ଗୁଏନାରେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦକ୍ଷିଣ ଆମେରିକୀୟ ଦେଶ ଗୁଏନା ପହଞ୍ଚିଛନ୍ତି । ତିନି ଦେଶ ଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ପିଏମ୍ ମୋଦୀ କ୍ଷୁଦ୍ର ଦେଶ ଗୁଏନା ପହଞ୍ଚିଛନ୍ତି । ଦୁଇ ଦେଶର ସମ୍ପର୍କ ଦୃଷ୍ଟିରୁ ଏହି ଯାତ୍ରା ଐତିହାସିକ ବୋଲି କୁହାଯାଉଛି । ୫୬ ବର୍ଷ ପରେ ଭାରତର କୌଣସି ପ୍ରଧାନମନ୍ତ୍ରୀ ଗୁଏନା ଗସ୍ତ କରିଛନ୍ତି ।
ଗୁଏନା ରାଜଧାନୀ ଜର୍ଜଟାଉନରେ ଓହ୍ଲାଇବା ପରେ ପିଏମ୍ ମୋଦୀଙ୍କ ଭଗ୍ୟ ସ୍ୱାଗତ ହୋଇଛି । ବିମାନ ବନ୍ଦରରେ ଗୁଏନା ରାଷ୍ଟ୍ରପତି ଇରଫାନ୍ ଅଲି, ସମକକ୍ଷ ମାର୍କ ଅନ୍ଥନୀ ଫିଲିପ୍ସ ଏବଂ ୧୨ ଜଣ କ୍ୟାବିନେଟ୍ ମନ୍ତ୍ରୀ ପିଏମ୍ ମୋଦୀଙ୍କୁ ସ୍ୱାଗତ କରିଛନ୍ତି । ଅନ୍ୟପଟେ ହୋଟେଲରେ ଗ୍ରେନେଡା ପ୍ରଧାନମନ୍ତ୍ରୀ ଡିକନ୍ ମିଶେଲ ଏବଂ ବାରବାଡୋସ ପ୍ରଧାନମନ୍ତ୍ରୀ ମିୟା ଓମାର ମୋଟଲି ଉପସ୍ଥିତ ଅଛନ୍ତି ।

ରାଜଧାନୀ ଜର୍ଜଟାଉନ୍ ପହଞ୍ଚିବା ପରେ ପିଏମ୍ ମୋଦୀ କହିଛନ୍ତି, ତାଙ୍କର ଏହି ଯାତ୍ରା ଦୁଇ ଦେଶ ମଧ୍ୟରେ ବନ୍ଧୁତାକୁ ଅହୁରି ମଜଭୁତ କରିବ । ଭାରତ-ଗୁଏନାର ଘନିଷ୍ଠ ସମ୍ପର୍କ ପ୍ରମାଣ ରୂପେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜର୍ଜଟାଉନ ସହରର ଚାବି ମଧ୍ୟ ଦିଆଯାଇଛି । ରାଷ୍ଟ୍ରପତି ମହମ୍ମଦ ଇରଫାନ ଅଲିଙ୍କ ନିମନ୍ତ୍ରଣରେ ପିଏମ୍ ମୋଦୀ ଦୁଇ ଦିନିଆ ଗୁଏନା ଯାତ୍ରା କରିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁସାରେ ଗୁଏନାରେ ୪୦ ପ୍ରତିଶତ ଲୋକ ଭାରତୀୟ ବଂଶୋଦ୍ଭବ ଅଛନ୍ତି ।
ପିଏମ୍ ମୋଦୀ ଦ୍ୱିତୀୟ 'ଭାରତ-କ୍ୟାରିକମ୍' ଶିଖର ସମ୍ମିଳନୀରେ କ୍ୟାରେବିୟନ ସହଯୋଗୀ ଦେଶର ନେତାଙ୍କ ସହ ବୈଠକ କରିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଯାତ୍ରା ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ, କାରଣ ଗୁଏନାରେ ଚୀନର ବଢୁଥିବା ଉପସ୍ଥିତି ଏହି କ୍ଷେତ୍ରରେ ଭାରତ ପାଇଁ ଚିନ୍ତାର ଏକ ବଡ଼ କାରଣ ହୋଇଛି ।












Click it and Unblock the Notifications