Kavach: ଏଥର କମିବ ରେଳ ଦୁର୍ଘଟଣା, ୧୦ ହଜାର କିଲୋମିଟର ରେଳ ଟ୍ରାକରେ ୫ ହଜାର କୋଟିର ରକ୍ଷା କବଚ
Railway Kavach System: ପଶ୍ଚିମବଙ୍ଗର ନୂଆ ଜଲପାଇଗୁଡ଼ିରେ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଏକ ମାଲବାହୀ ଟ୍ରେନ୍ ଧକ୍କା ଦେବାରୁ ଏକ ବଡ଼ ଦୁର୍ଘଟଣା ଘଟିଛି । ଯେଉଁଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ, ପଛରୁ ଆସୁଥିବା ଏକ ମାଲବାହୀ ଟ୍ରେନ୍ ସହିତ ଧକ୍କା ହେବା କାରଣରୁ ଏହି ଦୁର୍ଘଟଣା ଘଟିଛି।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି ଏବଂ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ, ଗୁରୁତରଙ୍କୁ ଅଢେଇ ଲକ୍ଷ, ଏବଂ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିବା ନେଇ ଘୋଷଣା କରାଯାଇଛି ।

ଏହିପରି ଦୁର୍ଘଟଣାକୁ ରୋକିବା ପାଇଁ ରେଳବାଇ କବଚ ଅଟୋମେଟିକ୍ ଟ୍ରେନ୍ ପ୍ରୋଟେକ୍ସନ୍ (ଏଟିପି) ଟେକ୍ନୋଲୋଜି ପ୍ରସ୍ତୁତ କରିଛି। ରେଳବାଇ ଖୁବ୍ ଶୀଘ୍ର ୫୦୦୦ କୋଟି ଟଙ୍କା ମୂଲ୍ୟର ଟେଣ୍ଡର ଜାରି କରିବାକୁ ଯାଉଛି। ରେଳବାଇ ପ୍ରାୟ ୧୦,୦୦୦ କିଲୋମିଟର ଟ୍ରାକରେ କବଚ ସ୍ଥାପନ କରିବାକୁ ଚାହୁଁଛି । ୨୦୨୨ ମସିହାରେ ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉଦ୍ୟମରେ ରେଳ ବ୍ୟବସ୍ଥାର ସ୍ୱୟଂଚାଳିତ ରେଳ ସୁରକ୍ଷା ବ୍ୟବସ୍ଥା 'କବଚ'ପରୀକ୍ଷଣ ସଫଳ ହୋଇଥିଲା ।
ଭାରତୀୟ ରେଳବାଇ ଦ୍ୱାରା ଏହି କବଚକୁ ସ୍ୱଦେଶୀ ଭାବରେ ବିକଶିତ କରାଯାଇଛି । ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ୫ ହଜାର କିଲୋମିଟରର ଦୁଇଟି ଟେଣ୍ଡର ପ୍ରଦାନ କରାଯିବ। ଟ୍ରେନ୍ ଦୁର୍ଘଟଣାକୁ ରୋକିବା ପାଇଁ କବଚ ବିକଶିତ କରାଯାଇଛି । ଗତ ବର୍ଷ ଓଡ଼ିଶାର ବାଲେଶ୍ୱରର ଟ୍ରେନ୍ ଦୁର୍ଘଟଣାରେ ୨୯୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨୦୦ ଜଣ ଆହତ ହୋଇଥିଲେ।
୨୦୨୧ ମସିହାରେ ପ୍ରଥମ କବଚ ଟେଣ୍ଡର ଜାରି କରାଯାଇଥିଲା । ଏହା ମାତ୍ର ୩୦୦୦ କିଲୋମିଟର ଥିଲା । ମାନବ ତ୍ରୁଟି ଯୋଗୁଁ ଘଟୁଥିବା ଦୁର୍ଘଟଣାକୁ ରୋକିବାରେ ଏହି ସିଷ୍ଟମ ସକ୍ଷମ । ଟ୍ରେନ୍ କିମ୍ବା ଆଗରେ ଥିବା ଅନ୍ୟ କୌଣସି ପ୍ରତିବନ୍ଧକକୁ ଚିହ୍ନଟ କରି ଗାଡି ଅଟକାଇବାରେ ଏହା ସାହାଯ୍ୟ କରିବ । ଏହାଦ୍ୱାରା ଟ୍ରେନ୍ ଧକ୍କା ହେବ ନାହିଁ ଏବଂ ଦୁର୍ଘଟଣା ମଧ୍ୟ କମିବ ।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକା ଜାତୀୟ ଗଣମାଧ୍ୟକୁ ସୂଚନା ଦେଇଛନ୍ତି ଯେ, ଖୁବ୍ ଶୀଘ୍ର ୧୦ ହଜାର କିଲୋମିଟର ରେଳ ଟ୍ରାକରେ କବଚ ସ୍ଥାପନ କରାଯିବ । ପ୍ରାୟ ୬୦୦୦ କିଲୋମିଟର ଟ୍ରାକର DPR ପ୍ରସ୍ତୁତ ହୋଇସାରିଛି ଏବଂ ୪୦୦୦ କିଲୋମିଟର କାର୍ଯ୍ୟ ସମାପ୍ତ ହେବାକୁ ଯାଉଛି । ଏହି ସିଷ୍ଟମର ବିକାଶ କାର୍ଯ୍ୟ ୨୦୧୨ ମସିହାରେ ଆରମ୍ଭ ହୋଇଛି । ବର୍ତ୍ତମାନ ପ୍ରାୟ ୧୫୦୦ କିଲୋମିଟର ଟ୍ରାକରେ କବଚ ସ୍ଥାପନ କରାଯାଇଛି । ନୂତନ ଟେଣ୍ଡର ଅନୁଯାୟୀ ପ୍ରତିବର୍ଷ ପ୍ରାୟ ୭ ରୁ ୮ ହଜାର କିଲୋମିଟର ରେଳ ଟ୍ରାକରେ କବଚ ସ୍ଥାପନ କରିବାର ଯୋଜନା କରାଯାଇଛି । ୭୦ ହଜାର କିଲୋମିଟର ଲମ୍ବା ଭାରତୀୟ ରେଳ ନେଟୱାର୍କ ୧୦ ବର୍ଷ ମଧ୍ୟରେ କବଚ ଲଗାଯିବ ।












Click it and Unblock the Notifications