ଆଙ୍ଗୋଲାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭବ୍ୟ ସ୍ବାଗତ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂପ୍ରତି ଆଫ୍ରିକା ଗସ୍ତରେ ଯାଇଥିବାବେଳେ ଶନିବାର ରାତିରେ ଆଙ୍ଗୋଲାର ରାଜଧାନୀ ଲୁଆଣ୍ଡାରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ଆଙ୍ଗୋଲା ବିଦେଶ ମନ୍ତ୍ରୀ ଟେଟେ ଆଣ୍ଟୋନିଓ ଶ୍ରୀମତୀ ମୁର୍ମୁଙ୍କୁ ସ୍ବାଗତ ଜଣାଇଥିଲେ। ରବିବାର ରାଷ୍ଟ୍ରପତି ଭବନରେ ଆଙ୍ଗୋଲା ରାଷ୍ଟ୍ରପତି ଜୋଆଓ ମାନୁଏଲ ଗନ୍କାଲଭେସ୍ ଲରେନ୍ସୋ ଶ୍ରୀମତୀ ମୁର୍ମୁଙ୍କୁ ଭବ୍ୟ ସ୍ବାଗତ ଜଣାଇଥିବାବେଳେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଦୁଇ ନେତା ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡିଛି। ଆଲୋଚନା ପରେ ଶ୍ରୀମତୀ ମୁର୍ମୁ ଓ ଲରେନ୍ସୋ ମିଳିତଭାବେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିିଛନ୍ତି। ଶ୍ରୀମତୀ ମୁର୍ମୁଙ୍କ ସମ୍ମାନାର୍ଥେ ଆଙ୍ଗୋଲା ରାଷ୍ଟ୍ରପତିଙ୍କ ତରଫରୁ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା।

ରାଷ୍ଟ୍ରପତି ମୁର୍ମୁ ଆସନ୍ତା ୧୧ରେ ଅନୁଷ୍ଠିତ ହେବାକୁ ଥିବା ଆଙ୍ଗୋଲା ସ୍ବାଧୀନତାପ୍ରାପ୍ତିର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେବା ସହ ପାର୍ଲାମେଣ୍ଟକୁ ମଧ୍ୟ ସମ୍ବୋଧିତ କରିବେ। ଏଥିସହିତ ଶ୍ରୀମତୀ ମୁର୍ମୁ ସେଠାରେ ବାସ କରୁଥିବା ଭାରତୀୟ ସମୁଦାୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ରାଷ୍ଟ୍ରପତି ମୁର୍ମୁଙ୍କ ସହ ରେଳ ଓ ଜଳଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭି.ସୋମନ୍ନା, ସାଂସଦ ପି.ଭି.ବାସଭ ଏବଂ ଡି.କେ.ଅରୁଣା ମଧ୍ୟ ଆଙ୍ଗୋଲା ଯାଇଛନ୍ତି। ଆଙ୍ଗୋଲା ପରେ ରାଷ୍ଟ୍ରପତି ମୁର୍ମୁ ବୋତ୍ୱାନା ଗସ୍ତ କରିବେ ବୋଲି ରାଷ୍ଟ୍ରପତି ଭବନ ସୂତ୍ରରୁ ଜଣାପଡିଛି।












Click it and Unblock the Notifications