୬୭ ବର୍ଷରେ ପାଦ ଥାପିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା
ଆଜି ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ। ୬୭ ବର୍ଷରେ ପାଦ ଥାପିଛନ୍ତି ଦେଶର ପ୍ରଥମ ନାଗରିକ ତଥା ପ୍ରିୟ ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତିଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। କହିଛନ୍ତି ତାଙ୍କ ଜୀବନ ଏବଂ ନେତୃତ୍ୱ ଦେଶର କୋଟି କୋଟି ଲୋକଙ୍କୁ ପ୍ରେରଣା ଦିଏ।

ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରିଛନ୍ତି, "ରାଷ୍ଟ୍ରପତିଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ତାଙ୍କ ଜୀବନ ଏବଂ ନେତୃତ୍ୱ ଦେଶର କୋଟି କୋଟି ଲୋକଙ୍କୁ ପ୍ରେରଣା ଦିଏ। ଜନସେବା, ସାମାଜିକ ନ୍ୟାୟ ଏବଂ ଦେଶର ବିକାଶ ପ୍ରତି ତାଙ୍କର ପ୍ରତିବଦ୍ଧତା ସମସ୍ତଙ୍କୁ ସାହସ ପ୍ରଦାନ କରେ ଏବଂ ଆଶାର କିରଣ। ସେ ସର୍ବଦା ଗରିବ ଏବଂ ବଞ୍ଚିତଙ୍କୁ ସଶକ୍ତ କରିବା ପାଇଁ କାର୍ଯ୍ୟ କରିଛନ୍ତି। ମୁଁ ତାଙ୍କର ଦୀର୍ଘ ଜୀବନ କାମନା କରୁଛି।"
ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ତୃଣମୂଳ ସ୍ତରରୁ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଭାରତର ଗଣତନ୍ତ୍ରର ଶକ୍ତିକୁ ପ୍ରତିଫଳିତ କରେ। ମୁଁ ତାଙ୍କୁ ରାଷ୍ଟ୍ର ସେବାରେ ଦୀର୍ଘ, ସୁସ୍ଥ ଏବଂ ପରିପୂର୍ଣ୍ଣ ଜୀବନ କାମନା କରୁଛି।
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ସେ X ରେ ପୋଷ୍ଟ କରି କହିଛନ୍ତି, 'ସେବା ଏବଂ ସରଳତାର ପ୍ରତୀକ, ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜୀଙ୍କୁ ଜନ୍ମଦିନର ବହୁତ ବହୁତ ଶୁଭେଚ୍ଛା! ମୁଁ ଆପଣଙ୍କ ଦୀର୍ଘ, ସୁସ୍ଥ ଏବଂ ସଫଳ ଜୀବନ ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।'
୧୯୫୮ ମସିହା ଆଜିର ଦିନରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଉପରବେଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ମ୍ୟାଡାମ୍ ପ୍ରେସିଡେଣ୍ଟ। ଦ୍ରୌପଦୀ ମୁର୍ମୁ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ଝାଡଖଣ୍ଡର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ। ସେ ୨୦୦୦ ରୁ ୨୦୦୯ ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାର ସଦସ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ସେ ଓଡ଼ିଶା କ୍ୟାବିନେଟରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଦ୍ରୌପଦୀ ମୁର୍ମୁ ୨୦୨୨ରେ ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।












Click it and Unblock the Notifications