ରାଇସିନା ହିଲରେ ଦ୍ରୌପଦୀଙ୍କ ପ୍ରଥମ ବର୍ଷ: ଗଣତାନ୍ତ୍ରିକ ଇତିହାସରେ ଯୋଡ଼ି ହୋଇଥିଲା ସ୍ବର୍ଣ୍ଣିମ ଅଧ୍ୟାୟ, ସାକ୍ଷୀ ଥିଲା ସଂସଦ
ଆଜିର ଦିନଟି ପ୍ରତି ଓଡ଼ିଆଙ୍କ ପାଇଁ କିଛି ଅଲଗା। ସାକ୍ଷୀ ଥିଲା ଗଣତନ୍ତ୍ରର ମନ୍ଦିର। ସାଢ଼େ ୪କୋଟି ଓଡ଼ିଆ ଗର୍ବର ସହ ଏହି ଦିନକୁ ଅପେକ୍ଷା କରିଥିଲେ। ଜଳ, ସ୍ଥଳ ଆଉ ଆକାଶ ସତେ ଯେମିତି ସମସ୍ତେ ଉଲ୍ଲସିତ ହେଉଥିଲେ। ସଭିଙ୍କ ମୁହଁରେ ଗୋଟିଏ ଶବ୍ଦ ଥିଲା ରାଷ୍ଟ୍ରପତି।
ଭାରତର ଗଣତାନ୍ତ୍ରିକ ଇତିହାସରେ ଯୋଡ଼ି ହୋଇଥିଲା ସ୍ବର୍ଣ୍ଣିମ ଅଧ୍ୟାୟ । ଆଜିକୁ ଠିକ୍ ବର୍ଷେ ତଳେ ଅର୍ଥାତ୍ ଜୁଲାଇ ୨୫, ୨୦୨୨ରେ ଦେଶର ୧୫ ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ପ୍ରତିଟି ଦେଶବାସୀଙ୍କ ମନରେ ଥିଲା ଖୁସି ଆଉ ଉଲ୍ଲାସ।
ଦେଶର ସର୍ବୋଚ୍ଚ ପଦବୀରେ ଅଳଙ୍କୃତ ହୋଇଥିଲେ ଦ୍ରୌପଦୀ ମୁର୍ମୁ। ସେ ଥିଲେ ପ୍ରଥମ ଆଦିବାସୀ ଓ ଦ୍ବିତୀୟ ମହିଳା ରାଷ୍ଟ୍ରପତି । ସେ ସକ୍ରିୟତାର ସହ ଦାୟିତ୍ବ ନିର୍ବାହ କରୁଛନ୍ତି। ଏହାରି ଭିତରେ ରାଷ୍ଟ୍ରପତି ଭାବରେ ରାଷ୍ଟ୍ରପତି ଦୌପଦୀ ମୂର୍ମୁଙ୍କ ଏକବର୍ଷ ପୂରଣ ହୋଇଛି ।

ଶପଥ ନେବା ସମୟରେ ସଂସଦର କେନ୍ଦ୍ରୀୟ କକ୍ଷରେ ଓଡ଼ିଶାର ମହାନ ସନ୍ଥକବି ଭୀମଭୋଇଙ୍କ 'ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ' ଉକ୍ତି ରାଷ୍ଟ୍ରପତିଙ୍କ ଆଗାମୀ କାର୍ଯ୍ୟଶୈଳୀର ସଙ୍କେତ ଦେଇଥିଲା।
ପ୍ରଥମେ ଶିକ୍ଷୟିତ୍ରୀରୁ ରାଜନୀତି , ବିଧାୟିକାରୁ ମନ୍ତ୍ରୀ ପରେ ମନ୍ତ୍ରୀରୁ ରାଜ୍ୟପାଳ ଆଉ ଏବେ ରାଜ୍ୟପାଳରୁ ରାଷ୍ଟ୍ରପତି। ଏମିତି ଥିଲା ରାଇରଙ୍ଗପୁରରୁ ରାଇସିନା ହିଲର ଯାତ୍ରା।
ରାଇରଙ୍ଗପୁର ଅନ୍ତର୍ଗତ ବାଲଦାପୋଷି ଅଂଚଳର ଦ୍ରୌପଦୀ ମୁର୍ମୁ ଶିକ୍ଷକତା ଛାଡ଼ି ୧୯୯୭ ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ। ବିଏ ପାସ୍ କରିଥିବା ମୁର୍ମୁ ରାଇରଙ୍ଗପୁର ଏନଏସି ଉପାଧ୍ୟକ୍ଷା ହୋଇଥିଲେ। ୨୦୦୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଓ ବିଜେପି ମେଣ୍ଟ ସରକାରରେ ମୁର୍ମୁ ବାଣିଜ୍ୟ ଓ ପରିବହନ, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ରାଇରଙ୍ଗପୁର ଆସନରୁ ସେ ୨୦୦୯ ମସିହା ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭା ସଦସ୍ୟ ଥିଲେ ।
