ଓଡ଼ିଶା ଉପକୂଳରେ ଗୋଟିଏ ଲଞ୍ଚରରୁ ଦୁଇଟି ପ୍ରଳୟ କ୍ଷେପଣାସ୍ତ୍ରର ସଫଳ ଉତ୍କ୍ଷେପଣ କଲା ଡି.ଆର୍.ଡି.ଓ
ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ-ଡି. ଆର୍.ଡି.ଓ. ଓଡ଼ିଶା ଉପକୂଳରୁ ଗୋଟିଏ ଲଞ୍ଚରରୁ ଗୋଟିକ ପରେ ଗୋଟିଏ ଦୁଇଟି ଦ୍ରୁତଗାମୀ ପ୍ରଳୟ କ୍ଷେପଣାସ୍ତ୍ରର ସଫଳ ଉତକ୍ଷେପଣ କରିଛି ବ୍ୟବହାରକାରୀଙ୍କ ମୂଲ୍ୟାଙ୍କନ ପରୀକ୍ଷଣର ଅଂଶସ୍ୱରୂପ ଏହି ପରୀକ୍ଷଣ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଉଭୟ କ୍ଷେପଣାସ୍ତ୍ର ସମସ୍ତ ଉଡ଼ାଣ ଉଦ୍ଦେଶ୍ୟ ପୂରଣ କରୁଥିବା ନିର୍ଦ୍ଦିଷ୍ଟ ଗତିପଥ ଅନୁସରଣ କରିଥିଲା ଯାହା ଚାନ୍ଦିପୁରର ସମନ୍ୱିତ ପରୀକ୍ଷଣ କେନ୍ଦ୍ର ଦ୍ୱାରା ନିୟୋଜିତ ଟ୍ରାକିଂ ସେନ୍ସର୍ ଦ୍ୱାରା ନିଶ୍ଚିତ ହୋଇଛି।
ଲକ୍ଷ୍ୟସ୍ଥଳ ନିକଟରେ ନିୟୋଜିତ ଜାହାଜରେ ସ୍ଥାପିତ ଟେଲିମେଟ୍ରି ସିଷ୍ଟମ୍ ଦ୍ୱାରା ଟର୍ମିନାଲ୍ ଇଭେଣ୍ଟଗୁଡିକ ନିଶ୍ଚିତ କରାଯାଇଥିଲା। ପ୍ରଳୟ ହେଉଛି ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ବିଧ୍ୱଂସୀ କ୍ଷେପଣାସ୍ତ୍ର ଯାହା ସଠିକତାର ସହ ଲକ୍ଷ୍ୟସ୍ଥଳ ଭେଦ କରିବାର କ୍ଷମତା ରଖେ। ଏହି କ୍ଷେପଣାସ୍ତ୍ର ବିଭିନ୍ନ ଲକ୍ଷ୍ୟ ବିରୁଦ୍ଧରେ ଏକାଧିକ ପ୍ରକାରର ଯୁଦ୍ଧାସ୍ତ୍ର ବହନ କରିବାକୁ ସକ୍ଷମ। ଅନ୍ୟ ଡି.ଆର୍.ଡି.ଓ. ପରୀକ୍ଷାଗାରମାନଙ୍କ ସହଯୋଗରେ ହାଇଦ୍ରାବାଦର ଗବେଷଣା କେନ୍ଦ୍ର ଇମାରତ୍ ଦ୍ୱାରା ଏହି କ୍ଷେପଣାସ୍ତ୍ରକୁ ବିକଶିତ କରାଯାଇଛି।

ଏହି ପରୀକ୍ଷଣକୁ ଡି.ଆର୍.ଡି.ଓ.ର ବରିଷ୍ଠ ବୈଜ୍ଞାନିକ, ଭାରତୀୟ ବାୟୁସେନା ଏବଂ ଭାରତୀୟ ସେନାର ବ୍ୟବହାରକାରୀଙ୍କ ପ୍ରତିନିଧି ତଥା ବିକାଶ ତଥା ଉତ୍ପାଦନ ଅଂଶୀଦାରଙ୍କ ସମେତ ଶିଳ୍ପ ପ୍ରତିନିଧିମାନେ ନିରୀକ୍ଷଣ କରିଥିଲେ। ଦ୍ରୁତ ଗତିରେ କ୍ଷେପଣାସ୍ତ୍ରର ସଫଳ ଉତକ୍ଷେପଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ' ଡି.ଆର୍.ଡି.ଓ., ଭାରତୀୟ ବାୟୁସେନା, ଭାରତୀୟ ସେନା, ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ଉଦ୍ୟୋଗ ଜଗତକୁ ପ୍ରଶଂସା କରିଛନ୍ତି। ପ୍ରଳୟ କ୍ଷେପଣାସ୍ତ୍ରର ସଫଳ ଉତକ୍ଷେପଣ ଫଳରେ ଏହାର ବିଶ୍ୱସନୀୟତା ପ୍ରତିଷ୍ଠିତ ହୋଇଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।












Click it and Unblock the Notifications