ପ୍ରିୟଙ୍କାଙ୍କୁ ମିଳିଲା ବଡ଼ ଦାୟିତ୍ୱ!
ନୂଆଦିଲ୍ଲୀ : ମଙ୍ଗଳବାର ଲୋକ ସଭାରେ ଏକ ରାଷ୍ଟ୍ର ଏକ ନିର୍ବାଚନ ପାଇଁ ୧୨୯ତମ ସମ୍ବିଧାନ ସଂଶୋଧନ ବିଲ ଆଗତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ । ବିଲ୍ ଉପସ୍ଥାପନ ହେବା ପରେ ସଂସଦରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଫଳସ୍ବରପ ସରକାରଙ୍କୁ ଏହାକୁ ଜେପିସିକୁ ପଠାଇବାକୁ ପଡିଥିଲା। ତେବେ ଏହି ସଂସଦୀୟ କମିଟିରେ କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀଙ୍କୁ ବଡ଼ ଦାୟିତ୍ୱ ମିଳିଛି। କଂଗ୍ରେସ ଏହି କମିଟି ପାଇଁ ତାଙ୍କ ନାଁ ସୁପାରିଶ କରିଛି।
ରାଜ୍ୟସଭା ଏବଂ ଲୋକସଭା ସଦସ୍ୟଙ୍କୁ ନେଇ ମିଳିତ ସଂସଦୀୟ ସମିତି ଗଠନ ହେବ । ଏହି ସମିତି କୌଣସି ବିଧେୟକ ଉପରେ ସମୀକ୍ଷା କରି ରିପୋର୍ଟ ପ୍ରସ୍ତୁତ କରିବ ଏବଂ ଏହାକୁ ସରକାରଙ୍କ ନିକଟକୁ ପଠାଯିବ । ମିଳିଥିବା ସୂଚନା ଅନୁସାରେ, କଂଗ୍ରେସ ପକ୍ଷରୁ ମନୀଷ ତିଓ୍ବାରୀ, ପ୍ରିୟଙ୍କା ଗାନ୍ଧୀ, ସୁଖଦେବ ଭଗତ ଏବଂ ରଣଦୀପ ସୁର୍ଜେଓ୍ବାଲାଙ୍କ ନାଁ ଜେପିସି ଲାଗି ସୁପାରିଶ କରାଯିବ ।

ଓ୍ବାନ ନେସନ୍, ଓ୍ବାନ ଇଲେକ୍ସନ୍ ଉପରେ କଂଗ୍ରେସର ଏହି ୪ ସାଂସଦ ଜେପିସିରେ ନିଜ ଦଳର ଆଭିମୁଖ୍ୟ ରଖିବେ। ମନୀଷ ତିଓ୍ବାରୀ ଏବଂ ରଣଦୀପ ସୂର୍ଯେଓ୍ବାଲା ଓକିଲ ହୋଇଥିବା ବେଳେ ସୁଖଦେବ ଭଗତଙ୍କୁ ଆଦିବାସୀ ନେତା ଭାବେ ଜଣାଯାଏ । ସେହିଭଳି ପ୍ରିୟଙ୍କା ଗାନ୍ଧୀ ମହିଳାଙ୍କ ପକ୍ଷରୁ ପ୍ରତିନିଧିତ୍ବ କରିବେ ।
ଇଣ୍ଡି ମେଣ୍ଟରେ ଡିଏମକେ ସାମିଲ ଅଛି । ଡିଏମକେ ପକ୍ଷରୁ ରାଜ୍ୟସଭା ସାଂସଦ ପି.ଓ୍ବିଲସନ୍ ଜେପିସିରେ ସାମିଲ ହୋଇପାରନ୍ତି । ଓ୍ବିଲସନ୍ ଜଣେ ବିଶିଷ୍ଟ ଓକିଲ ହୋଇଥିବା ବେଳେ ତାଙ୍କର ଲୋକପ୍ରିୟତା ରହିଛି । ଓ୍ବିଲସନଙ୍କ ବ୍ୟତୀତ ଡିଏମକେ ସାଂସଦ ଟି.ସେଲ୍ବାଗେଥିଙ୍କ ନାଁ ମଧ୍ୟ ଜେପିସି ଲାଗି ସୁପାରିଶ କରିପାରେ ।
ସମାଜବାଦୀ ପାର୍ଟିରୁ ଧର୍ମେନ୍ଦ୍ର ଯାଦବ କମିଟିରେ ସାମିଲ ହୋଇପାରନ୍ତି । ତୃଣମୂଳ କଂଗ୍ରେସ (ଟିଏମସି) ପକ୍ଷରୁ କଲ୍ୟାଣ ବାନାର୍ଜୀ ଏବଂ ସାକେତ ଗୋଖଲେ ଜେପିସିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କହିରଖୁଛୁ କି, ଯଦି ଜେପିସିରେ ଏହି ବିଲ ମଞ୍ଜୁର ହୁଏ ଏବଂ ସଂସଦର ଉଭୟ ଗୃହ ଦ୍ୱାରା ପାରିତ ହୁଏ, ତେବେ ଏହାକୁ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ଅନୁମୋଦନ ପାଇଁ ପଠାଯିବ। ରାଷ୍ଟ୍ରପତି ଦସ୍ତଖତ କରିବା ମାତ୍ରେ ଏହି ବିଲ ଆଇନରେ ପରିଣତ ହେବ। ଏହା ପରେ ୨୦୨୯ ସୁଦ୍ଧା ସମଗ୍ର ଦେଶରେ ଏକକାଳୀନ ର୍ନିବାଚନ ଅନୁଷ୍ଠିତ ହେବ।












Click it and Unblock the Notifications