ଅଲୁ ଅର୍ଜୁନଙ୍କ ଘର ଉପରକୁ ପଥର ମାଡ଼, ମୃତ ମହିଳାଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ଦାବି
ସାଉଥ୍ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଘର ବାହାରେ ଜୋରଦାର୍ ପ୍ରଦର୍ଶନ । ଉସମାନିୟା ୟୁନିଭର୍ସିଟି ଜଏଣ୍ଟ ଆକ୍ସନ କମିଟି (ଜେଏସି)ର ସଦସ୍ୟମାନେ ରବିବାର ସନ୍ଧ୍ୟାରେ ଅଭିନେତା ଅଲୁ ଅର୍ଜୁନଙ୍କ ଘର ବାହାରେ ବିରୋଧ ପ୍ରଦର୍ଶନ କରିବା ସହ ଭଙ୍ଗାରୁଜା କରିଛନ୍ତି । ସେମାନେ ଦାବି କରିଛନ୍ତି ଯେ ଅଲୁ ମୃତ ମହିଳାଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ରାଶି ଦିଅନ୍ତୁ ଏବଂ ପରିବାରକୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରନ୍ତୁ । ତେବେ ଆନ୍ଦୋଳନକାରୀଙ୍କ ମଧ୍ୟରୁ ୮ ଜଣଙ୍କୁ ପୁଲିସ ଉଠାଇ ନେଇଥିବା ଜଣାପଡ଼ିଛି।
ଓସମାନିଆ ୟୁନିଭର୍ସିଟିର ଏହି ଦଳ ଅଲ୍ଲୁଙ୍କ ଘର ବାହାରେ ଥିବା ଫୁଲକୁଣ୍ଡ ଆଦି ଭଙ୍ଗାରୁଜା କରିବା ସହ ଘର ଭିତରକୁ ଧସେଇ ପସିବାକୁ ଉଦ୍ୟମ କରିଥିଲେ। ସନ୍ଧ୍ୟା ଥିଏଟରରେ ଦଳାଚକଟାରେ ମୃତ୍ୟୁ ହୋଇଥିବା ମହିଳାଙ୍କ ପରିବାରକୁ କୋଟିଏ ଟଙ୍କା କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଛନ୍ତି। ଏହି ବିକ୍ଷୋଭ ପ୍ରଦର୍ଶନ ସମୟର ଭିଡିଓ ମଧ୍ୟ ସାମ୍ନକୁ ଆସିଛି। କିଛି ଲୋକ ଅଭିନେତାଙ୍କ ଘର ଆଗରେ ଭଙ୍ଗାରୁଜା କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ଦୁଇ ପାର୍ଶ୍ୱରେ ଲାଗିଥିବା ଫୁଲକୁଣ୍ଡଗୁଡ଼ିକୁ ମଧ୍ୟ ବିକ୍ଷୋଭକାରୀମାନେ ଭାଙ୍ଗି ଦେଉଥିବା ଦେଖିବାକୁ ମିଳୁଛି। ତେବେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ବିକ୍ଷୋଭକାରୀଙ୍କୁ ଅଟକାଇବା ସହ ସେମାନଙ୍କମଧ୍ୟରୁ ୮ଜଣଙ୍କୁ ଜୁବଲି ହିଲ୍ସ ପୁଲିସ ଗିରଫ କରିଛି।

ଆଜି ଆଲୁ ଅର୍ଜୁନ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଏବଂ ଅଫଲାଇନ କିମ୍ବା ଅନ୍ଲାଇନ୍ରେ କାହା ସହିତ ଅପମାନଜନକ ଭାଷା ବ୍ୟବହାର ନ କରିବାକୁ ତାଙ୍କ ପ୍ରଶଂସକଙ୍କୁ ନିବେଦନ କରିଥିଲେ। ହାଇଦ୍ରାବାଦର ଥିଏଟରରେ ଘଟିଥିବା ଦୁର୍ଘଟଣାରେ ସେ ଦୁଃଖିତ। ତାଙ୍କ ଚରିତ୍ରକୁ ହତ୍ୟା କରିବା ପାଇଁ ଚେଷ୍ଟା କରାଯାଉଛି।
ଉଲ୍ଲେଖ ଯୋଗ୍ୟ, ଡିସେମ୍ବର ୪ ତାରିଖରେ ହାଇଦ୍ରାବାଦ ସନ୍ଧ୍ୟା ଥିଏଟରରେ ଅଲ୍ଲୁ ଅର୍ଜୁନଙ୍କ 'ପୁଷ୍ପା-୨: ଦି ରୁଲ୍ସ'ର ପ୍ରିମିୟର ସ୍କ୍ରିନିଂ କରାଯାଇଥିଲା। ଏଠାରେ ନିଜେ ଅଲ୍ଲୁ ଅର୍ଜୁନ ମଧ୍ୟ ପହଞ୍ଚିଥିଲେ। ଯେଉଁଠାରେ ଅଲ୍ଲୁଙ୍କୁ ଦେଖିବାକୁ ଉପସ୍ଥିତ ଦର୍ଶକଙ୍କ ମଧ୍ୟରେ ଦଳାଚକଟା ସ୍ଥିତି ଉପୁଜିଥିଲା। ଏହି ଦଳାଚକଟାରେ ଜଣେ ୩୫ ବର୍ଷୀୟା ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ତାଙ୍କର ନାବାଳକ ପୁଅ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲା।
ପୁଲିସର ଅଭିଯୋଗ ଅନୁଯାୟୀ ଅଲ୍ଲୁ ଅର୍ଜୁନ ସେଠାକୁ ଯିବେ ବୋଲି ପୂର୍ବରୁ ପୁଲିସକୁ କୌଣସି ସୂଚନା ଦିଆଯାଇନଥିଲା। ସେଠାରେ ଦଳାଚକଟା ସ୍ଥିତି ଉପୁଜିବା ପରେ ମଧ୍ୟ ଅଲ୍ଲୁ ଅର୍ଜୁନ ସେଠାରୁ ଯିବାକୁ ରାଜି ହୋଇନଥିଲେ। ପୁଲିସ ଗିରଫ କରିବାକୁ ଚେତାବନୀ ଦେବା ପରେ ସେ ସେଠାରୁ ଯାଇଥିଲେ। ଏପରିକି ସେଠାରେ ନିଜ କାରର ସନରୁଫରେ ଛିଡ଼ା ହୋଇ ସେ ରୋଡ ଶୋ' କରିଥିଲେ ବୋଲି ବିଧାନସଭାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ କହିଛନ୍ତି।












Click it and Unblock the Notifications