ଆସନ୍ତାକାଲି ଝାଡ଼ଖଣ୍ଡ ଗସ୍ତ କରିବେ ପ୍ରଧାନମନ୍ତ୍ରୀ, ୮୩ ହଜାର କୋଟି ଟଙ୍କା ପ୍ରକଳ୍ପର କରିବେ ଶିଳାନ୍ୟାସ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଝାଡ଼ଖଣ୍ଡ ଗସ୍ତ କରି ୮୩ ହଜାର କୋଟି ଟଙ୍କାର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ହଜାରିବାଗ୍ ଠାରେ 'ଧର୍ତି ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ'ର ଶୁଭାରମ୍ଭ କରିବେ ।
୭୯ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହେବାକୁ ଥିବା ଏହି ଅଭିଯାନ ଦ୍ୱାରା ୬୩ ହଜାର ଗ୍ରାମର ୫ କୋଟିରୁ ଉର୍ଦ୍ଧ ଜନଜାତି ବର୍ଗର ଲୋକ ଉପକୃତ ହୋଇପାରିବେ । ଏହି ଯୋଜନା ଦେଶର ୫୪୯ଟି ଜିଲ୍ଲା ଅନ୍ତର୍ଗତ ୨ହଜାର ୭୪୦ଟି ବ୍ଲକ୍ରେ କାର୍ଯ୍ୟକାରୀ କରାଯାଉଛି ।

ଏହାଛଡ଼ା ମୋଦୀ ୪୦ଟି ଏକଲବ୍ୟ ବିଦ୍ୟାଳୟର ଉଦ୍ଘାଟନ କରିବେ । ଏଥିସହ ୨ହଜାର ୮୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ନିର୍ମିତ ହେବାକୁ ଥୁବ ଅନ୍ୟ ୨୫ଟି ଏକଲବ୍ୟ ବିଦ୍ୟାଳୟର ଶିଳାନ୍ୟାସ କରିବେ । ସେହିଭଳି ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ ଅଧୀନରେ ଶ୍ରୀ ମୋଦୀ ୧ ହଜାର ୩୦୦ କୋଟିରୁ ଊର୍ଦ୍ଧ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା କେତେକ ପ୍ରକଳ୍ପର ଲୋକାର୍ପଣ କରିବା ସହିତ ଅନ୍ୟ କେତେକ ଲାଗି ଶିଳାନ୍ୟାସ କରିବେ । ଏହି ଯୋଜନା ଅଧୀନରେ ସଡ଼କ, ଅଙ୍ଗନବାଡ଼ି, ବହୁମୁଖୀ କେନ୍ଦ୍ର, ବିଦ୍ୟାଳୟ, ଛାତ୍ରାବାସ ପ୍ରକଳ୍ପ ଆଦି ଅନ୍ତର୍ଭୁକ୍ତ ।
ଏହାଛଡ଼ା ଏହି ଯୋଜନା ଅଧୀନରେ ଶ୍ରୀ ମୋଦୀ ୩ହଜାର ଗ୍ରାମରେ ବସବାସ କରୁଥିବା ୭୫ ହଜାର ୮୦୦ ବିଶେଷ ଦୁର୍ବଳ ଜନଜାତି ସମ୍ପ୍ରଦାୟ ବ୍ୟକ୍ତିଙ୍କ ପରିବାରଙ୍କୁ ବିଦ୍ୟୁତ୍ ସଂଯୋଗ ପ୍ରକଳ୍ପର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।












Click it and Unblock the Notifications