ଦ୍ବିତୀୟ ପ୍ରାର୍ଥୀ ତାଲିକା ଜାରି କଲା ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି
ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ସୋମବାର (୧୩ ଅକ୍ଟୋବର, ୨୦୨୫) ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିଛି। ଏହି ଅବସରରେ ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ମଧ୍ୟ ଉପସ୍ଥିତ ଥିଲେ। ଜନ ସୁରାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଉଦୟ ସିଂହ ଏବଂ ରାଜ୍ୟ ସଭାପତି ମନୋଜ ଭାରତୀ ମଧ୍ୟ ଉପସ୍ଥିତ ଥିଲେ। ଦ୍ୱିତୀୟ ତାଲିକାରେ ୬୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।
ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ଅନୁସାରେ, ଅଭୟକାନ୍ତ ଝା ଭାଗଲପୁରରୁ ପ୍ରାର୍ଥୀ ହେବେ। ଡକ୍ଟର ଶାହନୱାଜ ବରହରିଆ ଆସନରୁ ପ୍ରାର୍ଥୀ ହେବେ। ଶେଓହରରୁ ନୀରଜ ସିଂହ, ନାରକାଟିଆରୁ ଲାଲ ବାବୁ ଯାଦବ, କଲ୍ୟାଣପୁରରୁ ମନତୋଷ ସାହାନୀ, ସନ୍ଦେଶରୁ ରାଜୀବ ରଞ୍ଜନ ସିଂହ, ବାଜପଟ୍ଟିରୁ ଆଜମ ହୁସେନ ଅନୱର, ହରଲାଖିରୁ ରତ୍ନେଶ୍ୱର ଠାକୁର, ନରପତଗଞ୍ଜରୁ ଜନାର୍ଦ୍ଦନ ଯାଦବ ଏବଂ ଇସଲାମପୁରରୁ ତନୁଜା କୁମାରୀଙ୍କୁ ପ୍ରାର୍ଥୀ କରାଯାଇଛି।

ଏହା ପୂର୍ବରୁ ଜନ ସୁରାଜ ପାର୍ଟି ଅକ୍ଟୋବର ୯ ତାରିଖରେ ଏହାର ପ୍ରଥମ ତାଲିକା ପ୍ରକାଶ କରିଥିଲା । ଏଥିରେ ୫୧ ଜଣ ପ୍ରାର୍ଥୀଙ୍କ ନାମ ଥିଲା। ହେଲେ ପ୍ରଶାନ୍ତ କିଶୋର ନିଜେ ନିର୍ବାଚନ ଲଢ଼ିବେ କି ନାହିଁ ତାହା ସ୍ପଷ୍ଟ ହୋଇନଥିଲା। ପ୍ରଥମ ତାଲିକାରେ ସାମିଲ ଥିବା ପ୍ରମୁଖ ନାମଗୁଡ଼ିକ ମଧ୍ୟରେ ପୂର୍ବତନ ବିହାର କ୍ୟାଡର ଆଇପିଏସ ଅଧିକାରୀ ଆରକେ ମିଶ୍ର (ଦରଭଙ୍ଗା), ବରିଷ୍ଠ ଓକିଲ ଏବଂ ବରିଷ୍ଠ ନେତା ୱାଇଭି ଗିରି (ମାଞ୍ଝି), ପାଟନା ବିଶ୍ୱବିଦ୍ୟାଳୟ ଏବଂ ନାଳନ୍ଦା ମୁକ୍ତ ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି କେସି ସିହ୍ନା (କୁମ୍ହରାର), ଏବଂ ଭୋଜପୁରୀ ଗାୟକ ରିତେଶ ରଞ୍ଜନ ପାଣ୍ଡେ (କାରଗାହାର) ଅନ୍ତର୍ଭୁକ୍ତ। ତେବେ ଉଭୟ ପ୍ରଥମ ଏବଂ ଦ୍ବିତୀୟ ତାଲିକାରେ ଦଳର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କ ନାଁ ନାହିଁ ।
ଅନ୍ୟପକ୍ଷରେ, ପ୍ରଶାନ୍ତ କିଶୋର ଅକ୍ଟୋବର ୧୧ ତାରିଖରେ ରାଘୋପୁରରୁ ଆନୁଷ୍ଠାନିକ ଭାବରେ ତାଙ୍କର ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ। ତାଙ୍କ ଭାଷଣରେ ସେ କହିଥିଲେ ଯେ, ସେ 'ଆମେଠିରେ ରାହୁଲ ଗାନ୍ଧୀଙ୍କ ପରି' ତେଜସ୍ୱୀଙ୍କୁ ପରାସ୍ତ କରିବେ। ପ୍ରଶାନ୍ତ କିଶୋର ରାଘୋପୁରରେ ପହଞ୍ଚିବା ପରେ ତାଙ୍କୁ ଉଚ୍ଛ୍ୱସିତ ସ୍ୱାଗତ କରାଯାଇଥିଲା। ରାଲିରେ ପିକେ ଲୋକଙ୍କୁ ପଚାରିଥିଲେ, 'ଆପଣଙ୍କ ସ୍ଥାନୀୟ ବିଧାୟକ ଦୁଇଥର ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି।
ଆପଣ କେବେ ଆପଣଙ୍କ ସମସ୍ୟା ନେଇ ତାଙ୍କ ପାଖକୁ ଯାଇପାରିଛନ୍ତି କି ?' ଜନସାଧାରଣଙ୍କ ମିଶ୍ରିତ ପ୍ରତିକ୍ରିୟା ସୂଚାଇ ଦେଇଥିଲା ଯେ, ସାଧାରଣ ଭୋଟରଙ୍କ ପାଇଁ ତେଜସ୍ୱୀ ଯାଦବଙ୍କ ପାଖକୁ ପହଞ୍ଚିବା ସହଜ ନୁହେଁ। ଉଲ୍ଲେଖନୀୟ ଯେ, ଜନ ସୁରାଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କ ନାମ ଏହି ତାଲିକାରେ ନାହିଁ। ରାଘୋପୁର ଆସନକୁ ଖାଲି ରଖାଯାଇଛି। ବିଶ୍ୱାସ କରାଯାଉଛି ଯେ, ପ୍ରଶାନ୍ତ କିଶୋର ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ପ୍ରଥମ ତାଲିକାରେ ୫୧ ଏବଂ ଦ୍ୱିତୀୟ ତାଲିକାରେ ୬୫ ଜଣଙ୍କ ନାମ ସହିତ, ମୋଟ ୧୧୬ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି।












Click it and Unblock the Notifications