ଆସନ୍ତାକାଲି ସଙ୍ଗମରେ ବୁଡ଼ ପକାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର (ଫେବୃଆରୀ ୧୦ ତାରିଖ) ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭ ମେଳା ପରିଦର୍ଶନ କରି ସଙ୍ଗମରେ ସ୍ନାନ କରିବେ ବୋଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଠ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ପ୍ରୟାଗରାଜରେ ରହିବେ। ଏହି ସମୟରେ ସେ ସଙ୍ଗମରେ ବୁଡ଼ ପକାଇ ସ୍ନାନ କରିବା ସହ ସେ ଅକ୍ଷୟବଟ ଏବଂ ବଡ଼ ହନୁମାନ ମନ୍ଦିରରେ ଦର୍ଶନ ସହ ପୂଜା କରିବେ। ଏହି ସମୟରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିବେ।

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖାଯାଇ ପ୍ରୟାଗରାଜରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଷ୍ଟ୍ରପତି ସକାଳୁ ସଂଗମ ସ୍ଥଳୀରେ ପହଞ୍ଚି, ତ୍ରିବେଣୀ ସଂଗମରେ ବୁଡ଼ ପକାଇବେ। ଦେଶର ପ୍ରଥମ ନାଗରିକଙ୍କର ସଂଗମରେ ବୁଡ଼ ପକାଇବା ଏକ ଐତିହାସିକ ମୁହୂର୍ତ୍ତ ରହିବ। ପୌଷ ପୂର୍ଣ୍ଣିମା (ଜାନୁଆରୀ ୧୩)ରୁ ଆରମ୍ଭ ହୋଇଥିବା ବିଶ୍ୱର ସର୍ବବୃହତ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସମାବେଶ ମହାକୁମ୍ଭ ସାରା ବିଶ୍ୱରୁ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିଥାଏ। ଏହା ଫେବ୍ରୁଆରି ୨୬ ମହାଶିବରାତ୍ରୀ ପର୍ଯ୍ୟନ୍ତ ଚାଲିବ।












Click it and Unblock the Notifications