ହାତରେ ରେଞ୍ଚି, ପେଚକସ୍ ଧରି ମେକାନିକ୍ ସାଜିଲେ ରାହୁଲ ଗାନ୍ଧୀ, ଫଟୋକୁ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ: ଗାଡି ସଜାଡିଲେ ରାହୁଲ ଗାନ୍ଧୀ । ହାତରେ ରେଞ୍ଚି, ପେଚକସ୍ ଧରି ମେକାନିକ୍ ସାଜିଲେ ରାହୁଲ । ତେବେ କଂଗ୍ରେସ ନେତାଙ୍କ ଏହି ନୂଆ ଅବତାର ଫଟୋକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ମଙ୍ଗଳବାର ଦିନ ସେ ଦିଲ୍ଲୀ ଅନ୍ତର୍ଗତ କାରୋଲବାଗରେ ଥିବା ବାଇକ୍ ଓ ସାଇକେଲ୍ ମିସ୍ତ୍ରୀଙ୍କୁ ଭେଟିଛନ୍ତି । ଏହି ସମୟରେ ସେ ତଳେ ବସିପଡ଼ି ମେକାନିକ୍ ପରି ବାଇକ୍ ଠିକ୍ କରୁଥିବା ଦେଖିବାକୁ ମିଳିଛି । ଦୁଇ ଚକିଆ ସଜାଡ଼ିବା ବେଳେ ସେ ବାଇକ୍ ମେକାନିକଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି । ରାହୁଲଙ୍କୁ ଦେଖିବା ପାଇଁ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା । ରାହୁଲ ମଧ୍ୟ ସ୍ଥାନୀୟ ଲୋକଙ୍କ ସହିତ କଥାବାର୍ତ୍ତା କରିବା ସହ କରମର୍ଦ୍ଦନ କରିଥିଲେ ।

ତେବେ ରାହୁଲଗାନ୍ଧୀ ଏବଂ ଗ୍ୟାରେଜ୍ ମେକାନିକଙ୍କ କିଛି ଫଟୋକୁ ଟ୍ୱିଟର ପେଜରେ ସେୟାର କରିଛି କଂଗ୍ରେସ । ଦଳର ଅଫିସିଆଲ ଟ୍ୱିଟର ଆଇଡିରେ ଫଟୋ ସେୟାର କରି କଂଗ୍ରେସ ଲେଖିଛି, ଏହି ହାତ ଭାରତ ତିଆରି କରେ । ଏହି ପୋଷାକରେ ଲାଗିଥିବା କଳା ହେଉଛି ଆମ ଗର୍ବ ଏବଂ ଗୌରବ । କେବଳ ଜଣେ ନେତା ହିଁ ଏପରି ହାତକୁ ଉତ୍ସାହିତ କରିବାର କାର୍ଯ୍ୟ କରନ୍ତି । ଭାରତଯୋଡ ଯାତ୍ରା ପରଠୁ ରାହୁଲ ଗାନ୍ଧୀ ଲଗାତାର ଲୋକଙ୍କ ସହ ଭେଟି ଆସୁଛନ୍ତି । ଏହି ପୂର୍ବରୁ ରାହୁଲ ଗାନ୍ଧୀ ଚଣ୍ଡିଗଡ ଗସ୍ତରେ ଥିଲେ । ସେତେବେଳେ ରାହୁଲ ଟ୍ରକରେ ଯାତ୍ରା କରୁଥିବାର ନଜର ଆସିଥିଲେ ।
ତେବେ ଏହା ପ୍ରଥମ ଥର ନୁହେଁ, ରାହୁଲ ପୂର୍ବରୁ ମଧ୍ୟ ଏଭଳି ଅଚାନକ୍ ଲୋକଙ୍କ ସହ ଭେଟୁଥିବାର ନଜିର ରହିଛି । ରମଜାନ୍ ସମୟରେ ରାହୁଲ ଗାନ୍ଧୀ ପୁରୁଣା ଦିଲ୍ଲୀର ମାଟିଆ ମହଲ ବଜାର ଓ ବଙ୍ଗାଳୀ ବଜାର ଯାଇଥିଲେ । ଆଉ ସେତେବେଳେ ସେ ସେଠାକାର ପ୍ରସିଦ୍ଧ ବ୍ୟଞ୍ଜନର ମଜା ଉଠାଇଥିଲେ । ଏହାର ଦୁଇ ଦିନ ପରେ ଦିଲ୍ଲୀର ମୁଖାର୍ଜୀ ନଗର ଅଞ୍ଚଳରେ ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କ ସହିତ ଆଳାପ ଆଲୋଚନା ମଧ୍ୟ କରିଥିଲେ।
ଅନ୍ୟପଟେ ଆସନ୍ତା ୨୯ ତାରିଖରେ ହିଂସାଗ୍ରସ୍ତ ମଣିପୁର ଯିବେ ରାହୁଲ ଗାନ୍ଧୀ । ସେ ୨୯ ଓ ୩୦ ଦୁଇ ଦିନ ଧରି ମଣିପୁରରେ ରହି ସ୍ଥିତିକୁ ପରଖିବେ । ଏନେଇ କଂଗ୍ରେସର ସାଧରଣ ସମ୍ପାଦକ କେସି ବେଣୁଗୋପାଲ ସୂଚନା ଦେଇଛନ୍ତି । ଏହି ଗସ୍ତ ସମୟରେ ରାହୁଲ ହିଂସା ଯୋଗୁ ବିସ୍ଥାପିତ ହୋଇଥିବା ଲୋକଙ୍କୁ ରିଲିଫ କ୍ୟାମ୍ପରେ ଭେଟିବେ । ସେହିପରି ଇମ୍ଫାଲ ଓ ଚୁରାଚାନ୍ଦୁପରରେ ସିଭିଲ ସୋସାଇଟି ପ୍ରତିନିଧିଙ୍କ ସହ ଆଲୋଚନା କରିବେ ।












Click it and Unblock the Notifications