ଭାରତର ସମ୍ବିଧାନ ଏକ ସକ୍ରିୟ ଏବଂ ପ୍ରଗତିଶୀଳ ଦସ୍ତାବିଜ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ସାରା ଦେଶରେ ଆଜି ସମ୍ବିଧାନ ଦିବସ ପାଳନ କରାଯାଉଛି । ଭାରତୀୟ ସମ୍ବିଧାନ ଗ୍ରହଣର ୭୫ ବର୍ଷ ଉପଲକ୍ଷେ ଆଜିଠାରୁ ଏକ ବର୍ଷ ବ୍ୟାପି ଉତ୍ସବ ପାଳନ କରାଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ୨୦୨୫ ନଭେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଏହି ଉତ୍ସବ ଚାଲିବ । ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଭାରତର ସମ୍ବିଧାନ ସଭା, ସମ୍ବିଧାନକୁ ଗ୍ରହଣ କରିଥିଲା ଏବଂ ଏହା
୧୯୫୦ ଜାନୁଆରୀ ୨୬ରେ କାର୍ଯ୍ୟକାରୀ ହୋଇଥିଲା ।
୨୦୧୫ ମସିହାରେ ପ୍ରଥମ ସମ୍ବିଧାନ ଦିବସ ପାଳନ କରାଯାଇଥିଲା । ଏନ୍ଡିଏ ସରକାର ସମ୍ବିଧାନ ଡ୍ରାଫ୍ଟିଙ୍ଗ୍ କମିଟିର ଅଧ୍ୟକ୍ଷ ଭାବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଡକ୍ଟର ବି.ଆର୍. ଆମ୍ବେଦକରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଏହି ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ଐତିହାସିକ ଦସ୍ତାବିଜ ପ୍ରସ୍ତୁତ କରିବା ଲାଗି ସମ୍ବିଧାନ ସଭାକୁ ୨ବର୍ଷ ୧୧ ମାସ ୧୭ ଦିନ ସମୟ ଲାଗିଥିଲା । ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଭାରତର ସମ୍ବିଧାନ ସଭା' ସମ୍ବିଧାନକୁ ଗ୍ରହଣ କରିଥିଲା, ଯାହାକୁ ୧୯୫୦ମସିହା ଜାନୁଆରୀ ୨୬ ତାରିଖରେ କାର୍ଯ୍ୟକାରୀ କରାଯାଇଥିଲା ।
ଆମ ସମ୍ବିଧାନ ଭାରତକୁ ଏକ ସାର୍ବଭୌମ, ସମାଜବାଦୀ, ଧର୍ମନିରପେକ୍ଷ ଏବଂ ଗଣତାନ୍ତ୍ରିକ ରାଷ୍ଟ୍ରଭାବେ ଘୋଷଣା କରିଛି । ଏହାର ନାଗରିକମାନଙ୍କୁ ନ୍ୟାୟ, ସମାନତା ଏବଂ ସ୍ୱାଧୀନତାର ପ୍ରତିଶ୍ରୁତି ଦେବା ସହ ଭାଇଚାରାକୁ ପ୍ରୋତ୍ସାହିତ କରିବାକୁ ପ୍ରୟାସ କରୁଛି । ଏହା ବିଶ୍ୱର କୌଣସି ସାର୍ବଭୌମ ଦେଶର ସବୁଠାରୁ ଦୀର୍ଘ ଲିଖିତ ସମ୍ବିଧାନ ।
ଭାରତର ସମ୍ବିଧାନ ଏକ ସକ୍ରିୟ ଏବଂ ପ୍ରଗତିଶୀଳ ଦସ୍ତାବିଜ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି । ସମ୍ବିଧାନ ଦିବସ ଉପଲକ୍ଷେ ନୂଆଦିଲ୍ଲୀର ସମ୍ବିଧାନ ସଦନର କେନ୍ଦ୍ରୀୟ କକ୍ଷରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ସମ୍ବିଧାନ ଜରିଆରେ ଦେଶ ସାମାଜିକ ନ୍ୟାୟ ଏବଂ ସମାବେଶୀ ବିକାଶ ଲକ୍ଷ୍ୟ ହାସଲ କରିଛି । ସେ କହିଛନ୍ତି ସମାଜର ସବୁ ବର୍ଗ ବିଶେଷକରି ଦୁର୍ବଳ ବର୍ଗଙ୍କ କଲ୍ୟାଣ ପାଇଁ ସରକାର ବିଗତ ବର୍ଷ ଗୁଡ଼ିକରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ।
