AI Impact Summit 2026 ;ଆଜି ବିଭିନ୍ନ ରାଷ୍ଟ୍ର ମୁଖ୍ୟଙ୍କ ସହ ସାକ୍ଷାତ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ
ଭାରତ କୃତ୍ରିମ ବୁଦ୍ଧିମତ୍ତା ପ୍ରଭାବ ସମ୍ମିଳନୀ-୨୦୨୬ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସହ ନୂଆଦିଲ୍ଲୀରେ ସାକ୍ଷାତ ଆଲୋଚନା କରିଛନ୍ତି। ହାଇଦ୍ରାବାଦ ହାଉସ୍ଠାରେ ସ୍ପେନ୍ ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜ୍ଙ୍କ ସହ ହୋଇଥିବା ଆଲୋଚନାରେ ଉଭୟ ନେତା ଦ୍ୱିପାକ୍ଷିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ବାଣିଜ୍ୟ ଏବଂ ଅର୍ଥନୀତି,ଡିଜିଟାଲ, ନବସୃଜନ, ସ୍ୱାସ୍ଥ୍ୟ, ଜଳବାୟୁ ପରିବର୍ତ୍ତନ ଏବଂ ଶିକ୍ଷା ଆଦି ପ୍ରସଙ୍ଗରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି ।
ଭାରତୟୁରୋପୀୟ ସଂଘ ସଂପର୍କକୁ ସୁଦୃଢ଼ କରିବାରେ ସ୍ପେନ୍ର ନିରନ୍ତର ସମର୍ଥନ ପାଇଁ ଶ୍ରୀ ମୋଦୀ କୃତଜ୍ଞତା ପ୍ରକାଶ କରିଛନ୍ତି । ଫିନ୍ଲ୍ୟାଣ୍ଡ ପ୍ରତିପକ୍ଷ ଆଣ୍ଟି ପେଟେରି ଓର୍ପୋ ଙ୍କ ସହ ଶ୍ରୀ ମୋଦୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । କୃତ୍ରିମ ବୁଦ୍ଧିମତ୍ତା ଗବେଷଣ, ନବସୃଜନ, ଡିଜିଟାଲାଇଜେସନ୍, ନିରନ୍ତରତା ଆଦି ବିଭିନ୍ନ ପ୍ରସଙ୍ଗରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ମନ୍ତ୍ରଣାଳୟ କହିଛି ।

ଦାୟିତ୍ୱସଂପନ୍ନଭାବେ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରକୁ ଗତିଶୀଳ କରିବା ଏବଂ ଏକ ନିରନ୍ତର ଭବିଷ୍ୟତ ପାଇଁ ବୈଷୟିକ ଉପଯୋଗୀ ସମାଧାନର ମାର୍ଗ ଉନ୍ମୁକ୍ତ କରିବାରେ ଉଭୟ ନେତା ସେମାନଙ୍କର ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ ସର୍ବିଆ ରାଷ୍ଟ୍ରପତି ଆଲେକ୍ସାଣ୍ଡର ୱଚିଚ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଏଥିସହ ଶ୍ରୀ ମୋଦୀ ଆଜି କ୍ରୋଏସିଆ ପ୍ରଧାନମନ୍ତ୍ରୀ ଆଣ୍ଡ୍ରେଜ୍ ପ୍ଲେଙ୍କୋଭିଚ୍, ଏସ୍ତୋନିଆ ରାଷ୍ଟ୍ରପତି ଅଲାର କାରିସ୍, ଭୁଟାନ ପ୍ରଧାନମନ୍ତ୍ରୀ ଦାସୋ ଶେରିଂ ତୋବଗେ ଏବଂ କାଜାକ୍ସ୍ତାନ ପ୍ରଧାନମନ୍ତ୍ରୀ ଓଲ୍ଝାସ ବେକ୍ଟେନୋଭ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଜି ସକାଳେ ଗୁଗୁଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନ୍ଦର ପିଚାଇଙ୍କ ସହ ଆଲୋଚନା କରିଛନ୍ତି ।












Click it and Unblock the Notifications