ଟିକେଟ ନମିଳିବାରୁ ଲାଲୁଙ୍କ ଘର ସମ୍ମୁଖରେ କାନ୍ଦି ରାସ୍ତାରେ ଗଡ଼ିଲେ ଟିକେଟ ଆଶାୟୀ
ରାଷ୍ଟ୍ରୀୟ ଜନତା ଦଳ (RJD) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପାଟନା ସ୍ଥିତ ବାସଭବନ ସମ୍ମୁଖରେ ଆଜି ଦେଖିବାକୁ ମିଳିଥିଲା ହାଇଡ୍ରାମା। ଟିକେଟ୍ ନ ମିଳିବାରୁ ଜଣେ ନେତା କାନ୍ଦି କାନ୍ଦି ରାସ୍ତାରେ ଗଡ଼ି ଯାଇଥିଲେ ଓ ରାଗରେ ନିଜ କୁର୍ତ୍ତା ଫାଡ଼ି ଦେଇଥିଲେ।
ଏହି ବରିଷ୍ଠ ଆରଜେଡି ନେତାଙ୍କ ନାଁ ମଦନ ଶାହ। ସେ ବିହାରର ମଧୁବନ ବିଧାନସଭା ଆସନରୁ ଦଳୀୟ ଟିକେଟ ପାଇବାକୁ ଆଶାବାଦୀ ଥିଲେ। କିନ୍ତୁ ଦଳ ତାଙ୍କୁ ଟିକେଟ୍ ଦେଇ ନାହିଁ। ତେଣୁ ସେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିବାକୁ ଆସିଥିଲେ। ସୁରକ୍ଷାକର୍ମଚାରୀମାନେ ତାଙ୍କୁ ପ୍ରବେଶ ଅନୁମତି ଦେଇ ନଥିଲେ। ଏହା ପରେ ଟିକେଟ୍ ମିଳିନଥିବାରୁ ହତାଶ ହୋଇପଡ଼ିଥିଲା ମଦନ ଶାହ କାନ୍ଦି କାନ୍ଦି ରାସ୍ତାରେ ଗଡ଼ି ଯାଇଥିଲେ। ସେ ନିଜ କୁର୍ତ୍ତା ବି ଫାଡ଼ି ଦେଇଥିଲେ। ତାଙ୍କର ଏଭଳି ପ୍ରତିବାଦ ଦେଖି କିଛି ସମୟ ପାଇଁ ଲାଲୁଙ୍କ ଘର ସମ୍ମୁଖରେ ଲୋକଙ୍କ ଭିଡ଼ ଜମି ଥିଲା।

ଏହି ଘଟଣାକୁ ଉପସ୍ଥିତ ଲୋକେ ସେମାନଙ୍କ ମୋବାଇଲରେ ରେକର୍ଡ କରି ନେଇଥିବା ବେଳେ ଭିଡିଓଗୁଡ଼ିକ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଗୋଟିଏ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ସେ ଲାଲୁ ଯାଦବ କାରରେ ତାଙ୍କ ବାସଭବନ ପରିସରକୁ ଗଲା ବେଳେ ମଦନ ଶାହ ତାଙ୍କ ପଛରେ ଧାଇଁଛନ୍ତି। ତେବେ ଫାଟକ ପାଖରେ ମୁତୟନ ସୁରକ୍ଷାକର୍ମୀମାନେ ତାଙ୍କୁ ଅଟକାଇଛନ୍ତି। ପରବର୍ତ୍ତୀ ସମୟରେ ସୁରକ୍ଷାକର୍ମୀମାନେ ତାଙ୍କୁ ବଳପୂର୍ବକ ସେହି ଅଞ୍ଚଳରୁ ବାହାର କରି ଦେଇଥିଲେ।
ମଦନ ଶାହ କହିଛନ୍ତି ଯେ ଟିକେଟ୍ ପାଇଁ ତାଙ୍କୁ ଟଙ୍କା ମଗାଯାଇଥିଲା। କିନ୍ତୁ ସେ ଟଙ୍କା ଦେବାକୁ ମନା କରି ଦେବାରୁ ତାଙ୍କୁ ଟିକେଟ ଦିଆଯାଇନାହିଁ। ଏନେଇ ସେ ସିଧାସଳଖ ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ଯାଦବଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଟିକେଟ ବଣ୍ଟନରେ ସଞ୍ଜୟ ଯାଦବ ଦଲାଲ ସାଜିଥିଲେ। ଟଙ୍କା ନେଇ ସେ ଟିକେଟ ଦେଇଥିଲେ। ସେଥିପାଇଁ ତାଙ୍କ ବଦଳରେ ଡକ୍ଟର ସନ୍ତୋଷ କୁଶୱାହାଙ୍କୁ ମଧୁବନ ଆସନ ପାଇଁ ଟିକେଟ ଦିଆଯାଇଛି। ସେ କହିଛନ୍ତି, ଦଳ ଏବେ କଠିନ ପରିଶ୍ରମ କରୁଥିବା ସଚୋଟ୍ଟ କର୍ମୀମାନଙ୍କୁ ଟିକେଟ ଦେଉ ନାହିଁ। ଯାହା ପାଖରେ ଅଧିକ ଟଙ୍କା ଅଛି, ସେହିମାନଙ୍କୁ ଟିକେଟ ଦିଆଯାଉଛି।












Click it and Unblock the Notifications