ଦାରିଦ୍ର୍ୟ ଆଉ ସଂଘର୍ଷପୂର୍ଣ୍ଣ ଜୀବନ ଦୁଃଖକୁ ଚାପି ଲୁହକୁ ପିଇ ପଙ୍କରୁ ପଦ୍ମ ହୋଇ ଫୁଟିଥିଲେ ରାଷ୍ଟ୍ରପତି ମୁର୍ମୁ । ସ୍ବାମୀ ଓ ଦୁଇ ଦୁଇଟି ପୁଅକୁ ହରାଇ ସେ ହାରି ନଥିଲ ଜୀବନକୁ ବଞ୍ଚିଥିଲେ ।
୨୦୧୫ରେ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ହୋଇଥିଲେ । ଝାଡଖଣ୍ଡର ରାଜ୍ୟପାଳ ଭାବେ ସେ ୫ ବର୍ଷ ଦାୟିତ୍ୱ ତୁଲାଇଥିଲେ। ୨୦୨୧ରେ କାର୍ଯ୍ୟକାଳ ସରିବା ପରେ ଓଡିଶା ଫେରିଥିଲେ । ଏହାପରଠୁ ପରବର୍ତ୍ତୀ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ତାଙ୍କ ନାଁ ଚର୍ଚ୍ଚାରେ ରହିଥିଲା।
ରାଷ୍ଟ୍ରପତି ରୂପେ ବର୍ଷକର କାର୍ଯ୍ୟକାଳ ଭିତରେ ସେ ୨୬ଟି ରାଜ୍ୟ ଗସ୍ତ କରି ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବା ଓ ସେମାନଙ୍କ ସହିତ ଭାବ ବିନିମୟ କରିବାର ପ୍ରୟାସ କରିଛନ୍ତି । ଏହି ସମୟରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଶପଥ ପାଠ କରାଇବା ସହିତ ୧୩ ଜଣ ରାଜ୍ୟପାଳଙ୍କ ନିଯୁକ୍ତି, ସୁପ୍ରିମକୋର୍ଟର ଦୁଇ ପ୍ରଧାନ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି।
ସ୍ବାଧନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରପତି ଭବନ ଉଦ୍ୟାନ ମୋଗଲ ଗାର୍ଡେନକୁ ଅମୃତ ଉଦ୍ୟାନ ଭାବେ ନାମିତ କରିବା ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର ଅନ୍ୟ ଏକ ପ୍ରମୁଖ ଘଟଣା।
ଓଡ଼ିଶାବାସୀଙ୍କ ଖୁସିର ଦିନ ଯେ, ତାଙ୍କ କାର୍ଯ୍ୟକାଳକୁ ବର୍ଷେ ପୁରୁଥିବା ବେଳେ ସେ ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି।












Click it and Unblock the Notifications