର୍ବତନ ଆଟର୍ଣ୍ଣି ଜେନେରାଲ କେ.କେ ଭେନୁଗୋପାଲ ମଧ୍ୟ ସାମିଲ ଅଛନ୍ତି ।
ସୁପ୍ରିମକୋର୍ଟର ୫ ଜଣ ବିଚାରପତିଙ୍କ ନେଇ ଗଠିତ ଏକ ସମ୍ବିଧାନିକ ବେଞ୍ଚ ଅଯୋଧ୍ୟା ବିବାଦ ଉପରେ ସର୍ବସମ୍ମତରେ ନିଷ୍ପତ୍ତି ନେଇଥିଲେ । ଏହି ନିଷ୍ପତ୍ତି ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ରାସ୍ତା ସଫା ହୋଇଥିଲା । ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ପ୍ରକାଶ ପାଇଥିବା ଭିଆଇପି ଅତିଥି ତାଲିକାରେ ପାଞ୍ଚଜଣ ବିଚାରପତିଙ୍କ ନାମ ଅନ୍ତର୍ଭୁକ୍ତ ହୋଇଛି ।

ଏହି ପାଞ୍ଚ ଜଣ ବିଚାରପତି ହେଉଛନ୍ତି ରଂଜନ ଗୋଗୋଇ, ଶରଦ ଅରବିନ୍ଦ ବାୱଡେ, ଡି.ୱାଇ ଚନ୍ଦ୍ରଚୁଡ, ଅଶୋକ ଭୂଷଣ, ଏସ. ଅବଦୁଲ ନାଜିର । କହିରଖୁଛୁ ଯେ ଜଷ୍ଟିସ୍ ଗୋଗୋଇ ସେହି ସମୟରେ ପ୍ରଧାନ ବିଚାରପତି ଥିଲେ । ଜଷ୍ଟିସ୍ ରଂଜନ ଗୋଗୋଇ ୧୭ ନଭେମ୍ବର ୨୦୧୯ ରେ ସୁପ୍ରିମକୋର୍ଟରୁ ସିଜେଆଇ ପଦରୁ ଅବସର ନେଇଥିଲେ । ଅବସରର ଚାରିମାସ ପରେ ରାଷ୍ଟ୍ରପତି ତାଙ୍କୁ ରାଜ୍ୟସଭା ସାଂସଦ ଭାବେ ମନୋନୀତ କରିଥିଲେ ।
ରାଜ୍ୟସଭାରେ ପହଞ୍ଚିବାରେ ସେ ତୃତୀୟ ବିଚାରପତି ହୋଇଥିଲେ ମଧ୍ୟ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଥମ ମନୋନୀତ ହୋଇଥିଲେ । ତାଙ୍କ ପୂର୍ବରୁ କଂଗ୍ରେସ ଦେଶର ୨୧ ତମ ପ୍ରଧାନ ବିଚାରପତି ରଙ୍ଗନାଥ ମିଶ୍ର (୧୯୯୦ ରୁ ୧୯୯୧) ରାଜ୍ୟସଭାକୁ ପଠାଇଥିଲା । ସେ ୧୯୯୮ ରୁ ୨୦୦୪ ପର୍ଯ୍ୟନ୍ତ ଉପର ଗୃହରେ ରହିଥିଲେ । ଏହାପୂର୍ବରୁ ଅବସର ଗ୍ରହଣ କରିବାର ୫ ମାସ ପରେ ଜଷ୍ଟିସ ବାହୁରୁଲ ଇସଲାମକୁ ରାଜ୍ୟସଭାକୁ ୧୯୮୩ ମସିହାରେ ପଠାଇଥିଲା କଂଗ୍ରେସ ।












Click it and Unblock the Notifications