ଭ୍ୟାକ୍ସିନ ସାର୍ଟିଫିକେଟରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଇଲା ପଞ୍ଜାବ
ଝାଡଖଣ୍ଡ ଓ ଛତିଶଗଡ ପରେ ଏବେ ପଞ୍ଜାବ ସରକାର କୋଭିଡ୍-୧୯ ଟିକାକରଣରେ ଲୋକଙ୍କୁ ଦେଉଥିବା ସାର୍ଟିଫିକେଟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ହଟାଇ ଦେଇଛି
ଚଣ୍ଡିଗଡ: ଭ୍ୟାକ୍ସିନ ଅଭାବ ପରେ ଭ୍ୟାକ୍ସିନ ସାର୍ଟିଫିକେଟରେ ଫଟୋ ଲଗାଇବା ନେଇ ଜୋର ଧରିଛି ରାଜନୀତି। ଝାଡଖଣ୍ଡ ଓ ଛତିଶଗଡ ପରେ ଏବେ ପଞ୍ଜାବ ସରକାର କୋଭିଡ୍-୧୯ ଟିକାକରଣରେ ଲୋକଙ୍କୁ ଦେଉଥିବା ସାର୍ଟିଫିକେଟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ହଟାଇ ଦେଇଛି। ପ୍ରଧାନମନ୍ତ୍ରୀଙ୍କ ଫୋଟୋ ହଟାଇବାରେ ପଞ୍ଜାବ ତୃତୀୟ ରାଜ୍ୟ ହୋଇଛି। ପଞ୍ଜାବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଉଥିବା କୋଭିଡ୍-୧୯ ଟିକାକରଣ ପ୍ରମାଣପତ୍ରରେ ଏବେ କେବଳ ମିଶନ ଫତେହର ଲୋଗୋ ଲଗାଯାଇଛି।

ଅନେକ ରାଜନେତାଙ୍କ ତରଫରୁ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋକୁ ନେଇ ଆପତ୍ତି ଉଠାଇବା ଏବଂ ଫଟୋ ହଟାଇବାକୁ ଦାବି ପରେ ପଞ୍ଜାବ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ସୂଚନା ଅନୁସାରେ, କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପରିମାଣରେ ଭ୍ୟାକ୍ସିନ ଯୋଗାଇ ପାରୁନଥିବାରୁ ପଞ୍ଜାବ ସରକାରଙ୍କୁ ସିଧାସଳଖ ଟିକା ନିର୍ମାତକାରୀଙ୍କଠୁ ଟିକା କିଣିବାକୁ ପଡୁଛି। ତେଣୁ ସାର୍ଟିଫିକେଟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ହଟାଯିବା ପଛରେ ଏହା ବଡ କାରଣ ଥିବା କୁହାଯାଉଛି। ରାଜ୍ୟରେ ୧୮ ରୁ ୪୪ ବର୍ଷ ବର୍ଗଙ୍କ ଟିକାକରଣ ଜାରି ରହିଛି। ମାତ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ସାର୍ଟିଫିକେଟରେ ଏବେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନାହିଁ।
ସେପଟେ ପୂର୍ବରୁ ଝାଡଖଣ୍ଡ ଓ ଛତିଶଗଡ ସରକାର ମଧ୍ୟ ଏମିତି ପଦକ୍ଷେପ ନେଇ ସାରିଛନ୍ତି। ଦୁଇ ରାଜ୍ୟ ସରକାରଙ୍କ ମତରେ ଯଦି ରାଜ୍ୟ ନିଜ ଅର୍ଥରେ ଟିକା କିଣୁଛି ତେବେ ସାର୍ଟିଫିକେଟରେ କାହିଁକି ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିବ। ତେଣୁ ଦୁଇ ରାଜ୍ୟ ଟିକା ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଇ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଇଛନ୍ତି।












Click it and Unblock the Notifications