ପ୍ରସ୍ତୁ ହେଲା ପ୍ରଧାନମନ୍ତ୍ରୀଙ୍କ ନୂଆ କାର୍ଯ୍ୟାଳୟ, କଲି କରିବେ ପ୍ରବେଶ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଅଫିସ୍ ପ୍ରସ୍ତୁତ । ଆସନ୍ତା ୧୪ ତାରିଖ ପବିତ୍ର ମକର ସଂକ୍ରାନ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) ସାଉଥ ବ୍ଲକରୁ ଏହି ନୂଆ ଅଫିସକୁ ସ୍ଥାନାନ୍ତର ହେବ । ଫଳରେ ଏକ ଯୁଗର ଅନ୍ତ ଘଟିବ । ଦେଶ ସ୍ୱାଧୀନତା ଲାଭ କରିବା ପରଠାରୁ ଅର୍ଥାତ ୧୯୪୭ ମସିହାରୁ ପିଏମ୍ଓ ସାଉଥ୍ ବ୍ଲକରେ କାର୍ଯ୍ୟକ୍ଷମ ହୋଇଆସୁଛି ।

ନୂଆ ଅଫିସ୍ର ଠିକଣା ସେବାତୀର୍ଥ ରଖାଯାଇଛି । ସେଣ୍ଟ୍ରାଲ ଭିଷ୍ଟା ରିଡେଭେଲପମେଣ୍ଟ ପ୍ରୋଜେକ୍ଟ ଅଧୀନରେ ଏହାର ନିର୍ମାଣ କରାଯାଇଛି । ଏହି କମ୍ପେ୍ଲକ୍ସରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କେନ୍ଦ୍ରୀୟ ସଚିବାଳୟ ଏବଂ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ରହିଛି । ପ୍ରତିଟି କାର୍ଯ୍ୟାଳୟ ପାଇଁ ପୃଥକ ବିଲ୍ଡିଂ ନିର୍ମାଣ କରାଯାଇଛି । ପିଏମ୍ଓ ଯେଉଁ କମ୍ପେ୍ଲକ୍ସରେ ରହିବ ତାହାର ନାମ ରଖାଯାଇଛି ସେବାତୀର୍ଥ-୧ । ସେଠାରେ ରହିଛି ଅତ୍ୟାଧୁନିକ କାର୍ଯ୍ୟସ୍ଥଳ ଓ ଭବ୍ୟ ସମାରୋହ ପ୍ରକୋଷ୍ଠ ଯାହାକି ସେବାକୁ ପ୍ରତିଫଳିତ କରୁଛି। ସେହିଭଳି ସେବାତୀର୍ଥ-୨ରେ କ୍ୟାବିନେଟ ସଚିବାଳୟ ରହିଛି ଯାହାକି ଗତବର୍ଷ ସେପ୍ଟେମ୍ବରରୁ ସେଠାରେ କାର୍ଯ୍ୟକ୍ଷମ ହୋଇସାରିଛି । ସେବାତୀର୍ଥ-୩ରେ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଅଫିସ୍ ଓ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ରହିବ । ଏହାର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି ।
ସାଉଥ୍ ଓ ନର୍ଥ ବ୍ଲକରୁ ସବୁ ସରକାରୀ ଅଫିସ ହଟିବା ପରେ ତାକୁ ସର୍ବସାଧାରଣ ସଂଗ୍ରହାଳୟ (ୟୁଗେ ୟୁଗେ ଭାରତ ସଂଗ୍ରହାଳୟ)ରେ ପରିଣତ କରାଯିବ । ଏହି ପ୍ରସ୍ତାବିତ ମ୍ୟୁଜିୟମ ନିର୍ମାଣ ତଥା ସହଯୋଗ କରିବା ଲାଗି ଫ୍ରାନ୍ସର ମ୍ୟୁଜିୟମ ଉନ୍ନୟନ ସଂସ୍ଥା ସହ ୨୦୨୪ରେ ରାଜିନାମା ସ୍ୱାକ୍ଷର କରାଯାଇଛି । ୨ ଲକ୍ଷ ୨୬ ହଜାର ୨୦୩ ବର୍ଗଫୁଟ ଜମିରେ ପରିବ୍ୟାପ୍ତ ଏହି ସେବାତୀର୍ଥ ନିର୍ମାଣରେ ମୋଟ ୧,୧୮୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେହିଭଳି ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଲାଗି ନୂଆ ବିଲ୍ଡିଂର ନିର୍ମାଣ କରାଯାଉଛି । ପ୍ରଧାନମନ୍ତ୍ରୀ ବ୍ରିଟିଶ ଔପନିବେଶିକ ମାନସିକତାକୁ ସମ୍ପୂର୍ଣ୍ଣ ହଟାଇବା ଲାଗି ରାଜପଥର ନାମ ପରିବର୍ତ୍ତନ କରି କର୍ତ୍ତବ୍ୟପଥ ରଖିଥିଲେ ।












Click it and Unblock the Notifications