ବ୍ରହ୍ମପୁରର ରଙ୍ଗେଇଲୁଣ୍ଡା ଆସିବେ ପ୍ରଧାନମନ୍ତ୍ରୀ; ପ୍ରସ୍ତୁତି ଜୋରଦାର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି । ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ବ୍ରହ୍ମପୁରର ରଙ୍ଗେଇଲୁଣ୍ଡାଠାରେ ହେବାକୁ ଥିବା 'ସେବା ପର୍ବ' କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଲୋକସେବା ଭବନଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।।
ବୈଠକରୁ ଜଣାପଡ଼ିଛି ଯେ, ପ୍ରଧାନମନ୍ତ୍ରୀ ଉକ୍ତ ଦିନ ପୂର୍ବାହ୍ନ ୧୧ଟା ରେ ବ୍ରହ୍ମପୁର ଠାରେ ଜାତୀୟ ସ୍ତରୀୟ 'ସେବା ପର୍ବ' କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ଜନହିତକର ପ୍ରକଳ୍ପ ଉଦଘାଟନନ କରିବା ସହ ଅନେକ ନୂତନ କାର୍ଯ୍ୟକ୍ରମ ଦେଶବାସୀଙ୍କ ପାଇଁ ଉତ୍ସର୍ଗ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓ କାର୍ଯ୍ୟକ୍ରମର ସଫଳ ଆୟୋଜନ ସମେତ ଏହାକୁ ସୂଚାରୁଭାବେ ସମ୍ପାଦନ କରିବା, ଏଥିନିମନ୍ତେ ସୁରକ୍ଷା ବ୍ୟବସ୍ଥା, ଜନସାଧାରଣଙ୍କ ସହଭାଗୀତା ପାଇଁ, ବୈଠକରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ସଚିବ ଓ ଅଧିକାରୀମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଯାତ୍ରାପଥ, ଆଗମନ-ବିଦାୟ ବ୍ୟବସ୍ଥା, ସୁରକ୍ଷା ବଳଙ୍କ ନିୟୋଜନ, ସଭାସ୍ଥଳର ପ୍ରସ୍ତୁତି, ସ୍ୱାସ୍ଥ୍ୟ, ପୋଲିସ, ପାଣି-ବିଦ୍ୟୁତ ଓ ସ୍ଥାନୀୟ ପ୍ରଶାସନ ସମେତ ସମସ୍ତ ବିଭାଗକୁ ସମନ୍ୱୟ ରଖି କାର୍ଯ୍ୟ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରି ସ୍ମରଣୀୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ, ଏହି "ସେବା ପର୍ବ" କାର୍ଯ୍ୟକ୍ରମରେ ଦେଶର ଆଠଟି IITର କ୍ଷମତା ସଂପ୍ରସାରଣ, କୋରାପୁଟ-ବାଇଗୁଡ଼ା ଏବଂ ମାନାବାର-କୋରାପୁଟ-ଗୋରାପୁର ରେଳ ଲାଇନ ଡ଼ବଲିଙ୍ଗ, ସମ୍ବଲପୁର-ସରଲା ଫ୍ଲାଇଓଭର ଉଦ୍ଘାଟନ, BSNL ଦ୍ୱାରା ଦେଶବ୍ୟାପୀ ସ୍ୱଦେଶୀ 4G ନେଟୱାର୍କ ସେବାର ଲୋକାର୍ପଣ, MKCG , VIMSAR ମେଡିକାଲ କଲେଜକୁ ବିଶ୍ୱସ୍ତରୀୟ ସୁପର ସ୍ପେଶାଲିଟି ମାନ୍ୟତା ଘୋଷଣା, ଦେଶବ୍ୟାପୀ ଦକ୍ଷତା ବିକାଶ ପ୍ରକଳ୍ପର ଉଦ୍ଘାଟନ, ଅନ୍ତ୍ୟୋଦୟ ଗୃହ ଯୋଜନାରେ ୫୦ ହଜାର ହିତାଧିକାରୀଙ୍କୁ ସହାୟତା ପ୍ରଦାନ ଏବଂ ଅନ୍ୟ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିବେ।
ବୈଠକରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଏବଂ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।












Click it and Unblock the Notifications