କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିବା ପାଇଁ ଜନ୍ତର ମନ୍ତରରେ ପହଁଞ୍ଚିଲେ ପ୍ରିୟଙ୍କା ଗାନ୍ଧି
ନୂଆଦିଲ୍ଲୀ:ଜାତୀୟ ରାଜଧାନୀ ଦିଲ୍ଲୀର ଜନ୍ତର ମନ୍ତରରେ କୁସ୍ତିଯୋଦ୍ଧାଙ୍କ ଧର୍ମଘଟ ଜାରି ରହିଛି । କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିବା ପାଇଁ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଜନ୍ତର ମନ୍ତରରେ ପହଁଞ୍ଚିଛନ୍ତି । ତାଙ୍କ ସହିତ କଂଗ୍ରେସ ସାଂସଦ ଦିପେନ୍ଦ୍ର ହୁଡ୍ଡାଙ୍କୁ ଦେଖିବା ପାଇଁ ମିଳିଥିଲା ।
ଶନିବାର ଅର୍ଥାତ୍ ଏପ୍ରିଲ୍ ୨୯ ତାରିଖ ହେଉଛି ଜନ୍ତର ମନ୍ତରରେ କୁସ୍ତି ଯୋଦ୍ଧା ମାନଙ୍କ ଆନ୍ଦୋଳନର ସପ୍ତମ ଦିନ । ଶୁକ୍ରବାର ଦିନ କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣଙ୍କ ବିରୋଧରେ ୨ଟି ମାମଲା ରୁଜୁ ହୋଇଛି । ତାଙ୍କ ବିରୋଧରେ ୨ଟି ଯୌନ ଉତ୍ପୀଡନ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ ।

ତେବେ ମାମଲା ରୁଜୁ ହେବା ସତ୍ୱେ ଆନ୍ଦୋଳନରୁ ଓହରିନାହାନ୍ତି ରେସଲର । ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ ହେବା ପରେ ମଧ୍ୟ ରେସଲରଙ୍କ ଧର୍ମଘଟ ଜାରି ରହିଛି।
ଶୁକ୍ରବାର ଦିନ ଦିଲ୍ଲୀ ପୋଲିସ ବ୍ରିଜ ଭୂଷଣଙ୍କ ବିରୋଧରେ ୨ଟି ମାମଲା ରୁଜୁ କରିଛି । ୨ଟି ମାମଲା ମଧ୍ୟରୁ ଗୋଟିଏ ଜଣେ ନାବାଳିକା ରେସଲର କରିଥିବା ବେଳେ ଅନ୍ୟଟି ଜଣେ ମହିଳା କୁସ୍ତି ଯୋଦ୍ଧା କରିଛନ୍ତି । ଏଥିରେ ନାବାଳିକା ରେସଲରଙ୍କ ଅଭିଯୋଗ ଉପରେ ସିଂଙ୍କ ବିରୋଧରେ POCSO ଆକ୍ଟ ମଧ୍ୟ ଲାଗୁ କରାଯାଇଛି। ଉଭୟ ଅଭିଯୋଗ ଉପରେ ତଦନ୍ତ କାର୍ଯ୍ୟାନୁଷ୍ଠାନ କରାଯାଉଛି ବୋଲି ଦିଲ୍ଲୀ ପୋଲିସ କହିଛି। ଏହାପୂର୍ବରୁ କୁସ୍ତିଯୋଦ୍ଧାମାନଙ୍କୁ ଏଫଆଇଆର ଦେବା ପାଇଁ ସୁପ୍ରିମକୋର୍ଟ ଯିବାକୁ ପଡୁଥିଲା ।
ନିଜ ବିରୋଧରେ ରୁଜୁ ହୋଇଥିବା ଯୌନ ଉତ୍ପୀଡ଼ନ ମାମଲାକୁ ନେଇ ବ୍ରିଜ୍ ଭୂଷଣ ଶରଣ ସିଂ କହିଛନ୍ତି, ଯାଞ୍ଚ ପାଇଁ
ଗଠିତ ହୋଇଥିବା ସମିତିର ରିପୋର୍ଟକୁ ଅପେକ୍ଷା କରିବା ଉଚିତ୍ । ନ୍ୟାୟପାଳିକାଙ୍କ ନିଷ୍ପତ୍ତିରେ ସେ ଖୁସି ଥିବା ନେଇ କହିଛନ୍ତି । ଏହି ମାମଲାରେ ଦିଲ୍ଲୀ ପୋଲିସକୁ ଯାଞ୍ଚରେ ସମ୍ପୁର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି କୁସ୍ତି ମହାସଂଘର ସଭାପତି ।












Click it and Unblock the Notifications