ଆସନ୍ତାକାଲି ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, "୨୧ତମ ପିଏମ୍ କିଷାନ" ଯୋଜନାର କିସ୍ତି ପ୍ରଦାନ କରିବେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଗସ୍ତରେ ଯିବେ । ଆନ୍ଧ୍ରପ୍ରଦେଶ ଗସ୍ତ ସମୟରେ ଶ୍ରୀ ମୋଦୀ ପୁଟପର୍ତ୍ତୀସ୍ଥିତ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ମହାସମାଧି ପରିଦର୍ଶନ କରି ପୁଷ୍ପାର୍ଘ୍ୟ ପ୍ରଦାନ କରିବେ । ଭଗବାନ ଶ୍ରୀ ସତ୍ୟସାଇବାବାଙ୍କ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ସହ ସ୍ମାରକୀ ଡାକଟିକଟ ଓ ମୁଦ୍ରା ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି ।

ଭଗବାନ ଶ୍ରୀ ସତ୍ୟସାଇବାବାଙ୍କ ଜୀବନାଦର୍ଶ, ଶିକ୍ଷାକୁ ସ୍ମରଣସ୍ୱରୂପ ଏହି ଡାକଟିକଟ ଓ ମୁଦ୍ରା ଉନ୍ମୋଚନ କରାଯିବ । ସେଠାରେ ଶ୍ରୀ ମୋଦୀ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି । ପରେ ପ୍ରଧାନମନ୍ତ୍ରୀ ତାମିଲନାଡୁର କୋଏମ୍ବାଟୁର ଗସ୍ତ କରି ଦକ୍ଷିଣ ଭାରତ ପ୍ରାକୃତିକ କୃଷି ସମ୍ମିଳନୀକୁ ଉଦ୍ଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ "୨୧ତମ ପିଏମ୍ କିଷାନ" ଯୋଜନାର କିସ୍ତି ପ୍ରଦାନ କରିବେ । ଏଥିରେ ୯ କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ ୧୮ ହଜାର କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯିବ ।
ଶ୍ରୀ ମୋଦୀ ସେଠାରେ ମଧ୍ୟ ଏକ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀରହିଛି । ଦକ୍ଷିଣ ଭାରତ ପ୍ରାକୃତିକ କୃଷି ସମ୍ମିଳନୀ ତାମିଲନାଡୁ ପ୍ରାକୃତିକ କୃଷି ଫୋରମ୍ପକ୍ଷରୁ ସମାବେଶୀ କୃଷିର ବିକାଶ ନିମନ୍ତେ ବିଭିନ୍ନ ଉପାୟକୁ ପ୍ରୋତ୍ସାହନ ଦେବା ପାଇଁ ଆୟୋଜନ କରାଯାଇଛି । ଯେଉଁଥିରେ ପରିବେଶ ଅନୁକୂଳ, ରସାୟନମୁକ୍ତ କୃଷି ପ୍ରଣାଳୀ ଉପରେ ଆଲୋଚନା କରାଯିବ । ଏହି ୩ ଦିନିଆ ସମ୍ମିଳନୀରେ କୃଷକମାନେ ଯେଭଳି ଅର୍ଥନୈତିକ ଭାବରେ ଲାଭ ଦେଇଥିବା ପ୍ରାକୃତିକ କୃଷି ପ୍ରତି ଅଧିକରୁ ଅଧିକ ଆଗ୍ରହ ପ୍ରକାଶ କରିବେ ଓ ଦେଶର ଅର୍ଥନୀତିରେ ଯୋଗଦାନ କରିବେ, ସେ ନେଇ ଆଲୋଚନା ପର୍ଯ୍ୟାଲୋଚନା ହେବ ବୋଲି
ଜଣାପଡ଼ିଛି ।












Click it and Unblock the Notifications