ପୁଟିନ କଲେ ନିମନ୍ତ୍ରଣ ଋଷ ଯିବେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ କାହିଁକି?
ରୁଷ୍-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ କରିବେ ଋଷ ଗସ୍ତ । ପାଖାପାଖି ୫ ବର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହା ହେଉଛି ଋଷ ଗସ୍ତ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କରିଛନ୍ତି। ଜୁଲାଇ ୮ ଓ ୯ତାରିଖରେ ମୋଦି ମସ୍କୋରେ ରହିବେ। ମୋଦୀ ୨୨ତମ ଭାରତ-ରୁଷିଆ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଋଷ ଗସ୍ତ ଉପରେ ସାରା ବିଶ୍ୱର ନଜର ରହିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଋଷ ଉତ୍ସୁକତାର ସହ ଅପେକ୍ଷା କରିଛି । ପିଏମ ମୋଦୀଙ୍କ ଏହି ଗସ୍ତରେ ପୁଟିନ ପାଶ୍ଚାତ୍ୟର ଯୋଜନାକୁ ଗୁରୁତ୍ୱ ଦେବେ ବୋଲି କୁହାଯାଉଛି । ଏହା ସହ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ଏହି ସାକ୍ଷାତ ପାଶ୍ଚାତ୍ୟ ରାଷ୍ଟମାନଙ୍କ ଉପରେ ପ୍ରଭାବ ପକାଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି ।
ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହା ହେଉଛି ପ୍ରଥମ ଗସ୍ତ। ୨୦୨୨ ଫେବ୍ରୁଆରୀରେ ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା। ପାଶ୍ଚାତ୍ୟଦେଶର ଚାପ ସତ୍ତ୍ୱେ ଭାରତ ପୁଟିନଙ୍କୁ ସମର୍ଥନ କରିବା ସହ ତାଙ୍କଠାରୁ ତେଲ କିଣିବା ଜାରି ରଖିଥିଲା। ଏହି କାରଣରୁ ଯୁଦ୍ଧ ପରିସ୍ଥିତିରେ ମଧ୍ୟ ଋଷ ପାଖରେ ଅର୍ଥର ଅଭାବ ନଥିଲା। ତେବେ ଋଷ ଶାନ୍ତି ସପକ୍ଷରେ ବୋଲି ଭାରତ ସ୍ପଷ୍ଟ କରିଛି। ଋଷ -ୟୁକ୍ରେନ୍ ଯୁଦ୍ଧର ଏକମାତ୍ର ସମାଧାନ ଶାନ୍ତି ଆଲୋଚନା ବୋଲି ପ୍ରଧାନମନ୍ତ୍ରୀ ମୋଦୀ ବାରମ୍ବାର କହିଆସୁଛନ୍ତି ।












Click it and Unblock the Notifications