ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଲାଗି ଆସନ୍ତାକାଲି ଠାରୁ ଦୁଇ ଦିନିଆ ରୁଷ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଲାଗି ଆସନ୍ତାକାଲିଠାରୁ ଦୁଇ ଦିନ ଲାଗି ରୁଷ ଗସ୍ତ କରିବେ । କାଜାନ୍ ଠାରେ ବ୍ରାଜିଲ୍, ରୁଷ, ଭାରତ, ଚୀନ୍ ଓ ଦକ୍ଷିଣ ଆଫ୍ରିକାକୁ ନେଇ ଷୋଡ଼ଶତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ । ସମ୍ମିଳନୀର ଚଳିତଥରର ବିଷୟବସ୍ତୁ ରହିଛି - "ବିଶ୍ୱ ବିକାଶ ଓ ନିରାପତ୍ତା ଲାଗି ବହୁପକ୍ଷୀୟବାଦର ସଶକ୍ତିକରଣ" । ବ୍ରିକ୍ସ ନେତୃବୃନ୍ଦଙ୍କୁ ବିଭିନ୍ନ ବୈଶ୍ୱିକ ସମସ୍ୟାର ସମାଧାନ ଲାଗି ସୁଚିନ୍ତତ ମତ ବିନିମୟ କରିବା ଦିଗରେ ଏହି ସମ୍ମିଳନୀ ସହାୟକ ହେବ ।
ସେହିଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଆପୋଷ ସହାୟତା ସହିତ ପୂର୍ବରୁ ବ୍ରିକ୍ସ ପକ୍ଷରୁ ନିଆଯାଇଥିବା ବିଭିନ୍ନ ନିଷ୍ପତ୍ତି ଗୁଡ଼ିକର କାର୍ଯ୍ୟକାରିତାର ଅଗ୍ରଗତି ସମ୍ପର୍କରେ ମଧ୍ୟ ଏହି ବୈଠକରେ ସମୀକ୍ଷା କରାଯିବାର ସମ୍ଭାବନା ରହିଛି ।ପ୍ରଧାନମନ୍ତ୍ରୀଙ୍କ ରୁଷ ଗସ୍ତ ସମ୍ପର୍କରେ ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି, ଏହି ସମ୍ମିଳନୀରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ରୁଷ ରାଷ୍ଟ୍ରପତି ଭ୍ଲାଦିର୍ମି ପୁତିନ୍ଙ୍କ ନିମନ୍ତ୍ରଣ କ୍ରମେ ଆସନ୍ତାକାଲି କାଜାନ୍ ଅଭିମୁଖେ ଯାତ୍ରା କରିବେ ।
ଭାରତ ହେଉଛି ବ୍ରିକ୍ସର ପ୍ରତିଷ୍ଠାତା ସଦସ୍ୟ ଏବଂ ପ୍ରଥମରୁ ବ୍ରିକ୍ସର ଆଭିମୁଖ୍ୟକୁ ବିଶ୍ୱସ୍ତରରେ ବିଭିନ୍ନ କ୍ଷେତ୍ରରେ ସଫଳତାର ସହ କାର୍ଯ୍ୟକାରି କରିବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି ବୋଲି ଶ୍ରୀ ମିଶ୍ରି କହିଛନ୍ତି । ସେ କହିଛନ୍ତି, ବିଶେଷ କରି ଅର୍ଥନୈତିକ ଅଭିବୃଦ୍ଧି, ନିରନ୍ତର ବିକାଶ ଏବଂ ବିଶ୍ୱସ୍ତରରେ ସୁ-ଶାସନ ପ୍ରଦାନ ଦିଗରେ ସଂସ୍କାର ଆଣିବା କ୍ଷେତ୍ରରେ ବ୍ରିକ୍ସ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ।ଏତଦ୍ବ୍ୟତୀତ ବିଭିନ୍ନ ବୈଶ୍ୱିକ ସମସ୍ୟାର ସମାଧାନ ଦିଗରେ ମଧ୍ୟ ବ୍ରିକ୍ସ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ ସାବ୍ୟସ୍ତ ହୋଇଛି ।

ସେ କହିଛନ୍ତି, ଏହି ଦୁଇଦିନିଆ ସମ୍ମିଳନୀ, ଅର୍ଥନୈତିକ ସହଯୋଗ, ଶକ୍ତି ଏବଂ ଖାଦ୍ୟ ନିରାପତ୍ତା ସହଯୋଗକୁ ସଶକ୍ତ କରିବା ସହିତ ସ୍ୱାସ୍ଥ୍ୟ ଏବଂ ଯୁବବର୍ଗଙ୍କ ଜ୍ଞାନ ଆଦାନପ୍ରଦାନ ଦିଗରେ ମଧ୍ୟ ସହାୟକ ହେବ । ଦକ୍ଷିଣ ଆଫ୍ରିକାରେ ଗତବର୍ଷ ଅନୁଷ୍ଠିତ ଶିଖର ସମ୍ମିଳନୀରେ ଇଜିପ୍ଟ, ଇରାନ, ଇଥିଓପିଆ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ସଦସ୍ୟ ଭାବେ ସାମିଲ ହେବା ପରେ ଏହା ହେଉଛି ବ୍ରିକ୍ସର ପ୍ରଥମ ବୈଠକ । ବର୍ତ୍ତମାନ ବ୍ରିକ୍ସର ସଦସ୍ୟ ସଂଖ୍ୟା ୯ରେ ପହଞ୍ଚିଛି ।
ବୈଦେଶିକ ସଚିବ କହିଛନ୍ତି, ଆସନ୍ତାକାଲି ଠାରୁ ଏହି ସମ୍ମିଳନୀ ଆରମ୍ଭ ହେଉଥିବା ବେଳେ ଆସନ୍ତା ବୁଧବାର ହେଉଛି ଏହି ସମ୍ମିଳନୀର ପ୍ରମୁଖ ଦିନ । ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବିଭିନ୍ନ ସଦସ୍ୟ ରାଷ୍ଟ୍ରର ନେତୃବୃନ୍ଦଙ୍କ ସହିତ ଦ୍ୱିପକ୍ଷିୟ ଆଲୋଚନା କରିବାର ସମ୍ଭାବନା ରହିଛି ବୋଲି ଶ୍ରୀ ମିଶ୍ରି ସୂଚନା ଦେଇଛନ୍ତି । ଏହି ନୂତନ ରାଷ୍ଟ୍ରଗୁଡ଼ିକୁ ମିଶାଇ ବ୍ରିକ୍ସର ସଦସ୍ୟ ସଂଖ୍ୟା ୯ରେ ପହଞ୍ଚଛି । ବ୍ରିକ୍ସର ମୁଖ୍ୟ ବୈଠକ ବ୍ୟତୀତ ସେଠାରେ ବ୍ରିକ୍ସ ପ୍ଲସ୍ ବୈଠକର ଆୟୋଜନ ହୋଇଛି ।












Click it and Unblock the Notifications