ଭାରତ ଉପରେ ଯେକୌଣସି ଆକ୍ରମଣର ଦୃଢ଼ ଜବାବ ଦିଆଯିବ:ପ୍ରଧାନମନ୍ତ୍ରୀ
ଭାରତ ଉପରେ ଯେକୌଣସି ଆକ୍ରମଣର ଦୃଢ଼ ଜବାବ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସମ୍ପ୍ରତି ଏକ ଦୈନିକ ସମ୍ବାଦପତ୍ରରେ ସୀମାପାର ଆତଙ୍କବାଦ ପ୍ରତି ଭାରତର ଶୂନ୍ୟସହନଶୀଳତା ସୁନିଶ୍ଚିତ ସମ୍ପର୍କିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କର ଆଲେଖ୍ୟ ଉପରେ ନିଜ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ଭାରତର ଏହି ଶୂନ୍ୟସହନଶୀଳତା ନୀତିକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆତଙ୍କବାଦୀ ଏବଂ ସେମାନଙ୍କୁ ପ୍ରୋତ୍ସାହନ ଦେଉଥିବା ଅପରାଧୀଙ୍କ ମଧ୍ୟରେ କୌଣସି ପ୍ରକାର ପାର୍ଥକ୍ୟ କରାଯିବ ନାହିଁ।
ଏହି ଆଲେଖ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ପାକିସ୍ତାନ ପ୍ରାୟୋଜିତ ସନ୍ତ୍ରାସବାଦ ବିପକ୍ଷରେ ଭାରତର ଶୂନ୍ୟସହନଶୀଳତା ନୀତି କାର୍ଯ୍ୟକାରୀ କରିବା ସମ୍ପର୍କରେ ଅବତାରଣା କରିଛନ୍ତି। ସେ କହିଛନ୍ତି, ଆଲୋଚନା ଏବଂ ସନ୍ତ୍ରାସବାଦ କାର୍ଯ୍ୟକଳାପ ଏକ ସଙ୍ଗରେ କରାଯାଇପାରିବ ନାହିଁ। ଭବିଷ୍ୟତରେ ପାକିସ୍ତାନ ସହିତ କେବଳ ସନ୍ତ୍ରାସବାଦ ଏବଂ ପାକ୍ ଅଧିକୃତ କାଶ୍ମିର ଉପରେ ହିଁ ଆଲୋଚନା କରାଯିବ। ସନ୍ତ୍ରାସବାଦକୁ ପ୍ରତିହତ କରିବା ପ୍ରସଙ୍ଗକୁ ଯଦି ପାକିସ୍ତାନ ଗମ୍ଭୀର ଭାବରେ ଗ୍ରହଣ କରିଥାଏ ତେବେ ମିଳିତ ଜାତିସଂଘ ଦ୍ୱାରା ଆତଙ୍କବାଦୀ ରୂପେ ଘୋଷିତ ହାଫିଜ ସଇଦ୍ ଏବଂ ମସହୁଦ ଆଝାହାରକୁ ପ୍ରଥମେ ହସ୍ତାନ୍ତର କରିବା ଉଚିତ ବୋଲି ଶ୍ରୀ ସିଂହ କହିଛନ୍ତି।

ସେ କହିଛନ୍ତି, ଆତଙ୍କବାଦ ବର୍ତ୍ତମାନ କେବଳ ଭାରତର ସମସ୍ୟା ହୋଇ ରହିନାହିଁ ବରଂ ଏହା ଏକ ବୈଶ୍ୱିକ ଆହ୍ୱାନ ରୂପେ ପରିଣତ ହୋଇଛି। ବିଶ୍ୱରୁ ସନ୍ତ୍ରାସବାଦ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ବିଲୋପ କରିବା ଲାଗି ସବୁଦେଶ ସାମଗ୍ରୀକ ପ୍ରଚେଷ୍ଟା କରିବା ଉପରେ
ପ୍ରତିରକ୍ଷା ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏଥିଲାଗି ସନ୍ତ୍ରାସବାଦୀ ସଂଗଠନଗୁଡ଼ିକୁ ପାଣ୍ଠି ଯୋଗାଣ ବନ୍ଦ କରିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଶ୍ରୀ ସିଂହ ବିଶ୍ୱ ସମୁଦାୟକୁ ଆହ୍ୱାନ ଦେଇଛନ୍ତି।












Click it and Unblock the Notifications