ଖୁବ୍ଶୀଘ୍ର ରାହୁଲ ଗାନ୍ଧି ଆରମ୍ଭ କରିପାରନ୍ତି ଭାରତ ଯୋଡୋ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ
Bharat Jodo Yatra: କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧିଙ୍କ 'ଭାରତ ଯୋଡୋ ଯାତ୍ରା'ର ପ୍ରଥମ ପର୍ଯ୍ୟାୟ ସଫଳ ହୋଇଥିଲା। ଏବେ ଖବର ରହିଛି ଯେ ରାହୁଲ ଗାନ୍ଧି ଖୁବ ଶୀଘ୍ର ଭାରତ ଯୋଡୋ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରସ୍ତୁତି ଶେଷ ହେବା ପରେ ଭାରତ ଯୋଡୋ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଡିସେମ୍ବର 2023 ରୁ ଆରମ୍ଭ ହୋଇପାରେ ଏବଂ ଏହି ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଫେବୃଆରୀ 2024 ପର୍ଯ୍ୟନ୍ତ ଜାରି ରହିବ ।

ସୂଚନାନୁସାରେ, ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା 2.0 ହାଇବ୍ରିଡ ମୋଡରେ ଅନୁଷ୍ଠିତ ହେବ। ଯେଉଁଥିରେ ଭାରତୀୟ ଯାତ୍ରୀମାନେ ଯାନବାହାନ ବ୍ୟବହାର କରିବା ସହିତ ପାଦରେ ମଧ୍ୟ ଯାତ୍ରା କରିବେ । ସେପ୍ଟେମ୍ବର 2023ରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ ଉଲ୍ଲେଖ କରିଛନ୍ତି ଯେ, ଦଳ ଦ୍ୱିତୀୟ ପର୍ଯ୍ୟାୟ ଯୋଜନା କରୁଛି ଏବଂ ଏହି ଯୋଜନା ପାଇଁ ପ୍ରସ୍ତୁତି ଜାରି ରହିଛି ।
କଂଗ୍ରେସ ସଦସ୍ୟମାନେ ମଧ୍ୟ ରାହୁଲ ଗାନ୍ଧିଙ୍କୁ ଅନ୍ୟ ଏକ ଭାରତ ଯୋଡା ଯାତ୍ରା ଆରମ୍ଭ କରିବାକୁ ଅନୁରୋଧ କରିଥିଲେ। ଏଥର ପୂର୍ବରୁ ପଶ୍ଚିମକୁ ଯାତ୍ରା ହେବା ନେଇ ସୂଚନା ରହିଛି । ଏହି ଯାତ୍ରା ପୂର୍ବ ଯାତ୍ରା ଠାରୁ ଖୁବ୍ ଭିନ୍ନ ରହିବ । ଗତ ଥର ରାହୁଲ ଗାନ୍ଧି ପାଦରେ ଯାତ୍ରା କରିଥିଲେ, କିନ୍ତୁ ଏଥର ଯାତ୍ରା କୌଣସି ସ୍ଥାନରେ ପାଦରେ ତ କେଉଁଠି ଯାନବାହନ ମାଧ୍ୟମରେ ସମାପ୍ତ କରାଯିବ ।
ବିଶେଷ ସୂତ୍ରରୁ ପ୍ରକାଶ ଯେ, ରାହୁଲ ଗୁଜୁରାଟର ପୋରବନ୍ଦରରୁ ଭାରତ ଯୋଡା ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରି ଅରୁଣାଚଳ ପ୍ରଦେଶର ଲୋହିତ ଜିଲ୍ଲାର ପର୍ଶୁରାମ କୁଣ୍ଡରେ ଏହି ଯାତ୍ରାର ଶେଷ ହୋବା ନେଇ ଖବର ରହିଛି । ଏହାପୂର୍ବରୁ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପଟୋଲେ କହିଥିଲେ ଯେ, ଏହି ଯାତ୍ରା ଗୁଜୁରାଟର ପୋରବନ୍ଦରରୁ ଆରମ୍ଭ ହୋଇ ମେଘାଳୟରେ ଶେଷ ହେବ। ତେବେ ଏହି ଯାତ୍ରା ପ୍ରକୃତ ମାର୍ଗ ବିଷୟରେ ସ୍ପଷ୍ଟ ସୂଚନା ମିଳିନାହିଁ ।
ସୂଚନାଥାଉ ଯେ, ଭାରତ ଯୋଡୋ ଯାତ୍ରାର ପ୍ରଥମ ପର୍ଯ୍ୟାୟ ତାମିଲନାଡୁର କନ୍ୟାକୁମାରୀରୁ 7 ସେପ୍ଟେମ୍ବର 2022 ରେ ଆରମ୍ଭ ହୋଇଥିଲା। ପ୍ରାୟ 4,080 କିଲୋମିଟର ଦୂରତା ଅତିକ୍ରମ କରି ଏହି ଯାତ୍ରା ଜାନୁଆରୀ 2023 ରେ ଶ୍ରୀନଗର, ଜାମ୍ମୁ କାଶ୍ମୀରରେ ଶେଷ ହୋଇଥିଲା। ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧି 12 ଟି ସାଧାରଣ ସଭା, 100 ରୁ ଅଧିକ ଗଳି ସଭା ଏବଂ 13 ଟି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ।
ଏହି ଯାତ୍ରା 126 ଦିନରେ 12 ଟି ରାଜ୍ୟର 75 ଟି ଜିଲ୍ଲା ଦେଇ ଯାଇଥିଲା ଏବଂ ଏହା ଭାରତର ଦୀର୍ଘତମ ଯାତ୍ରା ଥିଲା । କଂଗ୍ରେସର ନେତା ତଥା ଏହି ଯାତ୍ରାର ଅନ୍ୟ ଅଂଶଗ୍ରହଣକାରୀମାନେ ସେହି ରାଜ୍ୟରେ ଜନସମାବେଶ କରିବା ସହିତ ତୃଣମୂଳ ସ୍ତରରେ ଲୋକଙ୍କ ସହ କଥାବାର୍ତ୍ତା କରିଥିଲେ। ରାହୁଲ ଗାନ୍ଧିଙ୍କ ଗସ୍ତର ମୂଳ ଉଦ୍ଦେଶ୍ୟ ଥିଲା କେନ୍ଦ୍ର ଶାସକ ଭାରତୀୟ ଜନତା ପାର୍ଟିର ବିଭାଜନକାରୀ ରାଜନୀତି ବିରୋଧରେ ଭାରତକୁ ଏକଜୁଟ କରିବା ।












Click it and Unblock the Notifications