Ram mandir: ପ୍ରଥମ ଦିନରେ ରାମଲାଲାଙ୍କୁ ଦର୍ଶନ କଲେ ୩ ଲକ୍ଷ ଶ୍ରଦ୍ଧାଳୁ
ଦୀର୍ଘ ୫୦୦ ବର୍ଷର ଅପେକ୍ଷା ଶେଷ ହୋଇଛି । ୨୨ ଜାନୁଆରୀ ଅଯୋଧ୍ୟାର ଭବ୍ୟ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ସୋମବାର ସମ୍ପନ୍ନ ହେବା ପରେ ମଙ୍ଗଳବାର ସର୍ବସାଧାରଣଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲାଯାଇଥିଲା। ପ୍ରଥମ ଦିନ ଅପରାହ୍ନ ସୁଦ୍ଧା ପାଖାପାଖି ୩ ଲକ୍ଷ ଭକ୍ତ ରାମଲାଲାଙ୍କୁ ଦର୍ଶନ କରିଥିବାବେଳେ ଆହୁରି ବହୁ ଭକ୍ତ ଲାଇନରେ ଅପେକ୍ଷା କରି ରହିଥିଲେ। ସୋମବାର ରାତି ୩ଟାରୁ ମନ୍ଦିର ମୁଖ୍ୟ ଗେଟ୍ ବାହାରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଲାଗିଥିଲା। କେବଳ ସ୍ଥାନୀୟ ଭକ୍ତ ନୁହନ୍ତି, ବିଭିନ୍ନ ରାଜ୍ୟ ଏପରିକି ବାହାର ଦେଶରୁ ମଧ୍ୟ ଶ୍ରଦ୍ଧାଳୁ ଭଗବାନ ରାମଙ୍କ ଦର୍ଶନ ପାଇଁ ଆସିଥିଲେ।

ନିରବଚ୍ଛିନ୍ନ ଦର୍ଶନ ଲାଗି ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ମନ୍ଦିର ପରିସରରେ ସ୍ଥାନୀୟ ପ୍ରଶାସନର ସର୍ବୋଚ୍ଚ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ସୁବିଧାରେ ଭକ୍ତଙ୍କୁ ଦର୍ଶନ କରାଇବା ପାଇଁ ୮,୦୦୦ରୁ ଊର୍ଦ୍ଧ୍ୱ ସୁରକ୍ଷା ଯବାନଙ୍କୁ ନିୟୋଜିତ କରାଯାଇଥିଲା। ଉତ୍ତରପ୍ରଦେଶର ପ୍ରମୁଖ ଗୃହ ସଚିବ ସଞ୍ଜୟ ପ୍ରସାଦ, ସ୍ବତନ୍ତ୍ର ଡିଜି (ଆଇନ ଶୃଙ୍ଖଳା) ପ୍ରଶାନ୍ତ କୁମାର ସ୍ଥିତି ଅନୁଧ୍ୟାନ ପାଇଁ ମନ୍ଦିର ପରିସରରେ ରହିଥିଲେ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ବିମାନ ଯୋଗେ ଅଯୋଧ୍ୟାରେ ପହଞ୍ଚତ୍ ରାମମନ୍ଦିରରେ ସ୍ଥିତି ସମୀକ୍ଷା କରିଥିଲେ। ସୋମବାର ଭବ୍ୟ ରାମମନ୍ଦିରରେ ପ୍ରଭୁ ରାମଲାଲାଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା ସହ ଏକ ନବଯୁଗର ଅୟମାରମ୍ଭ ହେଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକାଶ କରିଥିଲେ। ଏଥିସହ ଆଗାମୀ ୧,୦୦୦ ବର୍ଷ ପାଇଁ ଏକ ଶକ୍ତ, ଭବ୍ୟ ଓ ଦିବ୍ୟ ଭାରତର ମୂଳଦୁଆ ନିମନ୍ତେ ଦେଶବାସୀଙ୍କୁ ସେ ଆହ୍ବାନ ଦେଇଥିଲେ।












Click it and Unblock the Notifications