ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଲାଗି ପ୍ରସ୍ତୁତି ଶେଷ, ଏହି ହେଭିୱେଟଙ୍କ ଆସନ୍ତାକାଲି ହେବ ଭାଗ୍ୟ ପରୀକ୍ଷା
ଭୁବନେଶ୍ୱର: ଆସନ୍ତାକାଲି ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ୧୨ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୮୮ ଆସନ ପାଇଁ ହେବ ମତଦାନ । ଭୋଟିଂ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ୧୩ଟି ରାଜ୍ୟର ମତଦାତା ୧୨୦୨ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଦ୍ୱିତୀୟ ପର୍ଯ୍ୟାୟରେ ୧୩ଟି ରାଜ୍ୟର ୮୮ଟି ଲୋକସଭା ଆସନ ପାଇଁ ଆସାମ, ବିହାର, ଛତିଶଗଡ଼, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ରାଜସ୍ଥାନ, ତ୍ରିପୁରା, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଜମ୍ମୁ-କଶ୍ମୀରରେ ମତଦାନ ହେବ ।
ବିହାରର ୫ଟି, ଛତିଶଗଡ଼ର ୩ଟି, କର୍ଣ୍ଣାଟକର ୧୪ଟି, ମଧ୍ୟପ୍ରଦେଶର ୭ଟି, ଉତ୍ତରପ୍ରଦେଶର ୮ଟି, ପଶ୍ଚିମବଙ୍ଗର ୩ଟି, ମହାରାଷ୍ଟ୍ରର ୮ଟି, ରାଜସ୍ଥାନର ୧୩ଟି, ମଣିପୁରର ଗୋଟିଏ, କେରଳର ୨୦, ତ୍ରିପୁରା ଏବଂ ଜମ୍ମୁ କଶ୍ମୀରର ଗୋଟିଏ ଲେଖାଏଁ ଆସନ ଏବଂ ଆସାମର ୫ଟି ସିଟ୍ ପାଇଁ ହେବ ମତଦାନ ।

ସକାଳ ୭ଟାରୁ ମତଦାନ ଆରମ୍ଭ ହେବ । ୧.୬୭ ଲକ୍ଷ ଭୋଟକେନ୍ଦ୍ରରେ ୧୬ ଲକ୍ଷରୁ ଅଧିକ ପୋଲିଂ ଅଫିସରଙ୍କୁ ନିଯୁକ୍ତ କରାଯାଇଛି । ୧୫.୮୮ କୋଟିରୁ ଊର୍ଦ୍ଧ୍ୱ ଭୋଟର ଏହି ପର୍ଯ୍ୟାୟରେ ମତାଧିକାର ସାବ୍ୟସ୍ତ କରିବେ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ।ଭୋଟରଙ୍କ ମଧ୍ୟରୁ ୮.୦୮ କୋଟି ପୁରୁଷ ଏବଂ ୭.୮ କୋଟି ମହିଳା ହୋଇଥିବା ବେଳେ ୫,୯୨୯ ତୃତୀୟ ଲିଙ୍ଗ ରହିଛନ୍ତି । ୩୪.୮ ଲକ୍ଷ ନୂଆ ଭୋଟର ଏଥର ପ୍ରଥମ ଥର ଭୋଟ ଦେବେ ।
ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ବିହାରର ୪ଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେତେକ ବୁଥରେ ମତଦାନ ସମୟ ବଢ଼ାଇଛନ୍ତି । ମଧ୍ୟପ୍ରଦେଶର ବେଟୁଲ ଆସନର ବିଏସ୍ପି ପ୍ରାର୍ଥୀଙ୍କ ପରଲୋକ ଯୋଗୁ ସେଠାର ନିର୍ବାଚନକୁ ତୃତୀୟ ପର୍ଯ୍ୟାୟକୁ ପରିବର୍ତ୍ତନ କରାଯାଇଛି । ଏହି ପର୍ଯ୍ୟାୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ବିଜେପିରୁ ଓମ୍ ବିର୍ଲା ଏବଂ ହେମା ମାଳିନୀଙ୍କ ସମେତ ଅନେକ ହେଭିୱେଟଙ୍କ ହେବ ଭାଗ୍ୟ ପରିକ୍ଷା












Click it and Unblock the Notifications