ମେ ୩୧ରେ ଶେଷ ହେବ ପିଏମ୍ଏଓ୍ବାଇ ଆବେଦନ: ତୁରନ୍ତ ସାରିଦିଅନ୍ତୁ କାମ
ଆସନ୍ତା ୩୧ ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲାଗି ଆବେଦନ କରିବାର ଶେଷ ସମୟ। ଏବେ ସୁଦ୍ଧା ୩୬ ଲକ୍ଷ ୮୧ ହଜାର ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲାଗି ଆବେଦନ କରିଛନ୍ତି। ଯଦି ଆଉ କେହି ଯୋଗ୍ୟ ହିତାଧିକାରୀ ରହିଯାଇଛନ୍ତି ସେମାନେ ଆସନ୍ତା ୩ ଦିନ ମଧ୍ୟରେ ଆବେଦନ କରନ୍ତୁ।
ରାଜ୍ୟରେ ଏପରି ପରିବାର ରହିଛନ୍ତି ଯେଉଁମାନେ ଇନ୍ଦିରା ଆବାସ ପାଇଥିଲେ। ସେଥିଲାଗି ସେମାନେ ଆଉ ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏଓ୍ବାଇ) ପାଇବାକୁ ଯୋଗ୍ୟ ହୋଇପାରିନାହାନ୍ତି। ସେତେବେଳେ ସେମାନେ ଇନ୍ଦିରା ଆବାସ ଯୋଜନାରେ ୪୮ ହଜାର ଟଙ୍କା ପର୍ଯ୍ୟନ୍ତ ପାଇଥିଲେ। ସେହି ହିତାଧିକାରୀମାନେ ଯେଉଁ ଘର କରିଥିଲେ ସେଗୁଡିକ ମଧ୍ୟ ଭାଙ୍ଗିଗଲାଣି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ନେଇ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲାଗି ତଳସ୍ତରକୁ ଯାଇ ଆହୁରି ଭଲରେ ସର୍ଭେ କରିବା ଲାଗି। ଯେଉଁମାନେ ଇନ୍ଦିରା ଆବାସ ପାଇଥିଲେ ଏବଂ ସେମାନଙ୍କ ଘର ନଷ୍ଟ ହୋଇଯାଇଛି ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତାଲିକାରେ ସାମିଲ କରାଯିବ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ନାଏକ କହିଛନ୍ତି, ରାଜ୍ୟରେ ହିତାଧିକାରୀଙ୍କୁ ୨ ପ୍ରକାର ଯୋଜନାରେ ଘର ଦିଆଯାଉଛି। ଲୋକଙ୍କୁ ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପ୍ରଦାନ କରାଯାଉଛି। ହେଲେ ସରକାରକୁ ଆସିବା ବେଳେ ହିତାଧିକାରୀଙ୍କ ତାଲିକା କିଛି ନ ଥିଲା। ସରକାରକୁ ଆସିବା ପରେ ନୂତନ ସର୍ଭେ ଆରମ୍ଭ ହୋଇଛି । ରାଜ୍ୟ ସରକାର ଆଶା ରଖିଛନ୍ତି କେନ୍ଦ୍ରଠାରୁ ୨୨ ଲକ୍ଷ ଘର ମିଳିବ। ପରିସ୍ଥିତି ଅନୁଯାୟୀ ଯଦି ଅଧିକ ଘର ଆବଶ୍ୟକ ପଡ଼ିବ ତାହା କେନ୍ଦ୍ରକୁ ଜଣାଯିବ ଏବଂ ଲୋକଙ୍କୁ ଘର ଦିଆଯିବ ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି, ଯେଉଁମାନେ ଆବେଦନ କରିଛନ୍ତି ୨ ମାସ ମଧ୍ୟରେ ସେମାନଙ୍କ ଆବେଦନକୁ ସର୍ଭେକରି କେନ୍ଦ୍ର ସରକାରଙ୍କ ନିକଟକୁ ତାଲିକା ପଠାଇଯିବ। ଏଭଳି ନିଷ୍ପତ୍ତି ବିଭାଗ ପକ୍ଷରୁ ନିଆଯାଇଛି। ଅନ୍ତ୍ୟୋଦୟ ଗୃହ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୬୦ ହଜାର ଗୃହ ବଣ୍ଟନ କରିଛନ୍ତି। ଏବେ ୧ ଲକ୍ଷ ୭ ହଜାର ଗୃହ ଅନ୍ତ୍ୟୋଦୟ ଘର ଦେବାକୁ ଯୋଜନା ରଖାଯାଇଛି। ଏହି ଘର ମୌସୁମୀ ପରେ ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି।












Click it and Unblock the Notifications