ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ; ଗୈରିକମୟ ସମ୍ବଲପୁର, ୬୮ ହଜାର କୋଟି ପ୍ରକଳ୍ପର ହେବ ଲୋକାର୍ପଣ
ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ମୋଦିଙ୍କ ସମ୍ବଲପୁର ଗସ୍ତ ପାଇଁ ମଞ୍ଚ ପ୍ରସ୍ତୁତ । ଗୈରିକମୟ ସମ୍ବଲପୁର ରେମେଡ ପଡ଼ିଆର ସଭାସ୍ଥଳ । ବିଶାଳ ଗ୍ୟାରେଣ୍ଟି ଜନସମାବେଶରେ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ଦେବେ ୨୪ ପାଇଁ ପରିବର୍ତ୍ତନର ଆହ୍ୱାନ । ଆମ ସଂକଳ୍ପ ବିକଶିତ ଭାରତ-ବିକଶିତ ଓଡ଼ିଶା ନାରାରେ ଏଇଠୁ ଫୁଙ୍କିବେ ନିର୍ବାଚନୀ ମହାଲଢ଼େଇର ବିଗୁଲ୍ ।
ପ୍ରଧାନମନ୍ତ୍ରୀ ଆଜି ଅପରାହ୍ନ ଗୋଟାଏ ୧୫ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଅପରାହ୍ଣ ୧ଟା ୪୫ରେ ଆଇଆଇଏମ୍ ସମ୍ବଲପୁରର ନିଜସ୍ୱ କ୍ୟାମ୍ପସରେ ପହଞ୍ଚିବେ । ସେଠାରୁ କାର୍ଯ୍ୟକ୍ରମ ସାରି ୩ଟାରେ ହେଲିକପ୍ଟର ଯୋଗେ ରେମେଡ ସଭାସ୍ଥଳ ଅଭିମୁଖେ ବାହାରିବେ ।
ରେମେଡ ସଭାସ୍ଥଳରେ ୩ଟା ୧୫ରେ ପହଞ୍ଚି ସାଧାରଣ ସଭାରେ ଯୋଗ ଦେବା ପରେ ଅପରାହ୍ଣ ୫ଟା ବେଳେ ନୂଆଦିଲ୍ଲୀ ଅଭିମୁଖେ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।
ବିଜେପି ଶିବିରରେ ଏଥିପାଇଁ ଉତ୍ସାହ ଦେଖିବାକୁ ମିଳିଛି । କାରଣ ନିର୍ବାଚନକୁ ଆଉ ମାତ୍ର ଦୁଇମାସ ବାକି ଥିଲା ବେଳେ ବଜେଟ୍ ପରେ ପ୍ରଥମ ଜନସମାବେଶକୁ ସମ୍ବୋଧିତ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ । ତାହା ପୁଣି ଓଡ଼ିଶାରେ ।

ଆଇଆଇଏମ୍ ସମ୍ବଲପୁର କ୍ୟାମ୍ପସରେ ମୋଦିଙ୍କ ସରକାରୀ କାର୍ଯ୍ୟକ୍ରମ ବି ରହିଛି । ଏଠି ଶିକ୍ଷା ବିଭାଗ ଦ୍ୱାରା ୪ ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଇଆଇଏମ୍ ସମ୍ବଲପୁରର ନିଜସ୍ୱ କ୍ୟାମ୍ପସର ଲୋକାର୍ପଣ କରିବା ସହ ୬୮ ହଜାର କୋଟି ଟଙ୍କାର ଅନ୍ୟ କେତେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।
ନୂଆ ଟ୍ରେନ ଚଳଚଳର ଶୁଭାରମ୍ଭ ହେବ । ଏନଟିପିସିର ଦୁଇଟି ପ୍ରକଳ୍ପର ଲୋକାର୍ପଣ ସାଙ୍ଗକୁ ବ୍ରାହ୍ମଣୀ ନଦୀରେ ଦୁଇଟିକିଆ ପୋଲର ଉଦ୍ଘାଟନ, ଝାରସୁଗୁଡ଼ାର ପୁରାତନ ପୋଷ୍ଟ ଅଫିସକୁ ଐତିହ୍ୟ ପ୍ରକଳ୍ପ ଭାବେ ଲୋକାର୍ପଣର ବି କାର୍ଯ୍ୟକ୍ରମ ରହିଛି । ତେଣୁ ମୋଦିଙ୍କ ଆଇଆଇଏମ୍ ସଭା ପାଇଁ ବି ସବୁ ପ୍ରକାର ପ୍ରସ୍ତୁତି ସରିଛି ।
ମୋଦିଙ୍କ ଗସ୍ତ ବେଳେ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ସହ ସୁରକ୍ଷା ଦାୟିତ୍ୱରେ ୭ ଜଣ କମାଣ୍ଡାଣ୍ଟଙ୍କ ସହ ପ୍ରାୟ ୩ ଶହ ଅଫିସରଙ୍କୁ ନିୟୋଜିତ କରାଯାଇଛି । ଉତ୍ତରାଞ୍ଚଳ ପୋଲିସ ରେଞ୍ଜ ଅନ୍ତର୍ଗତ ୪ଟି ଜିଲ୍ଲରା ଏସପି ଓ ଦୁଇଜଣ ଆଇଜି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ ।












Click it and Unblock the Notifications