୧୨ ଲକ୍ଷ ଋଣ ଦେବାକୁ କହି ୩୯୦୦୦ ଟଙ୍କାର କୁକୁଡ଼ା ଖାଇଗଲେ ବ୍ୟାଙ୍କ ମ୍ୟାନେଜର !
୧୨ ଲକ୍ଷ ଦେବାକୁ କହି ୩୯ ହଜାର ଟଙ୍କାର କୁକୁଡା ଖାଇଗଲେ। ଛତିଶଗଡ଼ର ବିଳାସପୁରର ଏକ ଘଟଣା ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏଠାରେ ଜଣେ ବ୍ୟାଙ୍କ ଅଧିକାରୀ ଋଣ ଦେବା ନାଁରେ ୩୯୦୦୦ ଟଙ୍କାର ଦେଶୀ କୁକୁଡ଼ା ଖାଇ ଯାଇଛନ୍ତି । ଜଣେ ଚାଷୀଙ୍କୁ ଋଣ ଦେବା ପ୍ରତିବଦଳରେ ଅଧିକାରୀ ଜଣକ ତାଙ୍କଠାରୁ ଦେଶୀ କୁକୁଡ଼ା ନେବାକୁ ଚାହିଁଥିଲେ । ଯଦିଓ ଆବେଦନକାରୀଙ୍କୁ ଋଣ ଦିଆଯାଇ ନ ଥିଲା, କିନ୍ତୁ ଏହାରି ଭିତରେ ସେ ତାଙ୍କଠାରୁ ୩୯୦୦୦ ଟଙ୍କାର କୁକୁଡ଼ା ନେଇସାରିଥିଲେ ।
ଉକ୍ତ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ୧୨ ଲକ୍ଷ ଋଣ କରାଇଦେବାକୁ କହି ବ୍ୟାଙ୍କ ମ୍ୟାନେଜର ଏବଂ କର୍ମଚାରୀମାନେ ପ୍ରତ୍ୟେକ ଶନିବାର ଦିନ ଏକ ପାର୍ଟି କରି ମୋଟ ୩୯ ହଜାର ମୂଲ୍ୟର ଚିକେନ୍ ଖାଇ ଦେଇଛନ୍ତି। ଏହା ସତ୍ତ୍ବେ ଋଣ ଦିଆଗଲା ନାହିଁ କିମ୍ବା କୁକୁଡ଼ା ବାବଦକୁ ଟଙ୍କା ଫେରସ୍ତ କଲେ ନାହିଁ। ଏନେଇ ପୀଡିତ ଜଣକ ଏସଡିଏମ ନିକଟରେ ଅଭିଯୋଗ କରିଛନ୍ତି ଏବଂ ଯଦି ନ୍ୟାୟ ନପାଆନ୍ତି ତେବେ ସେ ଆତ୍ମହତ୍ୟା କରିବେ ବୋଲି ଧମକ ମଧ୍ଯ ଦେଇଛନ୍ତି।
ଏ ନେଇ ଅଭିଯୋଗ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ପୋଲିସ ସୂଚନା ମୁତାବକ, ଜିଲ୍ଲାର ସରଗାଁ ନିବାସୀ ରୂପଚାନ୍ଦ ମନହର ସ୍ଥାନୀୟ ଏକ ବ୍ୟାଙ୍କ ଶାଖାରେ ଋଣ ପାଇଁ ଆବେଦନ କରିଥିଲେ । ସେ କୁକୁଡ଼ା ଫାର୍ମ ଖୋଲିବା ପାଇଁ ବ୍ୟାଙ୍କ ମ୍ୟାନେଜରଙ୍କୁ ୧୨ ଲକ୍ଷ ଟଙ୍କା ଋଣ ମାଗିଥିଲେ । କିନ୍ତୁ ବ୍ୟାଙ୍କ ମ୍ୟାନେଜର ଋଣ ଦେବା ପ୍ରତିବଦଳରେ ୧୦ ପ୍ରତିଶତ କମିଶନ ମାଗିଥିଲେ । ରୂପଚାନ୍ଦ ନିଜର କୁକୁଡ଼ା ବିକି ୨ ମାସ ଭିତରେ ବ୍ୟାଙ୍କ ମ୍ୟାନେଜରଙ୍କୁ କମିଶନ ଦେଇଥିଲେ ।

ତଥାପି ମ୍ୟାନେଜର ଆହୁରି ଲୋଭ କରିଥିଲେ । ସେ ଋଣ କରେଇ ଦେବା ବାହାନାରେ ପ୍ରତି ଶନିବାର ଦେଶୀ କୁକୁଡ଼ା ମାଗିବାକୁ ଲାଗିଥିଲେ । ଅଭିଯୋଗକାରୀ ରୂପଚାନ୍ଦ ଯେବେ ଏ ସବୁକୁ ହିସାବ କରିଥିଲେ, ତ ଜଣାପଡ଼ିଥିଲା ଯେ ମ୍ୟାନେଜର ଜଣକ ୩୮ ହଜାର ୯୦୦ ଟଙ୍କାର କୁକୁଡ଼ା ଖାଇ ସାରିଲେଣି । କୁକୁଡ଼ାର ମୂଲ୍ୟ ମାଗିବାରୁ ସେ ଟଙ୍କା ଦେବାକୁ ମନା କରି ଦେଇଥିଲେ । ଏପରି କି, ଋଣ ଟଙ୍କା ମଧ୍ୟ ସେ ଦେଇ ନ ଥିଲେ ।












Click it and Unblock the Notifications