ଲୋକ ସଭା ଭଙ୍ଗକଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ତୃତୀୟ ପାଳିରେ ସରକାର ଗଢିବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଜନତା ପାର୍ଟି । ଲୋକସଭା ଭଙ୍ଗ କରିବା ପାଇଁ କେନ୍ଦ୍ର କ୍ୟାବିନେଟର ସୁପାରିଶ । ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସପ୍ତଦଶ ଲୋକସଭା ଭଙ୍ଗ କରିଛନ୍ତି ।
ଏହି ଲୋକସଭା କାର୍ଯ୍ୟକାଳରେ ଅନେକ ଐତିହାସିକ ବିଲ୍ ଆଗତ ହୋଇ ଆଇନରେ ପରିଣତ ହୋଇଥିଲା । ସେପଟେ ଲୋକସଭା ନିର୍ବାଚନରେ ବହୁମତ ହାସଲ କରିବା ପରେ ଦିଲ୍ଲୀରେ ଚାଲିଥିବା ଏନଡିଏର ବୈଠକ ଶେଷ ହୋଇଛି । ଏହି ବୈଠକ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା ।

ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା, ଟିଡିପି ମୁଖ୍ୟ ଏମ.ଚନ୍ଦ୍ରବାବୁ ନାଇଡୁ, ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଲୋକ ଜନଶକ୍ତି ପ୍ରାର୍ଥୀ ନେତା ଚିରାଗ ପାସୱାନ, ରାଷ୍ଟ୍ରୀୟ ଲୋକଦଳ ନେତା ଜୟନ୍ତ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ ।
ଚଳିତ ଲୋକସଭା ନିର୍ବାଚନର ବିଜେପି ମ୍ୟାଜିକ୍ ନମ୍ବର ୨୭୨ ହାସଲ କରିବାରେ ବିଫଳ ହୋଇଥିବାବେଳେ ଏନ୍ଡିଏ ବହୁମତ ପାଇଛି । ତେବେ ତୃତୀୟ ଥର ପାଇଁ ଏନ୍ଡିଏ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ସେ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଆସନ୍ତା ୮ରେ ଶପଥ ନେବେ ବୋଲି ଜଣାପଡିଛି ।












Click it and Unblock the Notifications