For Quick Alerts
Turn On Notification  
For Daily Alerts
Oneindia App Download

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 6 ଲକ୍ଷ ହିତାଧୀକାରୀଙ୍କୁ 2691 କୋଟି ଟଙ୍କା ଆବଣ୍ଟନ କଲେ ମୋଦୀ

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ପାଇଁ 2,690 କୋଟି 77ଲକ୍ଷ ଟଙ୍କା ଆବଣ୍ଟନ କରିଛନ୍ତି । ବୁଧବାର ଏହି ଟଙ୍କା ରାଜ୍ୟର 6 ଲକ୍ଷ 10 ହଜାର ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯାଇଛି ।

|

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ପାଇଁ 2,690 କୋଟି 77ଲକ୍ଷ ଟଙ୍କା ଆବଣ୍ଟନ କରିଛନ୍ତି । ବୁଧବାର ଏହି ଟଙ୍କା ରାଜ୍ୟର 6 ଲକ୍ଷ 10 ହଜାର ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯାଇଛି । ଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଏହି ରାଶି ପ୍ରଦାନ କରିଛନ୍ତି । ଏହି ଅବସରରେ ମୋଦୀ ହିତାଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।

Narendra-Modi

ହିତାଧିକାରୀଙ୍କୁ ଟଙ୍କା ହସ୍ତାନ୍ତର କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆଜି ଥରକରେ ଉତ୍ତରପ୍ରଦେଶର 6 ଲକ୍ଷରୁ ଅଧିକ ପରିବାରର ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରାୟ 2700 କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି । ଏହି ରାଶଇ ପାଇଥିବା ପରିବାର ମଧ୍ୟରେ ପାଞ୍ଚ ଲକ୍ଷରୁ ଅଧିକ ପରିବାରକୁ ଘର ନିର୍ମାଣ ପାଇଁ ପ୍ରଥମ କିସ୍ତି ମିଳିଛି । ସେହିପରି ଅନ୍ୟ 80 ହଜାର ପରିବାରକୁ ଘର ନିର୍ମାଣ ପାଇଁ ଦ୍ୱିତୀୟ କିସ୍ତି ମିଳିଛି । ଏବେ ଶୀତ ଆପଣଙ୍କ ପରିବାର ପାଇଁ ଏତେ କଷ୍ଟସାଧ୍ୟ ହେବ ନାହିଁ । ଆସନ୍ତା ଶୀତରେ ଆପଣମାନେ ନିଜ ଘରେ ସୁବିଧାରେ ରହିବେ ବୋଲି ପ୍ରଧାନମନ୍ତ୍ରୀ ହିତାଧିକାରୀଙ୍କୁ ସମ୍ବୋଧିତ କରି କହିଛନ୍ତି ।

ଏଥିସହିତ ମୋଦୀ କହିଛନ୍ତି, ପୂର୍ବ ସରକାର ସମୟରେ ଉତ୍ତରପ୍ରଦେଶର ଅବସ୍ଥା କ'ଣ ଥିଲା ଆପଣ ସମସ୍ତେ ଦେଖିଛନ୍ତି । ଘର ନିର୍ମାଣରେ ସରକାର ମଧ୍ୟ ସାହାଯ୍ୟ କରିପାରିବେ ବୋଲି ଗରିବ ଲୋକ ବିଶ୍ୱାସ କରିନଥିଲେ । ପୂର୍ବ ଗୃହ ଯୋଜନା, ସେମାନଙ୍କ ଅଧୀନରେ ଘର କିପରି ନିର୍ମାଣ କରାଯାଇଥିଲା, ତାହା ମଧ୍ୟ କାହାକୁ ଅଛପା ନାହିଁ । ସ୍ୱାଧୀନତାର 75 ବର୍ଷ ପୂରଣ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ଗରିବ ପରିବାରକୁ ପକ୍କା ଘର ଯୋଗାଇଦେବା ପାଇଁ ଦେଶ ଲକ୍ଷ୍ୟ ରଖିଥିଲା । ବିଗତ ବର୍ଷଗୁଡିକରେ କେବଳ ଗ୍ରାମାଞ୍ଚଳରେ ପ୍ରାୟ ଦୁଇ କୋଟି ଘର ନିର୍ମାଣ କରାଯାଇଛି । କେବଳ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପ୍ରାୟ 1.25 କୋଟି ଘର ନିର୍ମାଣ କରାଯାଇଛି ବୋଲି ସେ କହିଛନ୍ତି ।


