ବିଚାରପତିଙ୍କ ସଂଖ୍ୟା ୩୩ ରୁ ୩୭ କୁ ବୃଦ୍ଧି କଲେ ରାଷ୍ଟ୍ରପତି
ସୁପ୍ରିମକୋର୍ଟରେ ମାମଲାଗୁଡ଼ିକର ଶୀଘ୍ର ଫଇସଲା ଏବଂ ବିଚାର ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ସୁପ୍ରିମକୋର୍ଟର ବିଚାରପତିଙ୍କ ମଞ୍ଜୁରୀପ୍ରାପ୍ତ ସଂଖ୍ୟାକୁ ୩୩ ରୁ ୩୭ କୁ ବୃଦ୍ଧି କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏ ସମ୍ପର୍କିତ 'ସୁପ୍ରିମକୋର୍ଟ (ବିଚାରପତିଙ୍କ ସଂଖ୍ୟା) ସଂଶୋଧନ ଅଧ୍ୟାଦେଶ, ୨୦୨୬' ଜାରି କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଦେଲେ ସୂଚନା
କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଅର୍ଜୁନ ରାମ ମେଘୱାଲ ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ରେ ପୋର୍ଟ କରି ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, "ରାଷ୍ଟ୍ରପତି ସୁପ୍ରିମକୋର୍ଟ (ବିଚାରପତିଙ୍କ ସଂଖ୍ୟା) ଆଇନ, ୧୯୫୬କୁ ସଂଶୋଧନ କରି ପ୍ରଧାନ ବିଚାରପତିଙ୍କୁ ବାଦ୍ ଦେଇ ବିଚାରପତିଙ୍କ ସଂଖ୍ୟା ୩୩ ରୁ ୩୭ କୁ ବୃଦ୍ଧି କରିଛନ୍ତି।"
ସର୍ବମୋଟ ବିଚାରପତିଙ୍କ ସଂଖ୍ୟା ହେବ ୩୮
ଏହି ନୂଆ ସଂଶୋଧନ ପରେ ଏବେ ସୁପ୍ରିମକୋର୍ଟରେ ଭାରତର ପ୍ରଧାନ ବିଚାରପତି (CJI) ଙ୍କ ସମେତ ସର୍ବମୋଟ ମଞ୍ଜୁରୀପ୍ରାପ୍ତ ବିଚାରପତିଙ୍କ ସଂଖ୍ୟା ୩୮ କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ଗତ ମେ' ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା।
କାହିଁକି ନିଆଗଲା ଏହି ନିଷ୍ପତ୍ତି?
ପେଣ୍ଡିଂ ମାମଲାର ସମାଧାନ: ସୁପ୍ରିମକୋର୍ଟରେ କ୍ରମାଗତ ଭାବେ ବଢ଼ୁଥିବା ବ୍ୟାକ୍ଲଗ୍ ବା ପେଣ୍ଡିଂ ମାମଲାଗୁଡ଼ିକର ଶୀଘ୍ର ଶୁଣାଣି ପାଇଁ ଏହି ସଂଖ୍ୟା ବୃଦ୍ଧି କରାଯାଇଛି।
ନ୍ୟାୟିକ ଚାପ ହ୍ରାସ: ବିଚାରପତିଙ୍କ ସଂଖ୍ୟା ବଢ଼ିବା ଦ୍ୱାରା ଅଦାଲତର କାର୍ଯ୍ୟଭାର କମିବ ଏବଂ ଲୋକଙ୍କୁ ସଠିକ୍ ସମୟରେ ନ୍ୟାୟ ମିଳିପାରିବ।
ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟରେ ଏହା ପୂର୍ବରୁ ୨୦୧୯ ମସିହାରେ ସଂଶୋଧନ କରାଯାଇ ବିଚାରପତିଙ୍କ ସଂଖ୍ୟା ୩୦ ରୁ ୩୩ କୁ ବୃଦ୍ଧି କରାଯାଇଥିଲା। ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଆଇନଜୀବୀ ମହଲରେ ସ୍ୱାଗତ କରାଯାଇଛି।












Click it and Unblock the Notifications