ସମାଜ ସଂସ୍କାରରେ ପଞ୍ଜାବ କେଶରୀ ଲାଲା ଲଜପତ ରାୟଙ୍କ ଅବଦାନ ଅବିସ୍ମରଣୀୟ: ବିନୟ କୁମାର ସକ୍ସେନା
ନୂଆଦିଲ୍ଲୀ : ଦେଶର ସ୍ୱାଧୀନତା ସଂଗ୍ରାମ, ସମାଜ ସଂସ୍କାରରେ ପଞ୍ଜାବ କେଶରୀ ଲାଲା ଲଜପତ ରାୟଙ୍କ ଅବଦାନ ଅବିସ୍ମରଣୀୟ। ଶତାଦ୍ଦୀ ପୂର୍ବରୁ ପୁରୁଷଙ୍କ ଭଳି ମହିଳାଙ୍କ ପାଠପଢ଼଼ା ଉପରେ ଲାଲାଜୀ ଗୁରୁତ୍ୱ ଦେଉଥିଲେ। ସେତେବେଳେ ନାରୀ ଶିକ୍ଷା ବାଧ୍ୟତାମୂଳକ କରିବା ସପକ୍ଷରେ ଲାଲାଜୀଙ୍କ ମତ ରହିଥିଲା ବୋଲି ଲୋକସେବକ ମଣ୍ଡଳ ପକ୍ଷରୁ ଦିଲ୍ଲୀରେ ଆୟୋଜିତ ପଞ୍ଜାବ କେଶରୀ ଲାଲା ଲଜପତ ରାୟଙ୍କ ୧୬୧ତମ ଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ମତବ୍ୟକ୍ତ କରିଛନ୍ତି।
ଲାଲାଜୀଙ୍କ ଠାରୁ ପ୍ରେରଣା ପାଇ ହୁଏତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ 'ବେଟି ବଚାଅ ବେଟି ପଢ଼଼ାଓ' ଅଭିଯାନ ଆରମ୍ଭ କରିଥାଇ ପାରିଥାନ୍ତି ବୋଲି ଶ୍ରୀ ସକ୍ସେନା କହିଥିଲେ। ସମାଜରେ ଦୁର୍ବଳଙ୍କ ଉତ୍ଥଥାନ ପାଇଁ ନିଜ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ୯୦ ପ୍ରତିଶତ ଦାନ କରି ଦେଇଥିଲେ ଲାଲାଜୀ। ଲାଲାଜୀଙ୍କ ବିଚାରଧାରାକୁ ଆଗକୁ ନେଇ ରାଷ୍ଟ୍ରନିର୍ମାଣ କରିବା ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ପ୍ରତିଜ୍ଞା କରିବାକୁ ଉପରାଜ୍ୟପାଳ ଶ୍ରୀ ସକ୍ସେନା ଆହ୍ୱାନ ଦେଇଥିଲେ।

ପରିବାର ଲୋକଙ୍କୁ ସେ କହୁଥିଲେ ନେବା ପାଇଁ ନୁହେଁ; ବରଂ ଦେବା ପାଇଁ ରାଜନୀତିକୁ ଆସନ୍ତୁ। ପରାଧୀନ ଭାରତରେ ସ୍ୱାଧୀନତା ସଂଗ୍ରାମ ଏବଂ ରାଷ୍ଟ୍ରନିର୍ମାଣ ଲାଗି କାର୍ଯ୍ୟ କରିବା ନିମନ୍ତେ ବହୁ ମହାନ ବ୍ୟକ୍ତିଙ୍କୁ ଲୋକସେବକ ମଣ୍ଡଳ ସହ ସେ ଯୋଡ଼ିଥିଲେ। ରାଜନୀତିରେ ରହି ସନ୍ଥ ଭଳି କାର୍ଯ୍ୟ କରିଲେ ରାଜନୀତିର ବିକାଶ ହୋଇପାରିବ ବୋଲି ଲାଲାଜୀ ଅନୁଭବ କରୁଥିଲେ। ରାଜଶ୍ରୀ ପୁରୁଷୋତ୍ତମ ଦାସ ଟଣ୍ଡନ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଲାଲ ବାହାଦୁର ଶାସ୍ତ୍ରୀଙ୍କ ଭଳି ମହାନ ରାଜନୈତିକ ଋଷି ତାଙ୍କ ନେତୃତ୍ୱରେ ଲୋକସେବକ ମଣ୍ଡଳରେ ସାମିଲ ହୋଇ ଜନତାଙ୍କ ସେବା କରିଛନ୍ତି।
ଦେଶରେ ଶିକ୍ଷକ, ଇଞ୍ଜିନିୟର, ଡାକ୍ତର, ଓକିଲଙ୍କ ପାଇଁ ଶିକ୍ଷାନୁଷ୍ଠାନ ରହିଛି। ଲାଲାଜୀ ଚାହୁଁଥିଲେ ଦେଶକୁ ଚଳାଇବା ପାଇଁ ରାଜନୈତିକ ବ୍ୟକ୍ତିଙ୍କ ପ୍ରଶିକ୍ଷଣ ନିମନ୍ତେ ଶିକ୍ଷାନୁଷ୍ଠାନର ଆବଶ୍ୟକତା ରହିଛି। ସେଥିପାଇଁ 'ସ୍କୁଲ ଅଫ ପଲିଟିକ୍ସ'କୁ ଆରମ୍ଭ କରିଥିଲେ। ଆଜିର ଦିନରେ ଦେଶକୁ ସଠିକ୍ ଢ଼ଙ୍ଗରେ ଚଳାଇବା ତଥା ରାଜନୈତିକ ବ୍ୟକ୍ତିଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଏଭଳି ଶିକ୍ଷାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ଶ୍ରୀ ରାଜକୁମାର ମତବ୍ୟକ୍ତ କରିଥିଲେ।












Click it and Unblock the Notifications