ଗିରଫ ହେଲେ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଭାଇ ସୂରଜ , ଜାଣନ୍ତୁ ତାଙ୍କ ବିରୋଧରେ କଣ ରହିଛି ମାମଲା
ନୂଆଦିଲ୍ଲୀ: ଗିରଫ ହେଲେ ଜେଡିଏସ୍ ନେତା ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଭାଇ ସୂରଜ ରେଭାନ୍ନା । ପାର୍ଟି କର୍ମୀଙ୍କ ସହ ଅସଦାଚରଣ ଅଭିଯୋଗରେ ଜେଡିଏସ୍ ବିଧାୟକ ସୁରଜ ରେଭାନ୍ନାଙ୍କୁ ରବିବାର ଗିରଫ କରାଯାଇଛି । ଏହି ସୂଚନା ହାସନ ପୋଲିସ ସୂତ୍ରରୁ ସାମ୍ନାକୁ ଆସିଛି । ସୂରଜ ଜଣେ ଜେଡିଏସ କାର୍ଯ୍ୟକର୍ତ୍ତାଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି ।
ଜେଡିଏସର ବିଧାନ ପରିଷଦ ସଦସ୍ୟ ସୂରଜ ଜଣେ ୨୭ ବର୍ଷୀୟ କାର୍ଯ୍ୟକର୍ତ୍ତାଙ୍କୁ ଫାର୍ମ ହାଉସରେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ଶନିବାର ଅଭିଯୋଗର ପ୍ରାଥମିକ ଯାଞ୍ଚ ପରେ ପୁଲିସ୍ ସୂରଜଙ୍କ ନାଁରେ ମାମଲା ରୁଜୁ କରିଥିଲା । ଏହାପରେ ଆଜି ତାଙ୍କୁ ଗିରଫ କରାଯାଇଛି । ଅଭିଯୋଗ ଅନୁସାରେ, ଜୁନ୍ ୧୬ ତାରିଖରେ ପୀଡିତ ଯୁବକଙ୍କୁ ସୂରଜ ତାଙ୍କ ଫାର୍ମ ହାଉସକୁ ଡାକିଥିଲେ ।

ଫାର୍ମ ହାଉସରେ ପହଞ୍ଚିବା ପରେ ସୂରଜ ବଳପୂର୍ବକ ଉକ୍ତ ଯୁବକଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ଯଦି ସେ ତାଙ୍କୁ ସହଯୋଗ ନ କରିବେ ଏବଂ ଏ ବିଷୟରେ ଯଦି କାହାକୁ କୁହନ୍ତି ତା ହେଲେ ତାଙ୍କୁ ମାରିଦେବେ ବୋଲି ସୂରଜ ଧମକ ଦେଇଥିଲେ । ଏସବୁ କରିବା ବଦଳରେ ସୂରଜ ରେଭାନ୍ନା ତାଙ୍କୁ ଚାକିରି ଦେବା ଏବଂ ରାଜନୀତିରେ ଆଣିବା ପାଇଁ ଲୋଭ ଦେଖାଇଥିଲେ । ପୋଲିସ ପୀଡିତଙ୍କ ଅଭିଯୋଗ ଅନୁଯାୟୀ ମାମଲାର ତଦନ୍ତ ଜାରି ରଖିଛି ।
ହୋଲେନାରସିପୁରା ସ୍ଥାନୀୟ ପୁଲିସ ଶନିବାର ଆଇପିସି ଧାରା ୩୭୭ (ଅସ୍ୱାଭାବିକ ଯୌନ ସମ୍ପର୍କ), ୩୪୨ (ବନ୍ଧକ ରଖିବା), ୫୦୬(ଉଦ୍ଦେଶ୍ୟମୂଳକ ଅପମାନ) ଏବଂ ୩୪ ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା । ଏହି ମାମଲାରେ ପୁଲିସ ଉଭୟ ସୂରଜ ରେଭାନ୍ନା ଏବଂ ତାଙ୍କ ଘନିଷ୍ଟ ଶିବକୁମାରଙ୍କୁ ଅଭିଯୁକ୍ତ କରିଛି ।












Click it and Unblock the Notifications