ବହିଷ୍କୃତ ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କ ଘରେ ଚୋରି
ପୂର୍ବତନ ଆଇଏଏସ୍ ପ୍ରୋବେସନର ପୂଜା ଖେଡକର ପୁଣି ଚର୍ଚ୍ଚାକୁ ଆସିଛନ୍ତି । ପୂଜାଙ୍କ ଘରେ ଥିବା ଜଣେ ଘରୋଇ ସହାୟିକା ତାଙ୍କ ଘରୁ ସବୁ ମୂଲ୍ୟବାନ ଜିନିଷ ଚୋରି କରିନେଇଛି । ପୂଜା ଖେଡକର ଏନେଇ ପୋଲିସକୁ ଫୋନ୍ ଯୋଗେ ଅଭିଯୋଗ କରିଛନ୍ତି । ପୂଜାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଘରୋଇ ସହାୟିକ ତାଙ୍କୁ ଏବଂ ତାଙ୍କ ବାପା-ମାଙ୍କୁ ବେହୋସ କରିବା ପରେ ଖୁଣ୍ଟରେ ବାନ୍ଧି ଦେଇଥିଲା। ଏହା ପରେ ଘରେ ଥିବା ମୂଲ୍ୟବାନ ଜିନିଷ ଚୋରି କରିନେଇଛି । ପୂଜା ଏନେଇ ଅଭିଯୋଗ କରିବା ପରେ ପୁଣେ ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣାଟି ପୁଣେର ବାନେର ରୋଡରେ ଥିବା ତାଙ୍କ ବଙ୍ଗଳାରେ ଘଟିଛି।
ପଟିଆଇ ଅନୁଯାୟୀ, ପୂଜା ଖେଡକର ଶନିବାର ବିଳମ୍ବିତ ରାତିରେ ପୋଲିସକୁ କହିଛନ୍ତି ଯେ, ତାଙ୍କର ଘରୋଇ ସହାୟିକା ଯିଏ ନୋପଳରୁ ଆସିଥିଲା, ସେ ତାଙ୍କୁ ଏବଂ ପୂରା ପରିବାରକୁ ଖାଦ୍ୟରେ ନିଶାଦ୍ରବ୍ୟ ମିଶାଇ ଖାଇବାକୁ ଦେଇଥିଲା । ଫଳରେ ପୂଜା ଖେଡକର ଏବଂ ତାଙ୍କ ବାପାମା ଚେତାଶୂନ୍ୟ ହୋଇ ଯାଇଥିଲେ। ପୂଜା ଖେଡକର ଅଭିଯୋଗ କରିଛନ୍ତି ଯେ, ସେମାନେ ଚେତାଶୂନ୍ୟ ହୋଇଯିବା ପରେ ଘରୋଇ ସହାୟିକା ସେମାନଙ୍କୁ ବାନ୍ଧି ପକାଇଥିଲା ଏବଂ ସେମାନଙ୍କ ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷପତ୍ର ନେଇ ପଳାଇ ଯାଇଛି ।

ସେ କହିଥିଲେ ଯେ, ହୋସ୍ ଫେରିବା ପରେ ସେ ବନ୍ଧନରୁ ମୁକୁଳି ଅନ୍ୟ ଏକ ଫୋନରୁ ପୋଲିସକୁ ଫୋନ୍ କରିଛନ୍ତି । ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଅଭିଯୋଗ ମୌଖିକ ଭାବରେ ଦାଖଲ କରାଯାଇଛି ଏବଂ ଏପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ ଦାଖଲ କରାଯାଇ ନାହିଁ।
ଚୋରି ହୋଇଥିବା ସାମଗ୍ରୀର ସମ୍ପୂର୍ଣ୍ଣ ତାଲିକା ଏପର୍ଯ୍ୟନ୍ତ ଥାନାରେ ଦାଖଲ କରାଯାଇ ନାହିଁ। ତଥାପି, ପୋଲିସ ଏକ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ଲିଖିତ ଅଭିଯୋଗ ପାଇବା ପରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଅଧିକାରୀ କହିଛନ୍ତି ।
ସୂଚନାଯୋଗ୍ୟ, ପୂଜା ଖେଡକର ଏବଂ ତାଙ୍କ ବାପା-ମା ଦିଲ୍ଲୀପ ଓ ମନୋରମା ପୂର୍ବରୁ ବହୁ ଚର୍ଚ୍ଚାରେ ରହି ଆସିଛନ୍ତି । ତାଙ୍କୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଖବର ସାମ୍ନାକୁ ଆସିଛି । ଗତବର୍ଷ ନଭି ମୁମ୍ବାଇରେ ଜଣେ ଟ୍ରକ୍ ଡ୍ରାଇଭରଙ୍କୁ ଅପହରଣ କରିବା ଅଭିଯୋଗରେ ଦିଲ୍ଲୀପ ଏବଂ ମନୋରମାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ସେପଟେ ପୂଜା ଖେଡଖର ୨୦୨୨ ୟୁପିଏସସି ପରୀକ୍ଷାରେ ସଂରକ୍ଷଣ ପାଇବା ଲାଗି ଭୁଲ୍ ପ୍ରମାଣ ପତ୍ର ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । କିନ୍ତୁ ସେ ଏହି ଅଭିଯୋଗକୁ ଖଣ୍ଡନ କରିଆସିଛନ୍ତି । ତେବେ ୨୦୨୩ ବ୍ୟାଚ୍ର ଆଇଏଏସ୍ ପୂଜା ଖେଡକରଙ୍କୁ ଗତବର୍ଷ ସେପ୍ଟେମ୍ବରରେ ଚାକିରୀରୁ ବହିଷ୍କାର କରାଯାଇଥିଲା ।












Click it and Unblock the Notifications