ସେ ଆହୁରି ମଧ୍ୟ କହିଛନ୍ତି ଯେ ପାଞ୍ଚ ବର୍ଷ ପୂର୍ବେ ଉତ୍ତରପ୍ରଦେଶର ଆଗ୍ରା ଠାରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଆରମ୍ଭ କରିବା ସୁଯୋଗ ମିଳିଥିଲା । ଏତେ କମ୍ ସମୟ ମଧ୍ୟରେ ଏହି ଯୋଜନା ଦେଶର ଗାଁ ଗୁଡ଼ିକର ଚିତ୍ର ବଦଳାଇ ଦେଇଛି । ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଗରିବ ଶ୍ରେଣୀର ଲୋକଙ୍କୁ ଆଶ୍ୱାସନା ଦେଇଛି ଯେ ଆଜି ନୁହେଁ ତ କାଲି ସେମାନଙ୍କର ନିଜର ଘର ହୋଇପାରିବ ବୋଲି ମୋଦୀ କହିଛନ୍ତି ।

ଏହି ଅବସରରେ ଯୋଗଦେଇ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଦେଶର ଗରିବ ଲୋକଙ୍କୁ ଘର ଯୋଗାଇବା ପାଇଁ ବିଜେପି ସରକାର କଠିନ ପରିଶ୍ରମ କରୁଛନ୍ତି । ଉତ୍ତର ପ୍ରଦେଶ ପାଇଁ ଏହି ଯୋଜନା ଅଧୀନରେ ସାତ ଲକ୍ଷରୁ ଅଧିକ ଘର ନିର୍ମାଣ ପାଇଁ ଅନୁମୋଦନ ମିଳିଛି । ପ୍ରଧାନମନ୍ତ୍ରୀ ଆଜି ଉତ୍ତରପ୍ରଦେଶ ପାଇଁ ଯେଉଁ ଟଙ୍କା ଦେଇଛନ୍ତି, ଏଥିରୁ 5 ଲକ୍ଷ 30 ହଜାର ହିତାଧିକାରୀଙ୍କୁ ଏହି ଯୋଜନାର ପ୍ରଥମ କିସ୍ତି ମିଳିଛି । ଏହା ସହିତ 80 ହଜାର ହିତାଧିକାରୀଙ୍କୁ ସେମାନଙ୍କ ଘର ନିର୍ମାଣ ପାଇଁ ଦ୍ୱିତୀୟ କିସ୍ତି ମିଳିଛି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା 2016 ମସିହା ନଭେମ୍ବର 20 ତାରିଖରେ ଆରମ୍ଭ ହୋଇଥିଲା । ଏହି ଯୋଜନା ଅଧୀନରେ ସମତଳ ଅଞ୍ଚଳର ଗରିବ ହିତାଧିକାରୀଙ୍କୁ ଘର ନିର୍ମାଣ ପାଇଁ 1.20 ଲକ୍ଷ ଟଙ୍କା ଆର୍ଥିକ ସହାୟତା ଏବଂ ପାହାଡ଼ିଆ ଅଞ୍ଚଳରେ 1.30 ଲକ୍ଷ ଆର୍ଥିକ ସହାୟତା ଦିଆଯିବା ନେଇ ଯୋଜନା ରହିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
PM Narendra Modi released 2691 crore rupees to 6lakh beneficiaries of UP under PNABY-G.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X