ଝାରସୁଗୁଡ଼ା ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦି; ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ପହଞ୍ଚିଲେ
ଝାରସୁଗୁଡ଼ା ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦି। ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ପହଞ୍ଚିଲେ । ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା।

ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଝାରସୁଗୁଡାରେ ପହଞ୍ଚିଲେ ମୋଦି । ବାୟୁସେନାର ସ୍ବତନ୍ତ୍ର ବିମାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ । ବିମାନବନ୍ଦରରେ ରାଜ୍ୟପାଳ ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ୱାଗତ କରିଛନ୍ତି । ବିମାନବନ୍ଦର ବାହାରେ ପାରମ୍ପରିକ ନାଚ ଗୀତ ମାଧ୍ୟମରେ ମୋଦିଙ୍କୁ ସ୍ବାଗତ କରାଯାଇଛି । ବିମାନ ବନ୍ଦରରେ ପହଞ୍ଚିବା ପରେ ରୋଡ ଶୋରେ ଅମଲିପାଲି ସମାବେଶ ସ୍ଥଳକୁ ଯାଉଛନ୍ତି ।
ଓଡ଼ିଶା ଆସିବା ନେଇ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ । ଏହି ଗସ୍ତରେ ୬୦ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶା ପାଇଁ ୧୭୦୦ କୋଟି ଟଙ୍କାର ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ସଡ଼କ, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ବିଭିନ୍ନ ଉନ୍ନୟନମୂଳକ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ତଥା ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି।
ଓଡ଼ିଶା ଆସିବା ନେଇ ମୋଦିଙ୍କ ଟ୍ବିଟ୍ । ଝାରସୁଗୁଡ଼ା ଆସିବା ନେଇ 'X'ରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶକୁ ୬୦ ହଜାର କୋଟିର ଭେଟି ଦେବେ ପ୍ରଧାନମନ୍ତ୍ରୀ । ଝାରସୁଗୁଡ଼ାରୁ ୬୦ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୋଦି । ଏହି ପ୍ରକଳ୍ପଗୁଡ଼ିକ ଦୂରସଞ୍ଚାର, ରେଳବାଇ, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ ଏବଂ ଗ୍ରାମୀଣ ଗୃହ ନିର୍ମାଣ ସମେତ ବିଭିନ୍ନ କ୍ଷେତ୍ର ସହ ଜଡ଼ିତ। ପ୍ରାୟ ୩୭ ହଜାର କୋଟି ବ୍ୟୟରେ ନିର୍ମିତ ୯୭ ହଜାର ୫୦୦ରୁ ଅଧିକ ମୋବାଇଲ୍ 4ଜି ଟାୱାରକୁ ଉଦଘାଟନ କରିବେ। ଏହି ଟାୱାରଗୁଡ଼ିକ ସୌରଶକ୍ତି ଦ୍ୱାରା ପରିଚାଳିତ। ଏହି ଟାୱାର ପ୍ରାୟ ୨୬,୭୦୦ ଅପହଞ୍ଚ ଗ୍ରାମକୁ ସଂଯୋଗ କରିବ। ଏଥିସହିତ ୨୦ ଲକ୍ଷରୁ ଅଧିକ ନୂତନ ଗ୍ରାହକଙ୍କୁ ସେବା ଯୋଗାଇବ । ପ୍ରଧାନମନ୍ତ୍ରୀ ୮ଟି ଆଇଆଇଟିର ସମ୍ପ୍ରସାରଣ ପାଇଁ ଶିଳାନ୍ୟାସ କରିବେ। ଯାହା ଆଗାମୀ ଚାରି ବର୍ଷ ମଧ୍ୟରେ ୧୦,୦୦୦ ନୂତନ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସେବା ପ୍ରଦାନ କରିବ।
ପ୍ରଧାନମନ୍ତ୍ରୀ ଏହି ଅବସରରେ କେତେକ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ । ବ୍ରହ୍ମପୁର ଏବଂ ଉଧନା (ସୁରଟ) ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ। ଓଡ଼ିଶା ଦକ୍ଷତା ବିକାଶ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଯାହା ସମ୍ବଲପୁର ଏବଂ ବ୍ରହ୍ମପୁରରେ ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରିବ । ଏହା ବ୍ୟତୀତ, ୫ଟି ଆଇଟିଆଇକୁ ଉତ୍କର୍ଷ ଆଇଟିଆଇରେ ଉନ୍ନୀତ କରାଯିବ । ୨୫ଟି ଆଇଟିଆଇକୁ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରାଯିବ । ବୈଷୟିକ ତାଲିମ ପ୍ରଦାନ ଲାଗି ଏକ ନୂତନ ପ୍ରିସିସନ୍ ଇଞ୍ଜିନିୟରିଂ ଭବନ ପ୍ରତିଷ୍ଠା କରାଯିବ ।
ରାଜ୍ୟରେ ଡିଜିଟାଲ ଶିକ୍ଷାକୁ ବୃଦ୍ଧି କରିବା ପାଇଁ, ପ୍ରଧାନମନ୍ତ୍ରୀ ୧୩୦ ଟି ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ୱାଇ-ଫାଇ ସୁବିଧାର ଲୋକାର୍ପଣ କରିବେ। ଯାହା ଅଢ଼େଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପାଇଁ ମାଗଣା ଦୈନିକ ଡାଟା ପ୍ରଦାନ କରିବ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଓଡ଼ିଶାରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ମିଳିବ । ସେ ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଏବଂ ସମ୍ବଲପୁର ଭୀମସାରକୁ ବିଶ୍ୱସ୍ତରୀୟ ସୁପର-ସ୍ପେଶାଲିଟି ହସ୍ପିଟାଲରେ ଉନ୍ନୀତ କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହା ସହିତ, ପ୍ରଧାନମନ୍ତ୍ରୀ ଅନ୍ତ୍ୟୋଦୟ ଗୃହ ଯୋଜନା ଅଧୀନରେ ୫୦,୦୦୦ ହିତାଧିକାରୀଙ୍କୁ ମଞ୍ଜୁରୀ ଆଦେଶ ବଣ୍ଟନ କରିବେ।












Click it and Unblock the Notifications