ଗୁରୁବାର ଶ୍ରୀମନ୍ଦିରରେ ପାଳନ ହେବ ରାକ୍ଷୀ ପୂର୍ଣ୍ଣିମା ଓ ବଳଭଦ୍ର ଜନ୍ମ; ଦୁଇ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ ମା' ସୁଭଦ୍ରା
ରାତି ପାଇଲେ ରାକ୍ଷୀ ପୂର୍ଣ୍ଣିମା । ଭାଇ ହାତରେ ଭଉଣୀ ବାନ୍ଧିବ ରାକ୍ଷୀ । ସବୁଠି ଚଳଚଞ୍ଚଳ । ସମସ୍ତେ ଏହି ପର୍ବ ପାଇଁ ଭାରି ଖୁସି । ତେବେ ଆସନ୍ତା ଗୁରୁବାର ଶ୍ରୀମନ୍ଦିରରେ ପାଳିତ ହେବ
ରକ୍ଷାବନ୍ଧନ ଉତ୍ସବ ଓ ବଳଭଦ୍ର ଜନ୍ମ ।
ପବିତ୍ର ଗହ୍ମାପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ଠାକୁର ଶ୍ରୀବଳଭଦ୍ର ବି ସାନ ଭଉଣୀ ହାତରୁ ରାକ୍ଷୀ ବାନ୍ଧିବେ । ଆଉ ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି ।
ଶ୍ରୀଜଗନ୍ନାଥଙ୍କ ପାଇଁ ଦୁଇଟି ଓ ବଳଭଦ୍ରଙ୍କର ଦୁଇଟି, ଏପରି ପାଇଁ ୪ଟି ରାଖୀ ପ୍ରସ୍ତୁତ ଚାଲିଛି । ନାଲି ଓ ହଳଦିଆ ରଙ୍ଗରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଓ ସବୁଜ ଓ ବାଇଗଣି ରଙ୍ଗରେ ବଡ଼ଠାକୁରଙ୍କ ପାଇଁ ରାଖୀ ପ୍ରସ୍ତୁତ ହେଉଛି । ସେହିଭଳି ଦୁଇ ଠାକୁରଙ୍କ ପାଇଁ ଦୁଇଟି ଲେଖାଏଁ ଚାରିଟି ଗୁଆମାଳ ବି ପ୍ରସ୍ତୁତ ଚାଲିଛି ।

୫୪ ଟି ଗୁଆରେ ପ୍ରସ୍ତୁତ ଏହି ଗୁଆମାଳ ମଧ୍ୟ ରକ୍ଷାବନ୍ଧନ ଅବସରରେ ଲାଗି କରାଯିବାର ପରମ୍ପରା ରହିଛି । ଏହାଛଡ଼ା ପାର୍ଶ୍ବ ଦେବାଦେବୀଙ୍କ ପାଇଁ ମଧ୍ୟ ରାକ୍ଷୀ ପ୍ରସ୍ତୁତ କରୁଛନ୍ତି ପାଟରା ବିଷୋୟୀ ସେବାୟତ ।
ଚିତା ଲାଗି ଅମାବାସ୍ୟାର ୧୦ ଦିନ ପରେ ରାଖୀ ତିଆରି ଆରମ୍ଭ ହୋଇଥାଏ । ଏଥିପାଇଁ ୧୦ରୁ ୧୨ ଦିନ ଆଗରୁ ପାଟରା ବିଶୋଇ ଓ ତାଙ୍କ ପରିବାର ପ୍ରସ୍ତୁତି ଆରମ୍ଭ କରିଥାନ୍ତି ।
ଶ୍ରୀମନ୍ଦିର ପ୍ରଶାସନ ଏଥିପାଇଁ ଆବଶ୍ୟକ ବାସୁଙ୍ଗା ପାଟ ଯୋଗାଇ ଦେଇଥାଏ । ପରେ ଏହି ପାଟକୁ ମସୃଣ କରାଯାଇ ହଳଦିଆ, ନାଲି, ନେଳି ଓ ବାଇଗଣି, ଏପରି ଚାରିପ୍ରକାର ରଙ୍ଗ ଦିଆଯାଇଥାଏ ।
ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତକୁ ହେଲା ଭଳି ରାକ୍ଷୀ ଆନୁମାନିକ ଭାବେ ପ୍ରସ୍ତୁତ କରାଯାଏ । ତେବେ ଏହାର କୌଣସି ନିର୍ଦ୍ଧିଷ୍ଟ ମାପ ନଥାଏ ।
ଶ୍ରୀମନ୍ଦିରରେ ବର୍ଷ ତମାମ ପାଳିତ ପର୍ବ ମଧ୍ୟରୁ ରକ୍ଷା ବନ୍ଧନର ବିଶେଷ ମହତ୍ବ ରହିଛି । ଗହ୍ମାପୂର୍ଣ୍ଣମୀ ଓ ବଳଭଦ୍ର ଜନ୍ମୋତ୍ସବ ପାଇଁ ଏହି ଦିନ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ ।
ନବଗ୍ରହ ଓ ପାର୍ଶ୍ବ ଦେବଙ୍କ ପାଇଁ ବି ଏହି ଅବସରରେ ୨୦ରୁ ଅଧିକ ଛୋଟ ରାଖୀ ପ୍ରସ୍ତୁତ କରାଯାଇଥାଏ । ଗହ୍ମା ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସହ ପାର୍ଶ୍ବ ଦେବଙ୍କଠାରେ ବି ଏହା ଲାଗି କରାଯାଏ ।












Click it and Unblock the Notifications