ଜମ୍ମୁ କଶ୍ମୀରରେ ତାଣ୍ଡବ ରଚୁଛି ପ୍ରବଳ ବର୍ଷା, ୩ ଜଣଙ୍କ ମୃତ
ଜମ୍ମୁ-କାଶ୍ମୀରର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେଉଛି। ମଙ୍ଗଳବାର ଅର୍ଥାତ୍ ଆଜି ଡୋଡା ଜିଲ୍ଲାର ଭାଲେଶା ଅଞ୍ଚଳରେ ବାଦଲ ଫଟା ବର୍ଷା ଘଟଣା ସାମ୍ନାକୁ ଆସିଛି । ଏହା ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି । ୩ ରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମଧ୍ୟ ମିଳିଛି। ପାଣିରେ ବହୁ ଘର ଭାସି ଯାଇଛି। ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଏଥିସହ ଲଗାତାର ବର୍ଷା ଯୋଗୁଁ ଭୂସ୍ଖଳନ ଏବଂ ପଥର ଖସିବା ଘଟଣା ଘଟୁଛି ।ମଙ୍ଗଳବାର ବାଦଲଫଟା ବର୍ଷା ପାଇଁ ବନ୍ୟା ଆସିବାରୁ ଜମ୍ମୁ-କଶ୍ମୀରର ଡୋଡାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୫ଟି ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି। ଏହି ଘଟଣା ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଡୋଡା ଡେପୁଟି କମିଶନର ହରବିନ୍ଦର ସିଂହ ଏହା ନିଶ୍ଚିତ କରିଛନ୍ତି।
ବନ୍ୟା ଜଳରେ ରାସ୍ତା ଧୋଇଯାଇଥିବାରୁ ପ୍ରଭାବିତ ଅଞ୍ଚଳରେ ପହଞ୍ଚିବା ପାଇଁ ୪୦-୫୦ ମିନିଟ୍ ପର୍ଯ୍ୟନ୍ତ ପାଦରେ ଚାଲିବାକୁ ପଡୁଛି ବୋଲି ହରବିନ୍ଦର ସିଂହ କହିଛନ୍ତି। ସେ କହିଛନ୍ତି ଯେ, ତିନି ଦିନ ଧରି ଲଗାତାର ବର୍ଷା ହେଉଛି। ଗତକାଲି ରାତିରୁ ପ୍ରବଳ ବର୍ଷା ଲାଗି ରହିଛି। ଚାରୱା ଏବଂ ମରମ୍ମତ ଦୁଇଟି ସ୍ଥାନରେ ବାଦଲ ଫଟା ବର୍ଷା ହେବାରୁ ତିନୋଟି ଫୁଟ ବ୍ରିଜ୍ କ୍ଷତିଗ୍ରସ୍ତ ହୋଇଛି। ଚେନାବ ନଦୀର ଜଳସ୍ତର ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।
ଡୋଡା କମିଶନର ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ଲଗାତାର ବର୍ଷା, ଭୂସ୍ଖଳନ ଏବଂ ପଥର ଖସିବା ଯୋଗୁଁ ଜଙ୍ଗଲଗ୍ୱାର ନାଲାରେ ଏନଏଚ୍-୨୪୪ (ଡୋଡା-କିସ୍ତୱାର) ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। କାରଣ ରାସ୍ତାର ଏକ ଅଂଶ ଧୋଇଯାଇଛି। ପୁନରୁଦ୍ଧାର ନହେବା ପର୍ଯ୍ୟନ୍ତ ଯାତ୍ରା ନକରିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି।

ଏହି ସମୟରେ, ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏକ ସମୀକ୍ଷା ବୈଠକ କରି କହିଛନ୍ତି ଯେ, ''ଜମ୍ମୁର ଅନେକ ସ୍ଥାନରେ ପରିସ୍ଥିତି ବହୁତ ଗମ୍ଭୀର। ପରିସ୍ଥିତି ଉପରେ ନଜର ରଖିବା ପାଇଁ ମୁଁ ବ୍ୟକ୍ତିଗତ ଭାବରେ ଶ୍ରୀନଗରରୁ ପରବର୍ତ୍ତୀ ବିମାନରେ ଜମ୍ମୁ ଯିବି। ଜରୁରୀକାଳୀନ ପୁନରୁଦ୍ଧାର କାର୍ଯ୍ୟ ଏବଂ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବା ପାଇଁ ଡେପୁଟି କମିଶନର (ଡିସି)ମାନଙ୍କୁ ଅତିରିକ୍ତ ପାଣ୍ଠି ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।'












Click it and Unblock the Notifications