ଶେଖ୍ ହସିନାଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ବାଂଲାଦେଶରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଦଳ ଲଗାତାର ଚତୁର୍ଥ ଥର ପାଇଁ ସଂଖ୍ୟାଗରିଷ୍ଠତା ହାସଲ କରି ଏକ ଐତିହାସିକ ବିଜୟ ହାସଲ କରିଛି । ଶେଖ ହସିନା ବର୍ତ୍ତମାନ କ୍ରମାଗତ ଚତୁର୍ଥ ଥର ପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରେ ବିରାଜମାନ ହେବେ । ତାଙ୍କ ପାର୍ଟି ଆୱାମୀ ଲିଗ୍ ୩୦୦ ଟି ସିଟ୍ ମଧ୍ୟରୁ ୨୦୪ ଟି କବ୍ଚା କରିବାରେ ହୋଇଛି ସଫଳ । ଆଉ ଶେଖ ହସିନାଙ୍କ ବଡ଼ ବିଜୟ ପରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସହ ଫୋନରେ କଥା ହୋଇ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ କଥା ହୋଇଛି ଏବଂ ନିର୍ବାଚନରେ ଐତିହାସିକ ବିଜୟ ପାଇଁ ମୁଁ ବାଂଲାଦେଶବାସୀଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି । ବାଂଲାଦେଶ ସହିତ ଆମର ସ୍ଥାୟୀ ଏବଂ ଜନକେନ୍ଦ୍ରିକ ଭାଗିଦାରୀକୁ ଆହୁରି ମଜବୁତ କରିବାକୁ ଆମେ ପ୍ରତିବଦ୍ଧ ।

ସୂଚନାଯୋଗ୍ୟ, ବାଂଲାଦେଶରେ ରବିବାର (ଜାନୁଆରୀ ୭) ସାଧାରଣ ନିର୍ବାଚନ ପାଇଁ ମତଦାନ ହୋଇଥିଲା, ଯେଉଁଥିରେ ଶେଖ ହସିନାଙ୍କ ନେତୃତ୍ୱାଧୀନ ଆୱାମୀ ଲିଗ୍ ଦଳ ବିପୁଳ ବିଜୟ ହାସଲ କରିଥିଲା । ତେବେ ନିର୍ବାଚନରେ ଭୋଟ୍ କମ୍ ରହିଥିଲା । ବାଂଲାଦେଶରେ ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ଏବଂ ଏହାର ସହଯୋଗୀ ଦଳ ନିର୍ବାଚନ ବର୍ଜନ କରିଛନ୍ତି ।
ଲଗାତାର ଅଷ୍ଟମ ଥର ପାଇଁ ସଂସଦୀୟ ନିର୍ବାଚନରେ ଶେଖ ହସିନା ଜିତିଛନ୍ତି । ସେ ବାଂଲାଦେଶ ସୁପ୍ରିମ ପାର୍ଟିର ପ୍ରାର୍ଥୀ ଏମ ନିଜାମୁଦ୍ଦିନ ଲଶକରଙ୍କୁ ଗୋପାଳଗଞ୍ଜ -୩ ସଂସଦୀୟ ଆସନରୁ ୨.୪୯ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ୨ ଲକ୍ଷ ୪୯ ହଜାର ୯୬୫ ଭୋଟ୍ ମିଳିଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ନିଜାମୁଦ୍ଦିନ ମାତ୍ର ୪୬୯ ଭୋଟ୍ ପାଇଛନ୍ତି ।
ବାଂଲାଦେଶ ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ରବିବାର (୦୭ ଜାନୁଆରୀ) ରେ ହୋଇଥିବା ନିର୍ବାଚନରେ ଏଥର କେବଳ ୪୦ ପ୍ରତିଶତ ଭୋଟ୍ ହୋଇଥିଲା । ତେବେ, ଏହା ପୂର୍ବରୁ ୨୦୧୮ ନିର୍ବାଚନରେ ୮୦ ପ୍ରତିଶତ ମତଦାନ ହୋଇଥିଲା ।












Click it and Unblock the Notifications