ଗରିବ ଲୋକମାନେ ନିଜସ୍ୱ ଘର ପାଉଛନ୍ତି ଏବଂ ଦେଶରେ ବିଶ୍ୱସ୍ତରୀୟ ଭିତ୍ତିଭୂମିର ବିକାଶ କରାଯାଇଛି ବୋଲି ରାଷ୍ଟ୍ରପତି କହିଛନ୍ତି । ସେ କହିଛନ୍ତି ଲୋକସଭା ଓ ରାଜ୍ୟ ବିଧାନସଭା ଗୁଡ଼ିକରେ ମହିଳା ସଂରକ୍ଷଣ ସଂପର୍କିତ ନାରୀଶକ୍ତି ବନ୍ଦନ ଅଧିନିୟମ ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ନୂଆ ଯୁଗ ସୃଷ୍ଟି କରିଛି । ଏହି ଅବସରରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ କହିଛନ୍ତି, ଆଜିର ଦିନ ଏକ ଐତିହାସିକ ମାଇଲ୍ ଖୁଣ୍ଟ, କାରଣ ଦେଶ ଏହାର ସମ୍ବିଧାନ ଗ୍ରହଣ କରିବାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି ।
ବିଶ୍ୱର ସର୍ବବୃହତ ଏବଂ ସକ୍ରିୟ ଗଣତନ୍ତ୍ର ପାଇଁ ଏହା ଏକ ଉଲ୍ଲେଖନୀୟ ଉପଲବ୍ଧି ବୋଲି ଉପରାଷ୍ଟ୍ରପତି କହିଛନ୍ତି । ସେ କହିଛନ୍ତି ଦେଶର ଅର୍ଥନୈତିକ ଅଭିବୃଦ୍ଧି, ସୁଦୃଢ଼ ଭିତ୍ତିଭୂମି ଓ ବ୍ୟାପକ ଡିଜିଟାଲ୍ ବ୍ୟବସ୍ଥା ଆନ୍ତର୍ଜାତିକ କ୍ଷେତ୍ରରେ ସ୍ୱୀକୃତି ପ୍ରଦାନ କରିଛି । ଏହି ସଫଳତା ପ୍ରମାଣ କରୁଛି ଯେ ଆମ ସମ୍ବିଧାନ ଭାରତୀୟ ଗଣତନ୍ତ୍ରକୁ ପ୍ରଭାବଶାଳୀ କରିଛି । ସମ୍ବିଧାନର ମୂଳ ମୂଲ୍ୟବୋଧ ଉପରେ ପ୍ରତିଫଳନ କରିବା ଏବଂ ଏହାର ପ୍ରତିବଦ୍ଧତାକୁ ଦୋହରାଇବା ଲାଗି ସେ ଆହ୍ୱାନ ଦେଇଛନ୍ତି ।

ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଭାରତୀୟ ସମ୍ବିଧାନ ହେଉଛି ଭାରତୀୟଙ୍କ ବର୍ଷବର୍ଷର ତପସ୍ୟା, ତ୍ୟାଗ, ବିଜ୍ଞତା ଏବଂ ଶକ୍ତିର ଫଳ । ଦେଶର ଭୌଗୋଳିକ ଓ ସାମାଜିକ ବିବିଧତାକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବା ପାଇଁ ୩ ବର୍ଷର କଠିନ ପରିଶ୍ରମ ପରେ ସମ୍ବିଧାନ ପ୍ରସ୍ତୁତ ହୋଇଥିଲା । ଆଜି ଦେଶର ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନ ପାଇଁ ସମ୍ବିଧାନ ଏକ ପ୍ରେରଣାପୂର୍ଣ୍ଣ ଶକ୍ତି ପ୍ରମାଣିତ ହୋଇଛି ବୋଲି ଶ୍ରୀ ବିର୍ଲା କହିଛନ୍ତି ।
ଏହି ଅବସରରେ ରାଷ୍ଟ୍ରପତି ଏକ ସ୍ମାରକୀ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚନ କରିଛନ୍ତି । ସେ ମେକିଙ୍ଗ୍ ଅଫ୍ ଦ କନ୍ଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡିଆ - 'ଏ ଗ୍ଲିମ୍ପସ୍ ଏବଂ ମେକିଙ୍ଗ୍ ଅଫ୍ ଦ କନ୍ଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡିଆ ଆଣ୍ଡ ଇଟସ୍ ଗ୍ଲୋରିୟର୍ସ୍ ଜର୍ଣ୍ଣି' ଶୀର୍ଷକ ଦୁଇଟି ପୁସ୍ତକ ମଧ୍ୟ ଉନ୍ମୋଚନ କରିଛନ୍ତି ସମାରୋହରେ ସଂସ୍କୃତ ଏବଂ ମୈଥିଲି ଭାଷାରେ ସମ୍ବିଧାନ ପ୍ରକାଶିତ ହେବା ସହ ଭାରତୀୟ ସମ୍ବିଧାନର ସ୍ୱତନ୍ତ୍ରତା ପ୍ରତି ସମର୍ପିତ ଏକ ପୁସ୍ତିକା ଉନ୍ମୋଚିତ ହୋଇଛି । ଆୟୋଜିତ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀଗଣ, ଲୋକସଭା ଓ ରାଜ୍ୟସଭାରେ ବିରୋଧୀଦଳ ନେତା, ସାଂସଦ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।












Click it and Unblock the Notifications